ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଦେଉଥିବା ‘ସ୍ତ୍ରୀ ଶକ୍ତି’ ଯୋଜନା ଘୋଷଣା କଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ। ଶୁକ୍ରବାର ଅମରାବତୀରେ ଏନଡିଏ ନେତାଙ୍କ ଉପସ୍ଥିତିରେ ‘ସ୍ତ୍ରୀ ଶକ୍ତି’ ଯୋଜନାର ଶୁଭାରମ୍ଭ କରିଛନ୍ତି ଚନ୍ଦ୍ରବାବୁ। ସ୍ତ୍ରୀ ଶକ୍ତି ଯୋଜନାରେ, ଆନ୍ଧ୍ର ପ୍ରଦେଶର ଅଧିବାସୀ ମାନ୍ୟତା ଥିବା ସମସ୍ତ ଝିଅ, ମହିଳା ଏବଂ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ରାଜ୍ୟର ଯେକୌଣସି ସ୍ଥାନରେ ବସରେ ମାଗଣା ଯାତ୍ରା କରିପାରିବେ।
ଯୋଜନା ଘୋଷଣା କଲା ବେଳେ ମୁଖ୍ୟମନ୍ତ୍ରୀ ନାଇଡୁ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏବଂ ଆଇଟି ମନ୍ତ୍ରୀ ନାରା ଲୋକେଶ ମହିଳାମାନଙ୍କ ସହିତ ଏକ ବସରେ ଯାତ୍ରା କରିଥିଲେ। ଗୁଣ୍ଟୁର ଜିଲ୍ଲା ତେଡାପଲ୍ଲୀ ଗାଁରେ ଦେଇ ବସ୍ ଟି ଯିବା ବେଳେ ଶତାଧିକ ଲୋକ ଏକତ୍ରିତ ହୋଇ ନେତାମାନଙ୍କୁ ଉତ୍ସାହିତ କରିଥିଲେ।
ରିପୋର୍ଟ ଅନୁସାରେ, ଏହି ଯୋଜନା ଦ୍ୱାରା ଲୋକମାନେ ପାଞ୍ଚଟି ବର୍ଗରେ ରାଜ୍ୟ ସାରା ଯାତ୍ରା କରିପାରିବେ, ଯେପରିକି ପାଲିଲେଭଲୁଗୁ, ଅଲ୍ଟ୍ରା ପାଲିଲେଭଲୁଗୁ, ସିଟି ଅର୍ଡିନାରୀ, ମେଟ୍ରୋ ଏକ୍ସପ୍ରେସ୍ ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (APSRTC) ବସ୍ ସେବାର ଏକ୍ସପ୍ରେସ୍ ସେବାରେ ମହିଳାମାନେ ମାଗଣା ଯାତ୍ରା କରିପାରିବେ। ଏହି ଯୋଜନା ପ୍ରାୟ ୨.୬୨ କୋଟି ଆନ୍ଧ୍ର ମହିଳା ଉପକୃତ ହେବେ ବୋଲି ଆଶା କରାଯାଉଛି।
ଆନ୍ଧ୍ରରେ APSRTC ଅଧୀନରେ ମୋଟ ୧୧,୪୪୯ ବସ୍ ଚାଲୁଛି। ଯେଉଁଥିରୁ ୭୪ ପ୍ରତିଶତ ବସ୍ ସ୍ତ୍ରୀ ଶକ୍ତି ଅଧୀନରେ ଝିଅ, ମହିଳା ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ଯାତ୍ରା ପାଇଁ ଖୋଲା ରହିବ। ୨୦୨୪ ନିର୍ବାଚନ ପୂର୍ବରୁ ନାଇଡୁ ଆନ୍ଧ୍ର ଲୋକଙ୍କୁ ଯେଉଁ ‘ସୁପର ସିକ୍ସ’ ପ୍ରତିଶ୍ରୁତି ଦେଇଥିଲେ ଏହି ମାଗଣା ବସ୍ ସେବା ତା ମଧ୍ୟରୁ ଗୋଟିଏ।
ଅନ୍ୟାନ୍ୟ ‘ସୁପର ସିକ୍ସ’ ପ୍ରତିଶ୍ରୁତି ମଧ୍ୟରେ ୧୯ ରୁ ୫୯ ବର୍ଷ ବୟସ ବର୍ଗର ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ସହାୟତା, ଯୁବକ ଯୁବତୀଙ୍କ ପାଇଁ ୨୦ ଲକ୍ଷ ଚାକିରି କିମ୍ବା ମାସିକ ୩,୦୦୦ ଟଙ୍କା ବେକାରୀ ଭତ୍ତା ଏବଂ ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା, ପ୍ରତି ସ୍କୁଲ ଯାଉଥିବା ପ୍ରତ୍ୟେକ ପିଲାଙ୍କୁ ବାର୍ଷିକ ୧୫,୦୦୦ ଟଙ୍କା (ଟଲ୍ଲିକି ବନ୍ଦନମ୍), ପ୍ରତ୍ୟେକ ପରିବାରକୁ ତିନୋଟି ମାଗଣା ଗ୍ୟାସ୍ ସିଲିଣ୍ଡର (ଦୀପମ୍ – ୨) ଏବଂ ପ୍ରତ୍ୟେକ ଚାଷୀଙ୍କୁ ବାର୍ଷିକ ୨୦,୦୦୦ ଟଙ୍କା ଆର୍ଥିକ ସହାୟତା (ଅନ୍ନଦାତା ସୁଖିଭାବ) ଆଦି ରହିଛି।




