୧୩ ବର୍ଷରୁ କମ ବୟଷ୍କଙ୍କ ଲାଗି ଆନ୍ଧ୍ରରେ ସୋସିଆଲ ମିଡିଆ ବ୍ୟାନ

୧୩-ବର୍ଷରୁ-କମ-ବୟଷ୍କଙ୍କ-ଲାଗି-ଆନ୍ଧ୍ରରେ-ସୋସିଆଲ-ମିଡିଆ-ବ୍ୟାନ

ଅମରାବତୀ ୭।୩: ଆନ୍ଧ୍ରପ୍ରଦେଶରେ ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ହୋଇଛି। ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାୟଡୁ ଶୁକ୍ରବାର ଏ ନେଇ ଘୋଷଣା କରିଛନ୍ତି। ଏହି କଟକଣା ଆଗାମୀ ୯୦ ଦିନରେ ପର୍ଯ୍ୟାୟକ୍ରମେ ରାଜ୍ୟରେ ଲାଗୁ ହେବ। ନାୟଡୁ କହିଛନ୍ତି ଯେ ରାଜ୍ୟ ସରକାର ଏହି କଟକଣାକୁ ୧୩ରୁ ୧୬ ବର୍ଷ ଆୟୁ ବର୍ଗର କିଶୋର ଓ କିଶୋରୀଙ୍କ ନିମନ୍ତେ ଲାଗୁ କରିବାକୁ ବିଚାର କରୁଛନ୍ତି। ଏଥିରୁ ସଂକେତ ମିଳୁଛି ପରାମର୍ଶ ଓ ନୀତି ସମୀକ୍ଷା ପରେ ପରବର୍ତ୍ତି ଉପାୟ ଅବଲମ୍ବନ କରାଯାଇ ପାରେ।

ଆନ୍ଧ୍ରପ୍ରଦେଶ ସରକାରଙ୍କ ଏହି ଘୋଷଣା କର୍ଣ୍ଣାଟକ ସରକାରଙ୍କ ସମାନ ପଦକ୍ଷେପ ପରେ ନିଆଯାଇଛି, ଯେଉଁଥିରେ ୧୬ ବର୍ଷରୁ କମ ବୟସର ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ହୋଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟା ଶୁକ୍ରବାର ୨୦୨୬-୨୭ ରାଜ୍ୟ ବଜେଟ୍ ଉପସ୍ଥାପନା କାଳରେ ବିଧାନସଭାରେ ଏହି ଘୋଷଣା କରିଥିଲେ। ସିଦ୍ଦାରମୈୟା କହିଥିଲେ ଯେ ପିଲାଙ୍କ ମଧ୍ୟରେ ମୋବାଇଲ ଫୋନର ବଢୁଥିବା ଉପଯୋଗର ନକରାତ୍ମକ ପ୍ରଭାବ କମ୍ କରିବା ଲାଗି ଏହି ପଦକ୍ଷେପ ନିଆଯାଉଛି। ପ୍ରସ୍ତାବିତ କଟକଣା ସହିତ କର୍ଣ୍ଣାଟକ ସରକାର ଶିକ୍ଷା ଓ ଛାତ୍ର କଲ୍ୟାଣ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି।

କର୍ଣ୍ଣାଟକ ସରକାର ଆଗାମୀ ଶିକ୍ଷାବର୍ଷରେ ସ୍କୁଲ ଓ କଲେଜମାନଙ୍କରେ ଖାଲିଥିବା ୧୫ହଜାର ଶିକ୍ଷକ ପଦବୀ ପୂରଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ବଜେଟରେ ସରକାର ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଓ ପ୍ରିୟୁନିଭର୍ସିଟି କଲେଜମାନଙ୍କରେ ନୂଆ ଶ୍ରେଣୀଗୃହ ନିର୍ମାଣ ଓ ମରାମତି କାର୍ଯ୍ୟ ଲାଗି ୫୬୫ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି। ଏହା ଛଡା ବିଦ୍ୟାଳୟମାନଙ୍କରେ ଶୌଚାଳୟ ନିର୍ମାଣ ନିମନ୍ତେ ୭୫ କୋଟି ଟଙ୍କା, ଶିକ୍ଷାନୁଷ୍ଠାନମାନଙ୍କର ଫର୍ଣ୍ଣିଚର କ୍ରୟ ନିମନ୍ତେ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସିଦ୍ଦାରମୈୟା ଘୋଷଣା କରିଛନ୍ତି।

Scroll to Top