ଇସଲାମାବାଦ: ଇସ୍ରାଏଲ୍ ଆମେରିକା ଆକ୍ରମଣରେ ଇରାନ ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସକ ଆନ୍ଦୋଳନ ତୀବ୍ର ହୋଇଛି। ପାକିସ୍ତାନ ସିଆ ବହୁଳ ଅଞ୍ଚଳଗୁଡ଼ିକରେ ହିଂସାତ୍ମକ ସଂଘର୍ଷ,ପୋଡ଼ାଜଳା ଆକ୍ରମଣ ଏବଂ ଆମେରିକା ବିରୋଧୀ ପ୍ରଦର୍ଶନ ଜାରି ରହିଛି। ସୋସିଆଲ୍ ମିଡିଆରେ ଆସୁଥିବା ଭିଡିଓ ଏବଂ ମିଡିଆ ରିପୋର୍ଟ ଅନୁଯାୟୀ,କରାଚୀ ଏବଂ ଲାହୋରରେ ଆମେରିକୀୟ କନସୁଲେଟ୍ ନିକଟରେ ହିଂସା ଘଟିଛି। ଶତାଧିକ ପ୍ରଦର୍ଶନକାରୀ ଏକାଠି ହୋଇ ଆମେରିକା ଦୂତାବାସ ସମ୍ପତ୍ତି ଭଙ୍ଗାରୁଜା କରିବା ସହ ଦୂତାବାସ ପରିସରରେ କିଛି ଅଂଶରେ ନିଆଁ ଲଗାଇ ଦେଇଛନ୍ତି।
ଗିଲଗିଟ-ବାଲ୍ଟିସ୍ତାନର ଉତ୍ତରାଞ୍ଚଳରେ,ପ୍ରଦର୍ଶନକାରୀମାନେ ସ୍କାର୍ଡୁରେ ଥିବା ଏକ ଜାତିସଂଘ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ହିଂସକ ଆନ୍ଦୋଳନରେ ନିକଟସ୍ଥ କୋଠାଗୁଡ଼ିକୁ କ୍ଷତିଗ୍ରସ୍ତ ହୋଇଛି। ଇରାନ ଯୁଦ୍ଧର ଉତ୍ତେଜନା ଦେଶକୁ ବ୍ୟାପିବା ପରେ ପାକିସ୍ତାନର କର୍ତ୍ତୃପକ୍ଷମାନେ କୂଟନୈତିକ ସ୍ଥାନ ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି।
ପାକିସ୍ତାନରେ କେଉଁ ଜାଗାରେ କ’ଣ ଘଟିଛି?
କରାଚୀରେ ଥିବା ଆମେରିକୀୟ ଦୂତାବାସରେ ପ୍ରଦର୍ଶନକାରୀମାନେ ଆଜି ପ୍ରବଳ ହଙ୍ଗା କରିଛନ୍ତି। ଦୂତାବାସ ପରିସରରେ ପ୍ରବେଶ କରି କିଛି ଅଂଶକୁ ଭାଙ୍ଗି ଦେବା ପରେଆନ୍ଦୋଳନକାରୀ ଓ ପୁଲିସତ ସଂଘର୍ଷରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ୬୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି କୁହାଯାଉଛି।
ପାକିସ୍ତାନରେ ଇରାନ ସମର୍ଥିତ ଆନ୍ଦୋଳନ ଲାହୋର,ପେଶାୱର ଏବଂ ଅନ୍ୟାନ୍ୟ ସହରଗୁଡ଼ିକୁ ମଧ୍ୟ ବ୍ୟାପିଛି। ଏହି ସହରଗୁଡ଼ିକରେ ଥିବା ଆମେରିକୀୟ କୂଟନୈତିକ ସ୍ଥାନ ବାହାରେ ଭିଡ଼ ଜମା ହୋଇଥିଲା,ଖାମେନିଙ୍କ ହତ୍ୟା ଉପରେ ୱାଶିଂଟନ ଏବଂ ତେଲ ଅଭିଭକୁ ନିନ୍ଦା କରି ପ୍ରାର୍ଥନା କରାଯାଇଥିଲା ଏବଂ ସ୍ଲୋଗାନ ଦିଆଯାଇଥିଲା।କରାଚୀ ଏବଂ ଲାହୋରରେ କନସୁଲେଟ୍ ନିକଟରେ ପ୍ରତିବାଦ ରିପୋର୍ଟ ହୋଇଥିବାରୁ ଇସଲାମାବାଦରେ ଥିବା ଆମେରିକୀୟ ଦୂତାବାସ ଏକ ସୁରକ୍ଷା ସତର୍କତା ଜାରି କରିଛି।ଭିଡ଼ ଓ ହିଂସକ ଅଞ୍ଚଳରୁ ଆମେରିକୀୟ ନାଗରିକଙ୍କୁ ନ ଯିବାକୁ ପରାମର୍ଶ ଦେବ ସହ ସ୍ଥାନୀୟ ଖବର ଉପରେ ନଜର ରଖିବାକୁ କୁହାଯାଇଛି।
ପଢ଼ନ୍ତୁ- ଇରାନକୁ ୟୁଏଇର ଚେତାବନୀ; ହୋସକୁ ଆସ, ନହେଲେ ପଡ଼ୋଶୀଙ୍କ ପାଖରେ ବି ଏକା ପଡ଼ିଯିବ
ଖାମେନିଙ୍କ ମୃତ୍ୟୁକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶୋଖ ପ୍ରକାଶ କରିଛନ୍ତି। ପାକିସ୍ତାନ ଲୋକ ଓ ସରକାର ଏହି ଦୁଃଖ ସମୟରେ ଇରାନ ସହ ଅଛନ୍ତି ବୋଲି ସେ ଏକ୍ସରେ ପୋଷ୍ଟ କରିଛନ୍ତି। ତେବେ ପାକିସ୍ତାନରେ ଥିବା ଆମେରିକୀୟ ଦୂତାବାସ ଓ ଜାତିସଂଘ ଅଫିସ୍ରେ ଭାଙ୍ଗାରୁଜା ଘଟଣାକୁ ସେ ନିନ୍ଦା କରିବା ସହ ଏହା ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି କହିଛନ୍ତି।




