ନୂଆଦିଲ୍ଲୀ: ମିସାଇଲ୍ ଓ ଡ୍ରୋନରେ ହମଲା, ଚାରିଆଡ଼େ ହାହାକାର। କାନ୍ଦ ବୋବାଳି ଓ ଚିତ୍କାରରେ ଫାଟି ପଡ଼ୁଛି ପରିବେଶ। ଏମିତି ଦୃଶ୍ୟ ହେଉଛି ଇରାନର। ଇସ୍ରାଏଲ ଓ ଆମେରିକା ମିଶି ଇରାନ ଉପରେ ମିସାଇଲ ମାଡ଼ କରି ଚାଲିଛନ୍ତି। ଦିନ ବିତିବା ସହ ସ୍ଥିତି ଜଟିଳ ହେବାରେ ଲାଗିଛି। ଏମିତି ନୁହେଁ ଯେ, ଇରାନ ଜବାବ ଦେଉନି, କିନ୍ତୁ ତାର ଯେଉଁ କ୍ଷତି ଘଟିଛି ତାର ଭରଣା ପ୍ରତି ଜବାବର ହମଲାରେ ବି ହୋଇ ପାରିବ ନାହିଁ। ଇସ୍ରାଏଲ-ଆମେରିକାର ହମଲାରେ ଇରାନର ମିନାବର ଏକ ପ୍ରାଥମିକ ବିଦ୍ୟାଳୟର ୧୬୫ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ନିରୀହ ପିଲାଙ୍କ ମୃତଦେହ ପୋତିବା ପାଇଁ କବର ଖୋଦା ଯାଇଛି, ଯାହାର ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି।
Also read: ରୁଷ୍ ପାଖରୁ ବଞ୍ଚାଅ, ଇରାନ ଆକ୍ରମଣରୁ ମୁଁ ରକ୍ଷା କରିବି: ମଧ୍ୟପ୍ରାଚ୍ୟକୁ ଜେଲେନସ୍କି ଦେଲେ ପ୍ରସ୍ତାବ
ହମଲାରେ ପ୍ରାଣ ହରାଇଥିବା ଛାତ୍ରୀଙ୍କ ପାଇଁ ଖୋଳା ଯାଇଥିବା କବରର ଫଟୋ ଇରାନର ବୈଦେଶିକ ମନ୍ତ୍ରୀ ସେୟାର କରିଛନ୍ତି। ଏହି ଫଟୋ ଡ୍ରୋନ ଜରିଆରେ ବହୁ ଉଚ୍ଚରୁ ନିଆଯାଇଛି। ଏହି ଫଟୋରେ ପିଲାଙ୍କ ପାଇଁ ଖୋଳା ଯାଇଥିବା କବର ଦେଖିବାକୁ ମିଳିଛି। କବରର ସଂଖ୍ୟା ଏତେ ଅଧିକ ଯେ, ପ୍ରତିଟି ସ୍ଥାନରେ ଗାର ଟଣା ଯାଇ ଜେସିବି ଜରିଆରେ ଖୋଳିବାକୁ ପଡ଼ିଛି। ଏହି ଫଟୋ ଦେଖି କାହାର ମଧ୍ୟ ହୃଦୟ ତରଳିଯିବ।
— Press TV 🔻 (@PressTV) March 2, 2026
ସୂଚନାଯୋଗ୍ୟ, ସ୍କୁଲ ଉପରେ ହୋଇଥିବା ହମଲାରେ ପ୍ରଥମେ ୩୦ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଥିଲା। ପରେ ଏହି ସଂଖ୍ୟା ବଢିବାରେ ଲାଗିଥିଲା। ଅନ୍ତର୍ଜାତୀୟ ମିଡିଆ ଦ୍ଵାରା ଯାଞ୍ଚ ଭିଡିଓରେ ଉଦ୍ଧାରକାରୀ ଦଳକୁ ମାଟି ଅତଡ଼ା ତଳୁ ସନ୍ଧାନ କରିବା, ସ୍କୁଲ ବ୍ୟାଗ କାଢିବା ଏବଂ କାନ୍ଥ ଜଳୁଥିବାର ଚିହ୍ନ ଦେଖିବାକୁ ମିଳିଥିଲା। ଆଉ ମଙ୍ଗଳବାର ୧୬୫ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି ଇରାନ।
Also read: ଏପଟେ ମିସାଇଲ୍ ଆଟାକ୍, ସେପଟେ ଦୋହଲିଲା ମାଟି: ଇରାନ୍ରେ ହେଲାକି ପରମାଣୁ ପରୀକ୍ଷଣ ?
ଏବେ ସମଗ୍ର ଦୁନିଆରେ ଚର୍ଚ୍ଚା ଜୋର ଧରିଛି ଯେ, ବାସ୍ତବରେ ଆମେରିକା କାହାକୁ ଟାର୍ଗେଟ୍ କରିଥିଲା। ଆମେରିକାର ଖବର କାଗଜ ନ୍ୟୁୟର୍କ ଟାଇମ୍ସର କହିବା କଥା ଅନେକ ଭିଡିଓ ଯାଞ୍ଚ କରିବା ଏହା ଜଣା ପଡ଼ିଛି ଯେ, ସ୍କୁଲ ନିକଟରେ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର(ଆଇଆରଜିସି)ର ଏକ ନୌସୈନିକ ଆଡ୍ଡା ଥିଲା। ଏହି ଆଡ୍ଡାରେ ହମଲାର ଦୃଶ୍ୟ ଦେଖିବାକୁ ମିଳିଛି। ଆଇଆରଜିସିକୁ ଲକ୍ଷ୍ୟ କରି ଆମେରିକା ଏୟାର ଷ୍ଟ୍ରାଇକ କରିଥିବା କୁହାଯାଉଛି।




