ମୁମ୍ବାଇ ୦୨।୦୩ : ପୁଣି ଟେଷ୍ଟ ମ୍ୟାଚ୍ ଖେଳିବ ଆଫଗାନିସ୍ତାନ । ୮ ବର୍ଷ ପରେ ପୁଣି ଟେଷ୍ଟ ମ୍ୟାଚ୍ ଖେଳିବ ଆଫଗାନିସ୍ତାନ ଟିମ୍। ୨୦୧୮ରେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲା ଆଫଗାନିସ୍ତାନ । ଏବେ ପୁଣି ୨୦୨୬ରେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି ଆଫଗାନିସ୍ତାନ ଟିମ୍ । ଏନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି ।
— BCCI (@BCCI) March 2, 2026
ବିସିସିଆଇ ଅନୁଯାୟୀ, ଆସନ୍ତା ଜୁନ୍ ମାସରେ ଆଫଗାନିସ୍ତାନ ଟିମ୍ ଭାରତ ଗସ୍ତରେ ଆସିବ । ଏହି ଅବସରେ ସେ ଗୋଟିଏ ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ । ଜୁନ୍ ୬ତାରିଖରେ ପ୍ରଥମ ଟେଷ୍ଟ ଖେଳାଯିବ । ଯାହା ୧୦ ତାରିଖ ଯାଏଁ ଚାଲିବ । ସେହିପରି ଖେଳାଯିବାକୁ ଥିବା ତିନୋଟି ଦିନିକିଆ ମ୍ୟାଚ୍ ମଧ୍ୟରୁ ପ୍ରଥମ ୧୪ ଜୁନ୍, ୨ୟ ମ୍ୟାଚ୍ ୧୭ ଜୁନ୍, ତୃତୀୟ ମ୍ୟାଚ୍ ଜୁନ୍ ୨୦ରେ ଚେନ୍ନାଇରେ ଖେଳାଯିବ ।
ତେବେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିବା ଏକପ୍ରକାର ସ୍ପଷ୍ଟ । କାହିଁକି ନା ବିସିସିଆଇ ପୋଷ୍ଟ କରିଥିବା କାର୍ଯ୍ୟ ସୂଚୀରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କ ଫଟୋ ରହିଛି । ତେଣୁ ରୋ-କୋଙ୍କ ଫ୍ୟାନ୍ସ ପାଇଁ ଏକ ଖୁସି ଖବର । ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବା ନେଇ ଅନେକ କଥା ଆଲୋଚନା ହେଉଛି । ତେଣୁ ବିସିସିଆଇର ଏହି ଟ୍ୱିଟ୍ ସମସ୍ତଙ୍କ ପାଇଁ ଖୁସି ଖବର ବୋଲି ଆଶା କରାଯାଉଛି ।




