ଦେଶରେ ‘ନିପାହ’ ଭାଇରସ ସଂକ୍ରମଣରେ ପ୍ରଥମ ମୃତ୍ୟୁ, ନର୍ସଙ୍କ ଜୀବନ ବଞ୍ଚାଇ ପାରିଲେନି ଡାକ୍ତର

ଦେଶରେ-‘ନିପାହ’-ଭାଇରସ-ସଂକ୍ରମଣରେ-ପ୍ରଥମ-ମୃତ୍ୟୁ,-ନର୍ସଙ୍କ-ଜୀବନ-ବଞ୍ଚାଇ-ପାରିଲେନି-ଡାକ୍ତର

କୋଲକାତା ୧୨।୨: ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଜିଲ୍ଲା ବାରାସାତ ସ୍ଥିତ ଏକ ଘରୋଇ ହସ୍ପିଟାଲରୁ ଚିନ୍ତାଜନକ ଖବର ସାମ୍ନାକୁ ଆସୁଛି। ଏଠାରେ ନିପାହ ଭାଇରସ ସଂକ୍ରମଣ ଯୋଗୁ ଜଣେ ୨୫ ବର୍ଷ ବୟଷ୍କା ନର୍ସଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ରେକର୍ଡ ଅନୁସାରେ ଏହା ପ୍ରଥମ ନିପାହ ସମ୍ପର୍କିତ ମୃତ୍ୟୁ ବୋଲି କୁହାଯାଇଛି। ଏଣୁ ସ୍ୱାସ୍ଥ୍ୟ ମହକମାରେ ନିପାହ ସଂକ୍ରମଣକୁ ନେଇ ସତର୍କତା ବଢାଇ ଦିଆଯାଇଛି। ହସ୍ପିଟାଲ ସୂତ୍ର ଅନୁସାରେ ନର୍ସଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ କିଛିଦିନ ହେଲା ଜଟିଳ ଥିଲା। ଯଦିଓ ତାଙ୍କ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଥିଲା ହେଲେ ଶାରୀରିକ ସ୍ୱାସ୍ଥ୍ୟରେ ସୁଧାର ଆସିନଥିଲା।

ଅସୁସ୍ଥ ନର୍ସଙ୍କୁ ଦୀର୍ଘ ସମୟ ଧରି କ୍ରିଟିକାଲ କେୟାର ୟୁନିଟ୍ ରେ ରଖା ଯାଇଥିଲା। ସ୍ୱାସ୍ଥ୍ୟ ବିଗିଡିବାରୁ ବୁଧବାର ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା। ତେବେ ଗୁରୁବାର ଅପରାହ୍ନ ୪ଟା ବେଳେ ତାଙ୍କର ମୃତ୍ୟୁ ହୋଇଛି। ଏହି ହସ୍ପିଟାଲର ୨ ଜଣ ନର୍ସିଂ ଷ୍ଟାଫଙ୍କଠାରେ ନିପାହ ଭାଇରସ ପୁଷ୍ଟି ହୋଇଥିଲା। ଦୁଇଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କିର ଚିକିତ୍ସା ଆରମ୍ଭ କରାଯାଇଥିଲା। ତେବେ ଜାନୁୟାରୀରେ ନିପାହ ଭାଇରସ ଦ୍ୱାରା ଆକ୍ରାନ୍ତ ଜନୈକ ପୁରୁଷ ନର୍ସ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଥିଲେ। ହେଲେ ମହିଳା ନର୍ସଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତାର ଜଟିଳ ରହିଥିଲା।

ନିପାହ ଭାଇରସ ବ୍ୟକ୍ତିରୁ ବ୍ୟକ୍ତିଙ୍କୁ ବ୍ୟାପିବାର କ୍ଷମତା ରଖେ। ଖାସ କରି ସଂକ୍ରମିତ ଲୋକଙ୍କ ତରଳ ପଦାର୍ଥରୁ ଏହା ସଂକ୍ରମଣ କରିଥାଏ। ସଂକ୍ରମଣ ଆଶଙ୍କାରେ ଅତୀତରେ କେତେକ ଏସିୟ ଦେଶ ବିମାନ ବନ୍ଦରରେ ନଜର କଡ଼ାକଡି କରିଥିଲେ। କାରଣ ଏହି ଭାଇରସ ସୀମା ପାର କରି ମଧ୍ୟ ବ୍ୟାପିପାରେ। ନିପାହ ଏକ ଜୁନୋଟିକ୍ ଭାଇରାସ ଅର୍ଥାତ ଏହା ପଶୁଙ୍କଠାରୁ ମନୁଷ୍ୟଙ୍କୁ ବ୍ୟାପିପାରେ। ଫଳ ଖାଉଥିବା ବାଦୁଡି ଏହି ସଂକ୍ରମଣର ମୁଖ୍ୟ ସ୍ରୋତ। ସଂକ୍ରମିତ ବ୍ୟକ୍ତିଙ୍କ ନିକଟ ସମ୍ପର୍କ ଯୋଗୁ ଏହି ରୋଗ ସଂକ୍ରମିତ ହୋଇପାରେ। ତେବେ ଏହା କୋଭିଡ-୧୯ ଭଳି ଦ୍ରୁତ ପ୍ରସାର ହୁଏ ନାହିଁ।

ସଂକ୍ରମଣର ପ୍ରଭାବ ୪ରୁ ୨୧ ଦିନ ମଧ୍ୟରେ ଦେଖାଯାଏ। ପ୍ରାରମ୍ଭିକ ଲକ୍ଷଣରେ ଜ୍ୱର, ମୁଣ୍ଡ ବିନ୍ଧା ଓ ଖାସ ହୁଏ, ଯାହା ପରେ ନିମୋନିଆ କିମ୍ବା ଏନସେଫାଲାଇଟସ୍ ରୂପ ନେଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ନିପାହ ଭାଇରସ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଏ। ଗୁରୁତର ମାମଲାରେ ରୋଗୀଙ୍କୁ ବାତ ମାରେ ଓ କୋମା ପରିସ୍ଥିତି ହୋଇପାରେ। ଏହି ଭାଇରସ ସଂକ୍ରମଣ ଯୋଗୁ ମୃତ୍ୟୁହାର ୪୦ରୁ ୭୫% ପର୍ଯ୍ୟନ୍ତ ଥାଏ। ଏଣୁ ଏହା ଅତ୍ୟନ୍ତ ବିପଦଜନକ ବୋଲି ବିଶେଷଜ୍ଞ କହିଛନ୍ତି।

ଏହା ବି ପଢନ୍ତୁ :-‘ସୁବର୍ଣ୍ଣ ଯୁଗର ଅନ୍ତ’: ଆଉ ନାହାନ୍ତି ଦୁରଦର୍ଶନ ଟିଭି ଉପସ୍ଥାପିକା ସରଳା ମାହେଶ୍ୱରୀ

Scroll to Top