ନୂଆଦିଲ୍ଲୀ: ଆମେରିକା ଓ ଇସ୍ରାଏଲ୍ର ଆକ୍ରମଣ ପରେ ଇରାନ ହରମୁଜ ଜଳପଥକୁ ବନ୍ଦ କରି ଦେଇଥିବାରୁ ସାରା ବିଶ୍ୱର ଶକ୍ତ ସଂକଟ ଦେଖା ଦେଇଛି। ଇନ୍ଧନ ବୋଝେଇ ଜାହାଜ ଯାତାୟତ କରିପାରୁ ନଥିବାରୁ ଗ୍ୟାସ ଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ସଂକଟ ଲାଗି ରହିଛି।
ଏହାରି ଭିତରେ ହରମୁଜ ଜଳ ପଥ ଖୋଲିବାକୁ ଆଗେଇ ଆସିଛନ୍ତି ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡସ ଓ ଜାପାନ ଭଳି ରାଷ୍ଟ୍ର। ହର୍ମୁଜ ଜଳପଥ ଦେଇ ଜାହାଜଗୁଡ଼ିକର ସୁରକ୍ଷିତ ଗମନାଗମନ ସୁନିଶ୍ଚିତ କରିବାରେ ଏମାନେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଏହା ବାଦ ପଡ଼ୋଶୀର ଇନ୍ଧନ ଉତ୍ପାଦନ ଭିତ୍ତିଭୂମି ଉପରେ ଆକ୍ରମଣ ନେଇ ଏମାନେ ଇରାନକୁ ସମାଲୋଚନା କରିଛନ୍ତି।
ଗୁରୁବାର ଏହି ଦେଶଗୁଡ଼ିକ ଏକ ମିଳିତ ବିବୃତ୍ତିରେ ଜାରି କରି କହିଛନ୍ତି ଯେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜାହାଜ ଚଳାଚଳ ମାର୍ଗ ମଧ୍ୟରୁ ଗୋଟିଏ ହର୍ମୁଜ୍ରେ ଉତ୍ତେଜନା ଦେଖା ଦେଉଥିବାରୁ ସେମାନେ ବିଶ୍ୱ ଶକ୍ତି ବଜାରକୁ ସ୍ଥିର ରଖିବା ପାଇଁ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବେ। ଏହା ବାଦ୍ ବାଣିଜ୍ୟିକ ଜାହାଜ ଚଳାଚଳ ଏବଂ ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଇବା ଭଳି ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ଏହି ଦେଶମାନେ ଇରାନକୁ ଅନୁରୋଧ କରିଛନ୍ତି।
ଜାରି ହୋଇଥିବା ମିଳିତ ବିବୃତ୍ତିରେ କୁହାଯାଇଛି “ ଏହି ଜଳପଥ ଦେଇ ସୁରକ୍ଷିତ ପଥ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ପ୍ରୟାସରେ ଆମେ ଯୋଗଦାନ ଦେବୁ ବୋଲି ପ୍ରସ୍ତୁତି ଦେଉଛୁ। ” ପରିବହନ ମାର୍ଗଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତି ଯୋଜନାରେ ନିୟୋଜିତ ରାଷ୍ଟ୍ରଗୁଡ଼ିକର ପ୍ରତିବଦ୍ଧତାକୁ ମଧ୍ୟ ଏମାନେ ସ୍ୱାଗତ କରିଛନ୍ତି।
ସୁରକ୍ଷା ପଦକ୍ଷେପ ନେବା ସହିତ ଏହି ଦେଶଗୁଡ଼ିକ ଆହୁରି କହିଛନ୍ତି ଯେ ସେମାନେ ଉତ୍ପାଦନ ବୃଦ୍ଧି କରିବା ଏବଂ ବଜାର ଉପରେ ଚାପ କମ କରିବା ପାଇଁ ଶକ୍ତି ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କ ସହିତ ମିଶି କାମ କରିବେ। ବିବୃତ୍ତିରେ କୁହାଯାଇଛି “ଆମେ ଶକ୍ତି ବଜାରକୁ ସ୍ଥିର କରିବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ନେବୁ, ଯେଉଁଥିରେ ଉତ୍ପାଦନ ବୃଦ୍ଧି ପାଇଁ କିଛି ଉତ୍ପାଦକ ରାଷ୍ଟ୍ରଙ୍କ ସହିତ କାମ କରିବୁ।
ପଢ଼ନ୍ତୁ- USA-Iran-Israel War: ଆଜି ଇରାନ ଉପରେ ହେବ ସବୁଠାରୁ ବଡ଼ ଆକ୍ରମଣ: ଆମେରିକାର କଡ଼ା ଧମକ
ଇରାନର ଧମକ
ଯୁଦ୍ଧ ପରେ ଇରାନ ହରମୁଜ ଜଳପଥକୁ ବନ୍ଦ କରିଦେଇଛି। ଏହି ଜଳପଥ ଦେଇ ଯାଉଥିବା ସମସ୍ତ ଜାହାଜକୁ ଟାର୍ଗେଟ୍ କରି ନଷ୍ଟ କରିଦେଉଛି। ଇରାନ ବାଣିଜ୍ୟିକ ଜାହାଜ ଉପରେ ବାରମ୍ବାର ଆକ୍ରମଣ କରିବା, ଡ୍ରୋନ ଏବଂ ବିସ୍ଫୋରକ ସଜିତ ଡଙ୍ଗା ବ୍ୟବହାର କରି ଟାର୍ଗେଟ୍ କରିବା ଏବଂ ଯିବାକୁ ଚେଷ୍ଟା କରୁଥିବା ଜାହାଜ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି। ଏଥିପାଇଁ ଅଶୋଧିତ ତୈଳ ଏବଂ ଏଲପିଜି ଆମଦାନୀ ରପ୍ତାନୀ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ ମଧ୍ୟରୁ ଗୋଟିଏ ହରମୁଜ୍ ଜଳପଥ ଏକପ୍ରକାର ଅଚଳ ହୋଇପଡ଼ିଛି। ଶହ ଶହ ଜାହାଜ ବାହାରେ ଫସି ରହିଛି। ଯାହା ଭାରତ ସମେତ ଅନେକ ଦେଶରେ ଯୋଗାଣ ଅଭାବ ସୃଷ୍ଟି କରିଛି।




