ଆନନ୍ଦପୁରରେ ଚାଲିଥିଲା ବଡ ଖେଳ,ମଉକା ଦେଖି ମାଡିବସିଲା ପୋଲିସ
ଅପରେସନ ସାଇବର କବଚ ଜାଲରେ ଆନନ୍ଦପୁର ଯୁବକ । ସାଇବର ଠକଙ୍କ ଲିଙ୍କ୍ରେ ଖୋଲିଥିଲେ ୩ଟା ଆକାଉଣ୍ଟ । ପ୍ରତିଦିନ କାରବାର ହେଉଥିଲା ଲକ୍ଷ ଲକ୍ଷ ଟଙ୍କା ।
Published By: Suvra – Prameya-News7 Bureau | February 19, 2026 10:39 AM
NEWS7
ଆନନ୍ଦପୁର ୧୯/ ୦୨: ବୟସ ମାତ୍ର ୧୯ ବର୍ଷ । କମ୍ ବୟସରେ ନିଶା ଲାଗିଲା କେମିତି ବିନା ପରିଶ୍ରମରେ ପକେଟ୍କୁ ଆସିବ ଲକ୍ଷ ଲକ୍ଷ ଟଙ୍କା । ଏଥିପାଇଁ ସେ ସାଇବର ଠକଙ୍କ ସହ ଦୋସ୍ତି କଲେ । ସେମାନଙ୍କ ଲିଙ୍କ୍ରେ ନିଜ ନାଁରେ ୨ଟା ବ୍ୟାଙ୍କ ଖାତା ଖୋଲିଥିଲେ । କେବଳ ସେତିକି ନୁହେଁ ମାଆଙ୍କ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟ ବି ସାଇବର ଠକେଇରେ ବ୍ୟବହାର କରୁଥିଲେ । ଏହି ୩ଟି ଆକାଉଣ୍ଟରେ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ । କିନ୍ତୁ ଯୁବକଙ୍କ ଏ ଖେଳ ବେଶୀଦିନ ଚାଲିପାରିଲାନି । ଟେର୍ ପାଇଗଲା ପୋଲିସ । ଆଉ ଉଠାଇ ନେଲା । ଆନନ୍ଦପୁରରୁ ଏମିତି ଜଣେ ସାଇବର ଠକକୁ ବାନ୍ଧିଛି ପୋଲିସ ।ଅପରେସନ ସାଇବର କବଚ ଜାଲରେ ଫସିଯାଇଛନ୍ତି ରାମଚନ୍ଦ୍ରପୁର ଥାନା କୃଷ୍ଣପୁର ଗାଁର ଅବିନାଶ ଜେନା । ଅବିନାଶ ନାଁରେ ଥିଲା ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କର ଆକାଉଣ୍ଟ । ମାଆଙ୍କ ନାଁରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ଆକାଉଣ୍ଟ ମଧ୍ୟ ବ୍ୟବହାର କରୁଥିଲା ଅବିନାଶ । ପ୍ରତିଦିନ ଏଥିରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହେଉଥିଲା । ଘଟଣା ସଂପର୍କରେ ପ୍ରଥମେ ନ୍ୟାସନାଲ ସାଇବର ପୋର୍ଟାଲ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଅପରସେନ ସାଇବର କବଚ । ଆଉ ଜାଲରେ ପଡିଥିଲା ଠକ ଅବିନାଶ ।
ଏବେ ଅବିନାଶର ୩ଟା ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ଅବିନାଶ ନିକଟରୁ ୩ଟି ପାସ୍ ବୁକ୍, ଡେବିଟ୍ କାର୍ଡ,ଆଧାର କାର୍ଡ,ପାନ୍ କାର୍ଡ ,ଦାମୀ ଆଇ ଫୋନ୍ ଜବତ ହୋଇଛି । ଗିରଫ ପରେ ଅବିନାଶକୁ କୋର୍ଟ ଚାଲାଣ କରାଯାଇଛି । ଡିଜିଟାଲ ଡକାୟତିରେ ଏକା ଅବିନାଶ ନା ଆଉ କିଏ ସାମିଲ ଅଛନ୍ତି ତାର ଖୋଳତାଡ ଚଲାଇଛି ପୋଲିସ ।ପୁରା ଘଟଣା ସଂପର୍କରେ ପ୍ରେସମିଟ୍ରେ ଖୁଲାସା କରିଛନ୍ତି ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡା । ଏବେ ରାଜ୍ୟରେ ଧିରେ ଧିରେ ବଢିବାରେ ଲାଗିଛି ସାଇବର କ୍ରାଇମ। ସାଇବର କ୍ରିମିନାଲଙ୍କୁ ଶତ ପ୍ରତିଶତ ଠାବ କରିବାରେ ସଫଳ ହୋଇପାରୁନି ପୋଲିସ । କେତେବେଳେ ଅନ୍ଲାଇନ ପେମେଣ୍ଟ କରି ତ ଆଉ କେତେବେଳେ ଟିଣ୍ଡର ହ୍ବାଟ୍ସଆପ୍ ଭଳି ବିଭିନ୍ନ ଆପ୍ ବ୍ୟବହାର କରି ଚୁନା ଲଗାଉଛନ୍ତି । ବରିଷ୍ଠ ନାଗରିକ ମଧ୍ୟ ଡିଜିଟାଲ ଆରେଷ୍ଟର ଶିକାର ହେଉଛନ୍ତି ।
ଆହୁରି ପଢନ୍ତୁ ମାନିବାକୁ ପଡ଼ିବ ଚୋରର ସାହାସ ! ପୋଲିସ ବାବୁଙ୍କ ଘରୁ ଲୁଟିନେଲେ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର




