ନନ୍ଦୋତ୍ସବ ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର, ବଡ଼ଦେଉଳରେ ହେବ ସ୍ୱତନ୍ତ୍ର ନୀତିକାନ୍ତି
Published By : Prameya-News7 Bureau | August 16, 2025 IST

ପୁରୀ ୧୬।୦୮ : ନନ୍ଦୋତ୍ସବ ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର। ଶୁକ୍ରବାର ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ପାଳନ ହେଉଛି ନନ୍ଦୋତ୍ସବ ନୀତି। ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତ ମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ।
ସେହିପରି ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ। ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇ ଆଣି ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମନମୋହନଙ୍କୁ ଓହ୍ଲାଇ ଆଣି ଖଟ ଉପରେ ବିଜେ କରାଇବେ। ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନଅରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ। ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବାର ଆଶଙ୍କା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସମ୍ବନ୍ଧିତ ଖବର







