I-PAC ମାମଲାରେ ମମତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଜାଣନ୍ତୁ କ’ଣ କହିଲେ କୋର୍ଟ?

i-pac-ମାମଲାରେ-ମମତାଙ୍କୁ-ସୁପ୍ରିମକୋର୍ଟଙ୍କ-ଝଟକା,-ଜାଣନ୍ତୁ-କ’ଣ-କହିଲେ-କୋର୍ଟ?

ନୂଆଦିଲ୍ଲୀ ୧୮।୩: ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ଟଣା ଓଟରା ମଧ୍ୟରେ ସୁପ୍ରିମକୋର୍ଟ ବୁଧବାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ ଆଇ-ପିଏସି କାର୍ଯ୍ୟାଳୟ ଉପରେ ଚଢଉ କାଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥିତ ହସ୍ତକ୍ଷେପକୁ ନେଇ କଡ଼ା ତାଗିଦ କରିଛନ୍ତି। କୋର୍ଟଙ୍କ ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ୍ ଏନ.ଭି.ଅଞ୍ଜାରିଆଙ୍କ ପୀଠ ଏହି ପରିସ୍ଥିତିକୁ ‘ଅପ୍ରିୟ ପରିସ୍ଥିତି’ ବୋଲି କହିଛନ୍ତି।

ତାଗିଦ କଲେ ସୁପ୍ରିମକୋର୍ଟ
ଶୁଣାଣି କାଳରେ କୋର୍ଟ କଡ଼ା ଟିପ୍ପଣୀ କରି କହିଛନ୍ତି ଯେ ‘ମାମଲା ହେଉଛି ଜଣେ ମୁଖ୍ୟମନ୍ତ୍ରୀ କଥିତ ରୂପେ ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ କରୁଛନ୍ତି ଓ ସେଠାରେ ଚାଲିଥିବା କେନ୍ଦ୍ରତୀୟ ଯାଞ୍ଚ ଏଜେନ୍ସୀଙ୍କ କାମରେ ବାଧା ଦେଉଛନ୍ତି। ଏହାର ସମାଧାନ କ’ଣ? ଆମକୁ ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ କିଛି ନା କିଛି ଆଇନଗତ ଉପାୟ ଖୋଜିବାକୁ ହେବ’। ଏହା ଛଡା କୋର୍ଟ ସଂକେତ ଦେଇଛନ୍ତି ଯେ ସେ ଭବିଷ୍ୟତରେ ଏପରି ଘଟଣାଗୁଡିକୁ ରୋକିବା ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଜିୟର (ଏସଓପି) ତିଆରି କରିପାରନ୍ତି।

କୋର୍ଟରେ କ’ଣ ହେଲା?
କୋର୍ଟ ରୁମ ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଉପସ୍ଥିତ ଓକିଲ ଶ୍ୟାମ ଦିବାନ ଆଜି ଶୁଣାଣି ଟାଳିବାକୁ ଉଦ୍ୟମ କରିଥିଲେ। ତେବେ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆବେଦନ ଉପରେ ଶୁଣାଣି ଟାଳିବାକୁ ପଶ୍ଚିମବଙ୍ଗର ନିବେଦନକୁ ଖାରଜ କରିଦେଇଥିଲେ। ଇଡି ଦ୍ୱାରା ଦାଖଲ କରାଯାଇଥିବା ଆଫିଡେଭିଟ୍ ଉପରେ ଜବାବ ରଖିବାକୁ ଦିବାନ ଆହୁରି ଅଧିକ ସମୟ ମାଗିଥିଲେ। ତେବେ ଇଡି ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟ କାର୍ଯ୍ୟ ବିଳମ୍ବିତ କରିବା ପାଇଁ ଏକ ଚାଲ ବୋଲି କହିଥିଲେ। ଏଣୁ କୋର୍ଟ ଶୁଣାଣି ଜାରି ରଖିବେ ବୋଲି ଘୋଷଣା କରିଥିଲେ।

ଏହାର ଜବାବରେ ଦିବାନ କହିଥିଲେ ଯେ ଯଦି କୋର୍ଟ ଇଡିର ଜବାବକୁ ଅଣଦେଖା କରିବାକୁ ଚାହିଁବେ ତେବେ ଏଥିରେ ମୋର କୌଣସି ଆପତ୍ତି ନାହିଁ। ଏହା ଉପରେ ଜଷ୍ଟିସ୍ ମିଶ୍ର କଡ଼ା ପ୍ରତିକ୍ରିୟା ଦେଇଥିଲେ। କହିଥିଲେ ଆମେ କେଉଁ କଥାକୁ ଅଣଦେଖା କାହିଁକି କରିବୁ? ଆପଣ ଆମକୁ ନିର୍ଦ୍ଦେଶ ଦେଇ ପାରିବେନି। ରେକର୍ଡରେ ରଖା ଯାଇଥିବା ପ୍ରତ୍ୟେକ ଜିନିଷ ଉପରେ ବିଧିବଦ୍ ବିଚାର ହେବ।

ଜାନୁୟାରୀ ୮ ତାରିଖରେ କ’ଣ ହୋଇଥିଲା?
ଏହି ପୁରା ବିବାଦ ଜାନୁୟାରୀ ୮ ତାରିଖ ଦିନ ଇଡି ଦ୍ୱାରା ହୋଇଥିବା ଚଢଉ ସମ୍ପର୍କିତ। ଇଡି କୋଇଲା ଦୁର୍ନୀତି ସମ୍ପର୍କିତ ଏକ ମନିଲଣ୍ଡ୍ରିଂ ମାମଲାରେ ଆଇ-ପିଏସି କାର୍ଯ୍ୟାଳୟ ଓ ଏହାର ମୁଖ୍ୟ ପ୍ରତୀକ ଜୈନଙ୍କ ଘର ଉପରେ ଚଢଉ କରିବାକୁ ପହଞ୍ଚିଥିଲା। ଇଡିର ଏହି ଚଢଉ କାଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଚାନକ ପ୍ରତୀକ ଜୈନଙ୍କ ବାସଭବନରେ ପହଞ୍ଚିବା ସହ ସେଠାରୁ ଏକ ଲାପଟପ, ମୋବାଇଲ ଫୋନ ଓ କେତେକ ଫାଇଲ ନେଇ ଚାଲି ଯାଇଥିଲେ। କେବଳ ଏତିକି ନୁହେଁ ଏହା ପରେ ମୁଖ୍ୟମନ୍ତ୍ରୀ ସଲ୍ଟ ଲେକ୍ ସ୍ଥିତ ଆଇ-ପିଏସି କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ମଧ୍ୟ ଯାଞ୍ଚ ଟିମ୍ କାମରେ ହସ୍ତକ୍ଷେପ କରିଥିଲେ।

Scroll to Top