ରାଷ୍ଟ୍ରପତିଙ୍କୁ ଅସମ୍ମାନ: ପଶ୍ଚିମବଙ୍ଗ ସରକାରଙ୍କ ବ୍ୟବହାରକୁ ନେଇ ତେଜିଲା ରାଜନୀତି

ରାଷ୍ଟ୍ରପତିଙ୍କୁ-ଅସମ୍ମାନ:-ପଶ୍ଚିମବଙ୍ଗ-ସରକାରଙ୍କ-ବ୍ୟବହାରକୁ-ନେଇ-ତେଜିଲା-ରାଜନୀତି

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । ଖୋଦ ରାଷ୍ଟ୍ରପତି ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି  । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ହେବାକୁ ଥିବା ସ୍ଥାନକୁ ପରିବର୍ତ୍ତନ କରି ଦେଇଥିଲେ ପଶ୍ଚିମବଙ୍ଗ ସରକାର । କିନ୍ତୁ ରାଷ୍ଟ୍ରପତି ନିଜେ ପୂର୍ବରୁ ସ୍ଥିରୀକୃତ ସ୍ଥାନକୁ ଯିବା ପରେ, ରାଜ୍ୟ ସରକାର ଏବଂ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଛନ୍ତି । ସ୍ଥାନ କମ୍ ଥିବା କହି କାର୍ଯ୍ୟକ୍ରମକୁ ସ୍ଥାନାନ୍ତର କରିଥିବା ପ୍ରଶାସନକୁ ଆଇନା ଦେଖାଇଛନ୍ତି ରାଷ୍ଟ୍ରପତି । ଯେଉଁ ସ୍ଥାନରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ହେବାକୁ ଥିଲା, ସେଠାରେ ଅଧିକ ଲୋକଙ୍କ ପାଇଁ ଜାଗା କମ୍ ପଡ଼ିବ ବୋଲି କହି ଶେଷ ମୁହୂର୍ତ୍ତରେ ସ୍ଥାନ ପରିବର୍ତ୍ତନ କରାଯାଇଥିଲା । କିନ୍ତୁ ରାଷ୍ଟ୍ରପତି ନିଜେ ସେହି ସ୍ଥାନକୁ ଯାଇ ଦେଖିଥିଲେ ଯେ, ସେଭଳି କିଛି ଅସୁବିଧା ନାହିଁ। ସେଠାରେ ଲକ୍ଷାଧିକ ଲୋକ ଆରାମରେ ଏକାଠି ହୋଇପାରିବେ । ସେହି ସ୍ଥାନରୁ ହିଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟିଏମସି ସରକାରଙ୍କ ଉପରେ ବର୍ଷିଛନ୍ତି ।

ପଶ୍ଚିମବଙ୍ଗରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ‘ହୁଏତ ମମତା ବାନାର୍ଜୀ ମୋ ଉପରେ ରାଗିଛନ୍ତି।’ ରାଷ୍ଟ୍ରପତି ମୁର୍ମୁ ଅନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗର ଦାର୍ଜିଲିଂରେ ପହଞ୍ଚିଥିଲେ। ରାଷ୍ଟ୍ରପତି ମୁର୍ମୁ ପ୍ରଥମେ ଗୋସାଇଁପୁରରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ତା’ପରେ ସିଲିଗୁଡ଼ି ଉପଖଣ୍ଡର ବିଧାନ ନଗରରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନ ନଗରରେ କହିଛନ୍ତି, ‘ଆଜି ଅନ୍ତର୍ଜାତୀୟ ସାନ୍ତାଳ ପରିଷଦର ଏକ ସମ୍ମିଳନୀ ଥିଲା । ଯେତେବେଳେ ମୁଁ ଏଥିରେ (ଗୋସାଇଁପୁରରେ) ଯୋଗ ଦେବା ପରେ ଏଠାକୁ ଆସିଲି ମୋତେ ଲାଗିଲା ଯେ, ଏହି ସମ୍ମିଳନୀ ଏଠାରେ ଅନୁଷ୍ଠିତ ହୋଇଥିଲେ ଭଲ ହୋଇଥାନ୍ତା, କାରଣ ଏହି ଅଞ୍ଚଳ ବହୁତ ବଡ଼।’

ରାଷ୍ଟ୍ରପତି କହିଛନ୍ତି, ପ୍ରଶାସନ ଯେତେବେଳେ ଏହା କଲା ସେତେବେଳେ ସେମାନେ କ’ଣ ଭାବିଥିଲେ ମୁଁ ବୁଝିପାରୁନାହିଁ। ସେମାନେ ମୋତେ କହିଥିଲେ ଯେ, ଏହା ଏକ ଛୋଟ ସ୍ଥାନ। କିନ୍ତୁ ମୁଁ ଭାବୁଛି ପାଞ୍ଚ ଲକ୍ଷ ଲୋକ ଏଠାରେ ସହଜରେ ଏକାଠି ହୋଇପାରିଥାନ୍ତେ। ମୁଁ ବହୁତ ଦୁଃଖିତ ଯେ, ଏଠାକାର ଲୋକମାନେ ସମ୍ମିଳନୀରେ ପହଞ୍ଚି ପାରିଲେ ନାହିଁ । ଏହା ବହୁତ ଦୂରରେ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ‘ହୁଏତ ପ୍ରଶାସନ ଭାବିଥିଲା ଯେ, କେହି ଆସିବେ ନାହିଁ ଏବଂ ରାଷ୍ଟ୍ରପତି ଫେରିଯିବେ। ଯଦି ରାଷ୍ଟ୍ରପତି କୌଣସି ସ୍ଥାନକୁ ଯାଆନ୍ତି, ତେବେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ମଧ୍ୟ ଆସିବା ଉଚିତ। କିନ୍ତୁ ସେ ଆସିଲେ ନାହିଁ। ମୁଁ ମଧ୍ୟ ବେଙ୍ଗଲର ଝିଅ। ମମତା ଦିଦି ମଧ୍ୟ ମୋର ଭଉଣୀ, ମୋର ସାନ ଭଉଣୀ। ମୁଁ ଜାଣିନାହିଁ, ହୁଏତ ସେ ମୋ ଉପରେ ରାଗିଛନ୍ତି।’

ମମତାଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ
ସେପଟେ ରାଷ୍ଟ୍ରପତିଙ୍କ ପ୍ରତି ପଶ୍ଚିମବଙ୍ଗ ସରକାର କରିଥିବା ଅସମ୍ମାନକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପୋଷ୍ଟରେ ଲେଖିଛନ୍ତି , ‘ଏହା ଅତ୍ୟନ୍ତ ଲଜ୍ଜାଜନକ। ଗଣତନ୍ତ୍ର ଏବଂ ଆଦିବାସୀ ସମ୍ପ୍ରଦାୟର ଶକ୍ତିରେ ବିଶ୍ୱାସ କରୁଥିବା ସମସ୍ତ ଲୋକ ଗଭୀର ଆଘାତ ପାଇଛନ୍ତି। ରାଷ୍ଟ୍ରପତି ନିଜେ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି । ତାଙ୍କର ଯନ୍ତ୍ରଣା ଏବଂ ଚିନ୍ତା ସମସ୍ତ ଭାରତୀୟଙ୍କ ହୃଦୟକୁ ଗଭୀର ଦୁଃଖରେ ଭରି ଦେଇଛି। ପଶ୍ଚିମ ବଙ୍ଗର ତୃଣମୂଳ କଂଗ୍ରେସ ସରକାର ସମସ୍ତ ସୀମା ଅତିକ୍ରମ କରିଛି। ସେମାନଙ୍କ ପ୍ରଶାସନ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛି।’ ସେହିଭଳି ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯେତେବେଳେ ରାଜ୍ୟ ସରକାର ରାଷ୍ଟ୍ରପତିଙ୍କୁ ଅସମ୍ମାନ କରେ, ଏହା କୌଣସି ପ୍ରଶାସନିକ ବିଫଳତା ନୁହେଁ, ବରଂ ସାମ୍ବିଧାନିକ ଶାସନ ପଦ୍ଧତିର ଅଧୋଗତିକୁ ଦର୍ଶାଏ ।

This is shameful and unprecedented. Everyone who believes in democracy and the empowerment of tribal communities is disheartened.

The pain and anguish expressed by Rashtrapati Ji, who herself hails from a tribal community, has caused immense sadness in the minds of the people… https://t.co/XGzwMCMFrT

— Narendra Modi (@narendramodi) March 7, 2026

ପାଲଟା ଅଭିଯୋଗ କଲେ ସିଏମ ମମତା
ଅନ୍ୟପକ୍ଷରେ ମମତା ବାନାର୍ଜୀ କହିଛନ୍ତି , ‘ଯେତେବେଳେ ଆଦିବାସୀଙ୍କ ଉପରେ ଅତ୍ୟାଚାର କରାଯାଏ, ଆପଣ (ରାଷ୍ଟ୍ରପତି ମୁର୍ମୁ) କାହିଁକି ପ୍ରତିବାଦ କରନ୍ତି ନାହିଁ ? ଯେତେବେଳେ ଏହା ମଧ୍ୟପ୍ରଦେଶ କିମ୍ବା ଛତିଶଗଡ଼ରେ ହୁଏ, ଆପଣ କାହିଁକି ସ୍ୱର ଉଠାଇବେ ନାହିଁ ? ପ୍ରଥମେ ସେମାନଙ୍କ ପାଇଁ କିଛି କରନ୍ତୁ, ତା’ପରେ କିଛି କୁହନ୍ତୁ। ନିର୍ବାଚନ ସମୟରେ ବିଜେପିର ପରାମର୍ଶରେ ରାଜନୀତି କରନ୍ତୁ ନାହିଁ।’ ସୂଚନାଯୋଗ୍ୟ, ପ୍ରକୃତରେ ରାଷ୍ଟ୍ରପତି ମୁର୍ମୁ ଶନିବାର ଦିନ ପ୍ରଥମେ ଦାର୍ଜିଲିଂର ଗୋସାଇଁପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ତା’ପରେ ସିଲିଗୁଡ଼ି ଉପଖଣ୍ଡର ବିଧାନ ନଗର ଯାଇଥିଲେ। ସେଠାରେ ସେ ବୁଝାଇଥିଲେ ଯେ, ସେ ସେଠାରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହୁଁଥିଲେ, କିନ୍ତୁ ପ୍ରଶାସନ ଅନୁମତି ଦେଇ ନଥିଲା।

Scroll to Top