ଗୌହାଟୀ ୧୬।୨: ଆସାମ କଂଗ୍ରେସକୁ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଝଟକା ଦେଇ ପୂର୍ବତନ ଆସାମ ପ୍ରଦେଶ କଂଗ୍ରେସ କମିଟି (ଏପିସିସି) ଅଧ୍ୟକ୍ଷ ଭୂପେନ ବୋରା ସୋମବାର ଇସ୍ତଫା ଦେଇଛନ୍ତି। ସେ ସକାଳ ପାଖାପାଖି ୮ଟା ବେଳେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଏଥିରେ ପାର୍ଟି ନେତୃତ୍ୱ ତାଙ୍କୁ ଅଣଦେଖା କରୁଥିବା ଓ ରାଜ୍ୟ ୟୁନିଟରେ ତାଙ୍କୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରିଛନ୍ତି।
ବୋରା ତାଙ୍କ ଇସ୍ତଫା ପୁଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ଜାତୀୟ ନେତୃତ୍ୱଙ୍କୁ ତାଙ୍କର ଇସ୍ତଫା ପଠାଇ ଦେଇଛନ୍ତି। ଏହା ମୋ ଆତ୍ମ ସମ୍ମାନର ପ୍ରଶ୍ନ ଓ ମୁଁ କେନ୍ଦ୍ରୀୟ କମିଟି ନେତାଙ୍କୁ ସମସ୍ତ ସୂଚନା ଦେଇଛି ବୋଲି ସେ କହିଛନ୍ତି। ଏବେ ଯାହାବି କହିବା କଥା ମୁଁ ଆପଣଙ୍କୁ ଜଣାଇବି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ସେ ପାର୍ଟିର ଅନ୍ତରୀଣ ସଙ୍ଗଠନାତ୍ମକ ପ୍ରସଙ୍ଗ ଉଲ୍ଲେଖ କରି ପାର୍ଟି ଏବେ ଭ୍ରମରେ ଥିବା କହିଛନ୍ତି। ସେ ନେତୃତ୍ୱ ଓ ପାର୍ଟି ଦାୟିତ୍ୱରେ ନିଷ୍ପତ୍ତି ନେବା ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଇସ୍ତଫା କୌଣସି ବ୍ୟକ୍ତି ବିଶେଷଙ୍କ ବିରୋଧରେ ନୁହେଁ ଓ ଏହା ବ୍ୟକ୍ତିଗତ କାରଣରୁ ମଧ୍ୟ ନୁହେଁ।
ବୋରା ସ୍ପଷ୍ଟ ରୂପେ କହିଛନ୍ତି ଯେ ସେ ରାଜନୀତି ଛାଡିବା ଉଦ୍ଦେଶ୍ୟରେ ନାହାନ୍ତି ଓ ଏବେ ସେ ଆଉ ଅଧିକ କିଛି କହିବାକୁ ଚାହୁଁନଥିବା କହିଛନ୍ତି। ତେବେ ସେ କହିଛନ୍ତି ଯେ ମୁଁ କଂଗ୍ରେସ ଲାଗି ଦୀର୍ଘ ୩୨ ବର୍ଷ ହେଲା କାମ କରିଆସୁଛି, ଓ ମୁଁ ପାର୍ଟିର ଭବିଷ୍ୟତକୁ ନେଇ ଚିନ୍ତିତ। ମୁଁ ହାଇକମାଣ୍ଡଙ୍କୁ ଲେଖିଥିବା ଇସ୍ତଫାରେ ନିଜର କାରଣ ବିସ୍ତୃତ ଭାବେ ବର୍ଣ୍ଣନା କରିଛି। ସେହିପରି ଅନ୍ୟ ରାଜନୈତିକ ଦଳରେ ଯୋଗ ଦେବା ସମ୍ପର୍କରେ ପଚରା ଯିବାରେ ବୋରା କହିଛନ୍ତି ଯେ ଏ ପର୍ଯ୍ୟନ୍ତ ତାଙ୍କୁ କୌଣସି ପାର୍ଟିରୁ ପ୍ରସ୍ତାବ ମିଳି ନାହିଁ। ତେବେ ମୋର ସମର୍ଥକ ଓ ଶୁଭ ଚିନ୍ତକଙ୍କ ସହ ପରାମର୍ଶ କରିବା ପରେ ଭବିଷ୍ୟତର କାର୍ଯ୍ୟପନ୍ଥା ଅବଲମ୍ବନ କରିବେ ବୋଲି କହିଛନ୍ତି।
ଏହା ବି ପଢନ୍ତୁ :-କଂଗ୍ରେସ ଉପରେ ଗର୍ଜିଲେ କିରେନ ରିଜିଜୁ, କହିଲେ- ଗୃହର ସୁଚାରୁ ସଞ୍ଚାଳନ ଚାହୁଁ ନାହାନ୍ତି ରାହୁଲ ଗାନ୍ଧି




