ଭୁବନେଶ୍ବର ୨୫।୨: ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନ ଭଣ୍ଡାର ଗଣତି ମଣତି ହେବ । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଛତିଶା ନିଯୋଗ ସହିତ ଆଲୋଚନା ହୋଇଛି । ଖୁବ୍ଶୀଘ୍ର ସମୟ ନିର୍ଘଣ୍ଟ ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତି ମଣତି ଆରମ୍ଭ କରିବା ପାଇଁ ଆମେ ଯୋଜନା କରୁଛୁ । ମ୍ୟାନେଜିଂ କମିଟି ଓ ମନ୍ଦିର ପ୍ରଶାସନକୁ ଦାଇତ୍ୱ ଦିଆଯାଇଛି, ସେମାନେ ଛତିଶା ନିଯୋଗ ସହିତ କଥା ହୋଇ ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ କେଉଁ ସମୟରେ କଲେ ଠିକ୍ ହେବ ଏହାପରେ ତାରିଖ ଘୋଷଣା ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ଏ ଖବର ବି ପଢ଼ନ୍ତୁ:- ଡବଲ ଇଞ୍ଜିନ ସରକାର କେବେ ବି ଦୁର୍ନୀତିକୁ ପ୍ରଶ୍ରୟ ଦେବନାହିଁ, ଯେତେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିଲେ ବି ଛଡ଼ାଯିବ ନାହିଁ
ସେପଟେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି ଏସଓପି ନେଇ ମଙ୍ଗଳବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ରତ୍ନ ଅଳଙ୍କାର ଗଣତି ମଣତି ସମୟରେ କେଉଁ ଅଧିକାରୀଙ୍କ କ’ଣ ଦାୟିତ୍ବ ରହିବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ବଣ୍ଟନ କରିଛନ୍ତି । ଏଥିସହିତ ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକରେ ମଧ୍ୟ ରତ୍ନ ଅଳଙ୍କାର ଗଣତି ମଣତି ପ୍ରସଙ୍ଗ ନେଇ ଆଲୋଚନା କରାଯାଇଥିଲା । ଶୁଭ ଦିନ, ବେଳା ଦେଖି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ । ତେବେ ଖୁବ୍ଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବା ପରେ ଗଣତି ମଣତି ପ୍ରସଙ୍ଗରେ ଆଲୋଚନା କରାଯାଇ ତାରିଖ ଓ ଶୁଭ ସମୟ ଧାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ହିଁ ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।




