ନୂଆଦିଲ୍ଲୀ ୧୭।୦୩; ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଥମିବାର ନାଁ ଧରୁନି । ପ୍ରାୟ ପ୍ରତିଦିନ ଉଭୟ ପକ୍ଷରୁ ଆକ୍ରମଣର ରିପୋର୍ଟ ସାମ୍ନାକୁ ଆସୁଛି। ଏହା ମଧ୍ୟରେ ସୋମବାର ରାଜଧାନୀ କାବୁଲରେ ଏକ ବଡ଼ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଏକ ହସ୍ପିଟାଲକୁ ଟାର୍ଗେଟ କରାଯାଇଥିଲା। ଯାହା ଫଳରେ ୪୦୦ ଲୋକଙ୍କ ଜୀବନ ଚାଲିଯାଇଛି। ତାଲିବାନ ସରକାର ଦାବି କରିଛି ଯେ ଏହି ଆକ୍ରମଣ ଗୁଡ଼ିକ ପାକିସ୍ତାନ ଦ୍ୱାରା କରାଯାଇଥିଲା। ଅନ୍ୟପଟେ ପାକିସ୍ତାନ ଏହି ଅଭିଯୋଗ ଗୁଡ଼ିକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଏହି ଆକ୍ରମଣ ପରେ, ଆଫଗାନିସ୍ତାନ କ୍ରିକେଟର ରସିଦ ଖାନ ମଧ୍ୟ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ସେ ସମଗ୍ର ଘଟଣାର ଜାତିସଂଘ ତଦନ୍ତ ଦାବି କରିଛନ୍ତି।
କ୍ରିକେଟର ରସିଦ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଆକ୍ରମଣର ଭିଡିଓ ସେୟାର କରି ସେ ଘଟଣାଗୁଡ଼ିକ ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପାକିସ୍ତାନୀ ବିମାନ ଆକ୍ରମଣ ଯୋଗୁଁ କାବୁଲରେ ବ୍ୟାପକ ପରିମାଣରେ ସାଧାରଣ ଲୋକଙ୍କ ଜୀବନହାନି ହୋଇଛି। ଏହି ଆକ୍ରମଣ ମାଧ୍ୟମରେ, ସାଧାରଣ ଲୋକଙ୍କ ଘର, ଶିକ୍ଷାନୁଷ୍ଠାନ ଏବଂ ଚିକିତ୍ସା ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଛି। ଯାହା ଉଦ୍ଦେଶ୍ୟମୂଳକ ଭାବରେ ହେଉ କିମ୍ବା ଅଜାଣତରେ ଯୁଦ୍ଧ ଅପରାଧ ଗଠନ କରେ।”
I am deeply saddened by the latest reports of civilian casualties as a result of Pakistani airstrikes in Kabul. Targeting civilian homes, educational facilities or medical infrastructure, either intentional or by mistake, is a war crime. The sheer disregard for human lives,… pic.twitter.com/DbFRRh2qAJ
— Rashid Khan (@rashidkhan_19) March 16, 2026
ସେ ଆହୁରି ଲେଖିଛନ୍ତି: “ମାନବ ଜୀବନ ପ୍ରତି ଏପରି ସ୍ପଷ୍ଟ ଅବମାନନା ବିଶେଷକରି ପବିତ୍ର ରମଜାନ ମାସରେ ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଚିନ୍ତାଜନକ। ଏପରି ଆକ୍ରମଣ କେବଳ ବିଭାଜନ ଏବଂ ଘୃଣାକୁ ପ୍ରୋତ୍ସାହିତ କରିବ।” ସେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଜାତିସଂଘ ଏବଂ ଅନ୍ୟାନ୍ୟ ମାନବାଧିକାର ସଂଗଠନଗୁଡ଼ିକୁ ନିବେଦନ କରି କହିଛନ୍ତି ଯେ ସମ୍ପୂର୍ଣ୍ଣ ତଦନ୍ତ କରାଯିବା ଉଚିତ । ଏହି କଷ୍ଟକର ସମୟରେ, ମୁଁ ମୋର ଆଫଗାନ ଭାଇଭଉଣୀମାନଙ୍କ ସହିତ ଏକତାରେ ଠିଆ ହୋଇଛି। ଇନଶା’ଆଲ୍ଲାହ।”
ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଖରାପ
ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ଫେବୃଆରୀ ୨୨ରେ ଆରମ୍ଭ ହୋଇଥିଲା, ଯେତେବେଳେ ପାକିସ୍ତାନ ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ବିମାନ ଆକ୍ରମଣ କରିଥିଲା। ସେବେଠାରୁ ଉଭୟ ପାର୍ଶ୍ୱରୁ ଆକ୍ରମଣ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ଏହି ଆକ୍ରମଣରେ ଉଭୟ ଦେଶର ଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏପରି ବାରମ୍ବାର ସଂଘର୍ଷ ଯୋଗୁଁ ବହୁ ସଂଖ୍ୟକ ଲୋକ ନିଜ ଘର ଛାଡି ପଳାଇବାକୁ ମଧ୍ୟ ବାଧ୍ୟ ହୋଇଛନ୍ତି।
ଅଧିକ ପଢନ୍ତୁ- କାବୁଲ ହସ୍ପିଟାଲରେ ପାକିସ୍ତାନର ଆକ୍ରମଣ, ଏୟାରଷ୍ଟ୍ରାଇକରେ ୪୦୦ ମୃତ : ବଦ୍ଲା ନେବ ତାଲିବାନ




