ସାର୍ବଜନିକ ହେଲା ଜେଫ୍ରି ଏପଷ୍ଟିନ ଓ ଅନିଲ ଅମ୍ବାନୀଙ୍କ ଆଳାପ, ଉଦ୍ୟୋଗ ଜଗତରେ ହଲଚଲ

ସାର୍ବଜନିକ-ହେଲା-ଜେଫ୍ରି-ଏପଷ୍ଟିନ-ଓ-ଅନିଲ-ଅମ୍ବାନୀଙ୍କ-ଆଳାପ,-ଉଦ୍ୟୋଗ-ଜଗତରେ-ହଲଚଲ

ନୂଆଦିଲ୍ଲୀ ୮।୨: ଭାରତୀୟ ଉଦ୍ୟୋଗ ଓ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି ଏପଷ୍ଟିନ ଫାଇଲ। ଏଥିରେ ଏବେ ଜେଫ୍ରି ଏପଷ୍ଟିନ ଓ ଅନିଲ ଅମ୍ବାନୀଙ୍କ ସମ୍ପର୍କ ଉପରେ ବ୍ଲୁମବର୍ଗରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଆମେରିକା ନ୍ୟାୟ ବିଭାଗର ରେକର୍ଡ ଅନୁସାରେ ଏହି ଦୁଇ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ୨୦୧୭ରୁ ୧୯ ମସିହା ପର୍ଯ୍ୟନ୍ତ ଏକ ଦୀର୍ଘ ବାର୍ତ୍ତା ଜାରି ଥିଲା। ଏହି କଥୋପକଥନରେ ନା କେବଳ ଅନ୍ତର୍ଜାତୀୟ ବାଣିଜ୍ୟିକ ସମ୍ଭାବନା ଉପରେ ଗହନ ଚର୍ଚ୍ଚା ହୋଇଥିଲା ବରଂ ଏପଷ୍ଟିନ ଅମ୍ବାନୀଙ୍କ କେତେକ ବ୍ୟକ୍ତିଗତ ପରାମର୍ଶ ମଧ୍ୟ ଦେଇଥିଲେ। ଏହି ରହସ୍ୟ ଉଦଘାଟନ ଅନିଲ ଅମ୍ବାନୀଙ୍କ ସାର୍ବଜନିକ ଛବି ନିମନ୍ତେ ନୂଆ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଏବେ ଆଶଙ୍କା କରାଯାଉଛି।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଅନିଲ ଅମ୍ବାନୀ ଓ ଜେଫ୍ରି ଏପଷ୍ଟିନଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିଲା। ଏଥିରେ ଏପଷ୍ଟିନ ଜଣେ ଡେଙ୍ଗୀ, ଗୋରି ସ୍ୱିଡିସ ଯୁବତୀଙ୍କ ପ୍ରସ୍ତାବ ଦେଇଥିଲେ ଓ ଅମ୍ବାନୀ ତାଙ୍କୁ ତୁରନ୍ତ ଯୋଗାଡ କରିବାକୁ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ପତ୍ରାଚାର ରେକର୍ଡ ଅନୁସାରେ ୨୦୧୭ ମସିହାରେ ଏହି ଦୁଇ ଦିଗ୍ଗଜ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ରେ ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ ଆଲୋଚନା ନିମନ୍ତେ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିଥିଲେ। ତେବେ ସମୟ ଓ ଉଚିତ ସ୍ଥାନର ସଠିକ ତାଳମେଳ ଅଭାବରୁ ଏହା ସଫଳ ହୋଇ ପାରିନଥିଲା। ଏହା ପରେ ୨୦୧୮ ମସିହା ବୈଶ୍ୱିକ ଆର୍ଥିକ ମଞ୍ଚ ରେ ଦୁଇ ଜଣଙ୍କୁ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତିଗତ ବୟାନର ବିଶ୍ଲେଷଣ କରୁଥିବା ଦେଖା ଯାଇଥିଲେ।

