ନୂଆଦିଲ୍ଲୀ ୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିୟା ଟ୍ରମ୍ପଙ୍କ ଡକ୍ୟୁମେଣ୍ଟ୍ରି ‘ମେଲାନିୟା: ଟ୍ୱେଣ୍ଟି ଡେଜ୍ ଟୁ ହିଷ୍ଟ୍ରି’ ମୁକ୍ତିଲାଭ କରିଛି। ହେଲେ ଏହି ଡକ୍ୟୁମେଣ୍ଟ୍ରି ଦର୍ଶକଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଛି। ମେଲାନିୟାଙ୍କ ଡକ୍ୟୁମେଣ୍ଟ୍ରିରେ ଜାନୁୟାରୀ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟବାର ରାଷ୍ଟ୍ରପତି ନିର୍ବାଚିତ ହେବାର ଠିକ୍ ୨୦ ଦିନ ପୂର୍ବର କାହାଣୀ ଦର୍ଶାଯାଇଛି। ଏହି ଡକ୍ୟୁମେଣ୍ଟ୍ରି ପାଇଁ ବେଶ୍ ପ୍ରଚାର ପ୍ରସାର ତ ହୋଇଥିଲା, ହେଲେ ଏହି ଫିଲ୍ମ ଦର୍ଶକଙ୍କୁ ସିନେମା ହଲ ପର୍ଯ୍ୟନ୍ତ ଆଣି ପାରୁ ନାହିଁ।
ମେଲାନିୟା ଏହି ଡକ୍ୟୁମେଣ୍ଚ୍ରିର ସହ ପ୍ରଯୋଜିକା। ଏହି ଫିଲ୍ମକୁ ନେଇ କୁହାଯାଇଥିଲା ଯେ ପ୍ରାୟ ସମସ୍ତେ ମୋ କାହାଣୀ ଜାଣିବାକୁ ଚାହାନ୍ତି। ହେଲେ ଆମେରିକାରୁ ବ୍ରିଟେନ ପର୍ଯ୍ୟନ୍ତ ହଲ ଖାଲି ପଡିଛି। ଲଣ୍ଡନ ଇସ୍ଲିଂଟନସ୍ଥିତ ଏକ ଫିଲ୍ମ ହଲରେ ଏହି ଡକ୍ୟୁମେଣ୍ଟ୍ରିର ସ୍କ୍ରିନିଂ ରଖାଯାଇଥିଲା। ଏଥି ଲାଗି ମାତ୍ର ଗୋଟିଏ ଟିକେଟ୍ ବିକ୍ରି ହୋଇଛି। ସେହିପରି ସନ୍ଧ୍ୟା ସୋ ଲାଗି ୨ଟି ଟିକେଟ୍ ବିକ୍ରି ହୋଇଛି।
ଆମେରିକାରେ ମେଲାନିୟାଙ୍କ ଫିଲ୍ମର ବେଶ୍ ପ୍ରଚାର ହୋଇଥିଲା। ହ୍ୱାଇଟ୍ ହାଉସ୍ ରେ ଏହି ଫିଲ୍ମର ପ୍ରିମିୟର ରଖାଯାଇଥିଲା। ବ୍ରିଟେନ ସ୍ତମ୍ବକାର ତଥା ସିନେ ସମୀକ୍ଷକ ଜୁଡିଥ ଉଡସ୍ ଉତ୍ତର ଲଣ୍ଡନର ଏକ ମଲରେ ଏହି ଫିଲ୍ମ ଦେଖିଛନ୍ତି। ଜୁଡିଥ ଉଡସ୍ କହିଛନ୍ତି ଏହି ଫିଲ୍ମକୁ ହଲରେ ମାତ୍ର ୫ ଜଣ ଦର୍ଶକ ଦେଖିଛନ୍ତି। ଏଥିରେ ଜଣେ ମହିଳା ଥଣ୍ଡାରୁ ବର୍ତ୍ତିବା ପାଇଁ ଟିକେଟ୍ ନେଇ ହଲକୁ ଆସିଥିଲେ।
ଆମାଜନ ମେଲାନିୟାଙ୍କ ଫିଲ୍ମର ରାଇଟସ୍ ଓ ମାର୍କେଟିଂ ବାବଦେ ୬୮୭ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା ସତ୍ତ୍ୱେ ମେଲାନିୟାଙ୍କ ଫିଲ୍ମକୁ ଦର୍ଶକ ମିଳୁ ନାହାନ୍ତି। ଜୁଡିଥ ଉଡସ୍ ଙ୍କ ମତରେ ଏହି ଡକ୍ୟୁମେଣ୍ଟ୍ରି ଫିଲ୍ମ ଅପେକ୍ଷା ଉତ୍ତରକୋରିଆ ଷ୍ଟାଇଲର ପ୍ରୋପାଗଣ୍ଡା ଓ ବ୍ରାଣ୍ଡିଂ ଭଳି ଲାଗୁଛି। ଉଡସ୍ କହିଛନ୍ତି ଏହି ଫିଲ୍ମରେ କୌଣସି ଭାବନା ନାହିଁ କେବଳ ଲୋକଦେଖାଣିଆ ଭଳି ଲାଗୁଛି।




