ଲାହୋର, ୨୦ /୦୩: ପାକିସ୍ତାନ କ୍ରିକେଟର ଅବସ୍ଥା ଭଲ ନାହିଁ । ଦଳ ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଣ୍ଟ ହାରୁଛି ।୨୦୨୨ ପରଠୁ କୌଣସି ଆଇସିସି ଟ୍ରଫି ଦଳ ଜିତିନି । ନିକଟରେ ଟି୨୦ ବିଶ୍ୱକପରେ ଦଳ ସୁପର ୮ରୁ ବିଦା ହୋଇଥିଲା । ଏହାପରେ ଦିନିକିଆ ସିରିଜରେ ଟିମ୍ ବାଂଲାଦେଶଠୁ ପରାସ୍ତ ହୋଇଛି । ଯାହାକୁ ନେଇ ସମସ୍ତେ ସମାଲୋଚନା କରୁଛନ୍ତି । ଏହାରି ଭିତରେ ଦଳର ନେତୃତ୍ୱ ପରିବର୍ତ୍ତନ କଥା ବି ଉଠୁଛି ।
ପାକ୍ ଦିନିକିଆ ଦଳର ଅଧିନାୟକ ହେଉଛନ୍ତି ସାହିନ୍ ଆଫ୍ରିଦି । ତାଙ୍କ ବୋଲିଂରେ ଆଗ ଭଳି ଚମକ ନାହିଁ । ଟି୨୦ ବିଶ୍ୱକପରେ ସେ କିଛି କରିସ୍ମା କରିପାରିନଥିଲେ । ଏବଂ ବାଂଲାଦେଶ ବିପକ୍ଷ ସିରିଜ୍ ହାରିବା ପରେ ତାଙ୍କ ଉପରେ ଖଣ୍ଡା ଝୁଲୁଛି । ଯାହାକୁ ନେଇ ପାକ୍ ର ପୂର୍ବତନ ଖେଳାଳି ରସିଦ ଲତିଫ୍ କହିଛନ୍ତି ଯେ, ଟି୨୦ ଫର୍ମାଟରେ ସାହିନଙ୍କୁ ଜାଗା ମିଳିବା କଥା ନୁହେଁ । ଦଳ ପାଇଁ ସେ ପ୍ରଦର୍ଶନ କରୁନାହାଁନ୍ତି । ଟି୨୦ ବିଶ୍ୱକପ୍ ପରେ ବାଂଲାଦେଶ ବିପକ୍ଷ ସିରିଜରେ ସେ ନେତୃତ୍ୱ ନେଇଥିଲେ । କିନ୍ତୁ ଏଠାରେ ବି ସେ ଫେଲ୍ ହୋଇଥିଲେ ।
ଲତିଫ୍ କହୁଛନ୍ତି ଯେ, କିଛି ଜଣ ସାହିନଙ୍କୁ ଟି୨୦ ଅଧିନାୟକ କରିବାକୁ ଦାବି କରୁଛନ୍ତି । କିନ୍ତୁ ଏହା ଆଦୌ ଠିକ୍ ନୁହେଁ । ଏହି ଫାଷ୍ଟ୍ ବୋଲର ଟି୨୦ରେ ଗୋଟିଏ ଜାଗା ବି ପାଇବା ପାଇଁ ଯୋଗ୍ୟ ନୁହେଁ ।
Also Read:- IPL 2026 : ସଞ୍ଜୁଙ୍କୁ ଭାଇସ୍ କ୍ୟାପ୍ଟେନ୍ କରିବ ଚେନ୍ନାଇ ! ପୂର୍ବତନ କ୍ରିକେଟର କହିଦେଲେ ସିକ୍ରେଟ୍
ମ୍ୟାନେଜମେଣ୍ଟ୍ କୁ ଟାର୍ଗେଟ୍
ବାଂଲାଦେଶଠୁ ସିରିଜ୍ ପରାଜୟ ପରେ ଆଫ୍ରିଦି ପାକ୍ ସିଲେକ୍ସନ କମିଟି ଉପରେ ବର୍ଷିଥିଲେ । ଦଳର ଚୟନକର୍ତ୍ତା ହିଁ ପରାଜୟ ପାଇଁ ଦାୟୀ ବୋଲି ସାହିନ୍ କହିଥିଲେ । ସେ କହିଥିଲେ ଯେ,୨୦୨୬ ଟି୨୦ ବିଶ୍ୱକପ୍ ପରଠୁ ଆହୁରି ଅନେକ ଫର୍ମାଟରେ ଦଳ ଖେଳୁଛି । କିନ୍ତୁ ଚୟନକର୍ତ୍ତା କିଏ ଅଧିନାୟକ ହେଲେ ଭଲ ହେବ ଜାଣି ପାରୁ ନାହାଁନ୍ତି । ଦଳରେ ଅନେକ ପରୀକ୍ଷା କରାଯାଉଛି । ଅପେରସନ ହେଉଛି। ଯେଉଁମାନେ କମ୍ ମ୍ୟାଚ୍ ଖେଳିଛନ୍ତି ସେମାନଙ୍କୁ ସିଧାସଳଖ ଜାତୀୟ ଦଳରେ ସାମିଲ କରାଯାଉଛି ବୋଲି ସାହିନ ଅଭିଯୋଗ କରିଥିଲେ ।