ଏହା ପରେ ୨୦୧୯ ମସିହାରେ ଯେବେ ଅମ୍ବାନୀ ନ୍ୟୁୟର୍କ ଯାତ୍ରାରେ ଥିଲେ ସେତେବେଳେ ଏପଷ୍ଟିନଙ୍କ ମେନହଟ୍ଟନସ୍ଥିତ ଘରେ ସେମାନଙ୍କ ଔପଚାରିକ ସାକ୍ଷାତ ହୋଇଥିଲା। ଏପଷ୍ଟିନ ଓ ଅମ୍ବାନୀଙ୍କ ବାର୍ତ୍ତାରୁ ସେମାନଙ୍କ ମହିଳା ପସନ୍ଦ ନେଇ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି। ଏପଷ୍ଟିନ ଯେତେବେଳେ ଅମ୍ବାନୀଙ୍କୁ ତାଙ୍କ ବ୍ୟକ୍ତିଗତ ଋଚି ସମ୍ପର୍କରେ ପଚାରିଥିଲେ ସେତେବେଳେ ଅମ୍ବାନୀ ହଲିଉଡ ତାରକାଙ୍କ ଉଦାହରଣ ଦେଇ ସ୍କାରଲେଟ ଜୋହାନସନଙ୍କ ନାମ ନେଇଥିଲେ। ଏହାର ଜବାବରେ ଏପଷ୍ଟିନ ତାଙ୍କର ବିବାଦସ୍ପଦ ଶୈଳୀରେ ଯୁବତୀଙ୍କ ପ୍ରତି ତାଙ୍କ ବିଶେଷ ଆକର୍ଷଣ ସମ୍ପର୍କରେ କହିଥିଲେ। ବାର୍ତ୍ତାଳାପ ଅନୁସାରେ ଯେବେ ମାର୍ଚ୍ଚ ୨୦୧୭ରେ ଅମ୍ବାନୀଙ୍କୁ ଜଣେ ସ୍ୱୀଡିସ୍ ଯୁବତୀଙ୍କ ନାମ ପରାମର୍ଶ କରାଗଲା ସେ ବ୍ୟବସ୍ଥା କରିବା ପାଇଁ ତୁରନ୍ତ ତାଙ୍କର ସହମତି ଦେଇଥିଲେ।

ରିଲାଏନ୍ସ ସମୂହର ଏବେକା ମୁଖ୍ୟ ୬୬ ବର୍ଷ ବୟଷ୍କ ଅନିଲ ଅମ୍ବାନୀ ଆଜି ତାଙ୍କ ଜୀବନର ସବୁଠୁ କଠିନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି। ତାଙ୍କର ବର୍ତ୍ତମାନ ସ୍ଥିତି ବଡ଼ ଭାଇ ତଥା ଏସିୟାର ପ୍ରମୁଖ ଧନୀ ମୁକେଶ ଅମ୍ବାନୀଙ୍କଠାରୁ ସମ୍ପୂର୍ଣ୍ଣ ବିପରୀତ। ଗତ ୧ ଦଶନ୍ଧୀ ହେଲା ଅନିଲଙ୍କ ବ୍ୟବସାୟ ଭଲ ଚାଲୁ ନଥିବା ବେଳେ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ପାଖାପାଖି ଶୂନ୍ୟ ହୋଇଯାଇଛି। ୨୦୧୯ରେ ଏକ ଆଇନଗତ ସଂକଟ କାଳରେ ବଡଭାଇ ମୁକେଶ ଅମ୍ବାନୀ କୋଟିକୋଟି ଡଲାର ପୈଠ କରି ଅନିଲଙ୍କୁ ଜେଲ ଯିବାରୁ ବଞ୍ଚାଇଥିଲେ। ଅନିଲ ଅମ୍ବାନୀ ଏବେ ସାଢେ ୪ ବିଲିୟନ ଡଲାର ବ୍ୟାଙ୍କ ଠକେଇରେ ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି।

ଏପଷ୍ଟିନ ଓ ଅନୀଲ ଅମ୍ବାନୀଙ୍କ ଏହି ସମ୍ପର୍କ କେବଳ ବ୍ୟକ୍ତିଗତ ବିଳାଶିତା ମଧ୍ୟରେ ସୀମିତ ନଥିଲା ବରଂ ଏହା ବଡ ବାଣିଜ୍ୟିକ ହିତର ଏକ ସଂଯୁକ୍ତ ମଞ୍ଚ ଥିଲା। ଦାଭୋସ ଭଳି ଅନ୍ତର୍ଜାତୀୟ ଆୟୋଜନରେ ଏମାନଙ୍କ ଚର୍ଚ୍ଚା ଏହି ସଂକେତ ଦେଉଛି ଯେ ବିଶ୍ୱର ବଦଳୁଥିବା ଆର୍ଥିକ ନୀତିକୁ ପ୍ରଭାବିତ କରିବା ପାଇଁ ସେମାନେ କିପରି ଉଦ୍ୟମ କରୁଥିଲେ। ଏହି ରହସ୍ୟଉଦଘାଟନ ନା କେବଳ ଅମ୍ବାନୀଙ୍କ ବ୍ୟକ୍ତିଗତ ଜୀବନ ଉପରେ ପ୍ରଶ୍ନ ଉଠାଇଛି ବରଂ ଏହା ବି ଦର୍ଶାଉଛି କିପରି ବୈଶ୍ୱିକ ଫାଇନାନ୍ସର ଦୁନିଆର ବଡ଼ ଉଦ୍ୟୋଗପତିଙ୍କ ସହ ମିଶି ସେମାନେ ନିଜର ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରୁଥିଲେ।

ଏହା ବି ପଢନ୍ତୁ:-ଏପଷ୍ଟିନ୍ ଫାଇଲ୍: ପିଏମ ମୋଦୀଙ୍କ ଇସ୍ରାଏଲ ଗସ୍ତକୁ ନେଇ କରାଯାଇଥିବା ସମସ୍ତ ଦାବିକୁ ଖଣ୍ଡନ କଲେ ଭାରତ ସରକାର

Scroll to Top