ପୋଷ କୁକୁର ପାଇଁ ଭାଙ୍ଗିଗଲା ବାହାଘର, ମଣ୍ଡପରୁ ଫେରିଗଲେ ଦୁଇ ପକ୍ଷ

ପୋଷ-କୁକୁର-ପାଇଁ-ଭାଙ୍ଗିଗଲା-ବାହାଘର,-ମଣ୍ଡପରୁ-ଫେରିଗଲେ-ଦୁଇ-ପକ୍ଷ

ନୂଆଦିଲ୍ଲୀ: କନ୍ୟାର ପୋଷ କୁକୁର ପାଇଁ ଭାଙ୍ଗିଗଲା ବାହାଘର। ମଣ୍ଡପରୁ ଫେରିଲେ ଦୁଇ ପକ୍ଷ। ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପୋଷା କୁକୁରକୁ ନେଇ ବର ପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ବିବାଦ ଯୋଗୁ ବିବାହ ବନ୍ଦ କଲେ କନ୍ୟା।

ରିପୋର୍ଟ ଅନୁସାରେ, ବୁଧବାର ଫେତପୁର ଜିଲ୍ଲା ଖଗା କୋତଓ୍ବାଲିର ଏକ ଗେଷ୍ଟ ହାଉସରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ପାଇଁ କନ୍ୟା ପକ୍ଷ ପ୍ରୟାଗରାଜରୁ ଏକ ପ୍ରାଇଭେଟ ବସ୍ ଯୋଗେ ପହଞ୍ଚିଥିଲେ। ସେପଟେ ବର ପକ୍ଷ ପାରମ୍ପରିକ ଭାବରେ ପ୍ରୋସେସନ କରି ପହଞ୍ଚିଥିଲେ। ପ୍ରାରମ୍ଭିକ ଭାବରେ ସବୁ ରୀତିନୀତି ସରିଥିଲା। ବର- କନ୍ୟା ପରସ୍ପରକୁ ବରମାଳା ମଧ୍ୟ ପିନ୍ଧାଇଥିଲେ।

ବର ମିତ୍ କେଶରୱାନି କହିଛନ୍ତି ସେ ଓ ମହିଳା ଜଣକ ପରସ୍ପରକୁ ଭଲ ପାଉଥିଲେ। ସେମାନେ କାନପୁରରେ ଏକ ଆର୍ଯ୍ୟ ସମାଜ ଉତ୍ସବରେ ବିବାହ କରିବାକୁ ପଳାଇଯାଇଥିଲେ। ହେଲେ ଆଲୋଚନା ପରେ କନ୍ୟା ପରିବାର ଆନୁଷ୍ଠାନିକ ଭାବରେ ବିବାହ କରିବାକୁ ରାଜି ହୋଇଥିଲେ। ଏଥିପାଇଁ ଫତେପୁରରେ ଏକ ବଡ଼ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା।

ମାତ୍ର ଭୋର ୪ଟା ସମୟରେ ବେଦୀରେ ଅଳଙ୍କାର ପ୍ରଦାନ ଚାଲିଥିବା ବେଳେ, ନିକଟରେ ବନ୍ଧା ହୋଇଥିବା କନ୍ୟାଙ୍କ କୁକୁରଟି ଭୁକିବାକୁ ଲାଗିଥିଲା। ଏଥିରେ ବିରକ୍ତ ହୋଇଛି ବର ପକ୍ଷର ଜଣେ ଯୁବକ କୁକୁରକୁ ପିଟିଦେଇଥିଲେ। ଯାହାକୁ ତୀବ୍ର ବିରୋଧ କରିଥିଲେ କନ୍ୟା ପରିବାର। ଆଉ ଏଠାରୁ ଆରମ୍ଭ ହୋଇଥିବା ବିବାଦ। ପ୍ରଥମେ ଯୁକ୍ତ ତର୍କ ଆଉ ପରେ ଆରମ୍ଭ ହୋଇଗଲା ହାତାହାତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗଣ୍ଡଗୋଳରେ ଲାଠି ଏବଂ ଚେୟାର ମଧ୍ୟ ବ୍ୟବହାର ହୋଇଥିଲା। ଏହି ଗଣ୍ଡଗୋଳରେ କନ୍ୟାପକ୍ଷର ତିନି ଜଣଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ସେମାନଙ୍କ ଦେହରୁ ରକ୍ତ ବାହାରିଥିଲା। ସେହିଭଳି ବର ପକ୍ଷର ଜଣେ ଦୁଇଜଣ ସଦସ୍ୟ ସାମାନ୍ୟ ଆହତ ହୋଇଥିଲେ। ତେବେ ପୋଲିସ ପହଞ୍ଚିବା ମାତ୍ରେ ଅନେକ ସେଠାରେ ଫେରା ହୋଇଯାଇଥିଲେ। ଖବର ପାଇ ଖାଗା ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବିବାହ ବନ୍ଦ କରିଥିଲେ। ଆହତଙ୍କୁ ପ୍ରୟାଗରାଜ ପଠାଇବା ପୂର୍ବରୁ ଚିକିତ୍ସା କରାଯାଇଥିଲା।

ଏହା ପରେ ଗୁରୁବାର ଉଭୟ ପରିବାର ପୋଲିସ ଷ୍ଟେସନକୁ ପୁଣି ଆସିଥିଲେ। ଯେଉଁଠାରେ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ଆଉ ଏହି ସମୟରେ କନ୍ୟା ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ଆଉ ବିବାହ କରିବାକୁ ଚାହାଁନ୍ତି ନାହିଁ। ଏହା ପରେ, ଉଭୟ ପରିବାରର ବରିଷ୍ଠ ସଦସ୍ୟଙ୍କ ମଧ୍ୟରେ ଏକ ପଞ୍ଚାୟତ ଡକାଯାଇଥିଲା।

ବିବାହ ଉତ୍ସବ ସମୟରେ ଦିଆଯାଇଥିବା ଉପହାର ଏବଂ ଅର୍ଥ ଫେରାଇ ଦିଆଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇ ମାମଲାର ସମାଧାନ କରାଯାଇଥିଲା। ଫଳରେ କୌଣସି ପକ୍ଷ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିନଥିଲେ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହି ଘଟଣା ଏବେ ଅନଲାଇନ୍ରେ ବେଶ୍ ଚର୍ଚ୍ଚାରେ। ଅନେକ ସୋସିଆଲ ମିଡିଆ ୟୁଜର୍ସ ପ୍ରାଣୀଙ୍କ ସୁରକ୍ଷାର ସମର୍ଥନରେ ବାହାରିଥିବାରୁ ଦେଖିବାକୁ ମିଳିଛି।

Scroll to Top