ରେଢାଖୋଲ/ସମ୍ବଲପୁର: ରେଢାଖୋଲର ‘ଭୀମଭୋଇ ଲୋକ ମହୋତ୍ସବ’ କେବଳ ସଂସ୍କୃତି ଓ ଲୋକକଳାର ମଞ୍ଚ ନୁହେଁ ବରଂ ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ପରିଚୟର ଏକ ଜ୍ୱଳନ୍ତ ପ୍ରତିବିମ୍ବ । ଏହି ଉଦ୍ୟମ‘ଭୀମ ମଣ୍ଡଳୀ’ର ଗୌରବମୟ ଇତିହାସ ଏବଂ ସନ୍ଥ କବି ଭୀମ ଭୋଇଙ୍କ ସେହି ମହାନ ମାନବବାଦୀ ଚିନ୍ତାଧାରାକୁ ସାରା ବିଶ୍ୱ ଦରବାରରେ ଉଜାଗର କରିବ । ରେଢାଖୋଲର ଆଧ୍ୟାତ୍ମିକ ପରିଚୟକୁ ସୁଦୃଢ଼ କରିବା ସହ ଏଠାକାର ପର୍ଯ୍ୟଟନକୁ ଏକ ନୂତନ ଦିଶା ଦେବାରେ ସହାୟକ ହେବ ବୋଲି ‘ରେଢାଖୋଲ ଭୀମଭୋଇ ଲୋକ ମହୋତ୍ସବ-୨୦୨୬’ଅବସରରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।
ଶ୍ରୀ ପ୍ରଧାନ ନିଜ ବାର୍ତ୍ତାରେ କହିଛନ୍ତି ରେଢାଖୋଲର ମାଟି ହେଉଛି ଜ୍ଞାନ,ଭକ୍ତି ଏବଂ ସଂସ୍କାରର ମାଟି । ଏହି ମାଟିର ଐତିହ୍ୟ ଅତ୍ୟନ୍ତ ଗୌରବପୂର୍ଣ୍ଣ । ଏହି ଅଞ୍ଚଳର ଭୀମମଣ୍ଡଳୀରେ ୧୦,୦୦୦ ବର୍ଷରୁ ଅଧିକ ବର୍ଷ ତଳର ମାନବ ସଭ୍ୟତାର ଜୀବନ ଚିତ୍ର ଲିପିବଦ୍ଧ ହୋଇ ରହିଛି । ଏହି ମାଟି ହେଉଛି‘ଦୁଇ ଭୀମ’ଙ୍କର ବିଚରଣ ଭୂମି । ଜଣେ ହେଉଛନ୍ତି ପୁରାଣର ମହାବୀର ଭୀମସେନ,ଯିଏ ଶୌର୍ଯ୍ୟ ଓ ନ୍ୟାୟର ପ୍ରତୀକ । ଅନ୍ୟଜଣେ ହେଉଛନ୍ତି ମହାନ ସଂସ୍କାରକ ସନ୍ଥ କବି ଭୀମଭୋଇ । ଜଣେ ଅଧର୍ମ ବିରୁଦ୍ଧରେ ଲଢ଼ିବା ଏବଂ‘ଧର୍ମରାଜ୍ୟ’ପ୍ରତିଷ୍ଠା କରିବା ପାଇଁ ହସି ହସି ବନବାସକୁ ସ୍ୱୀକାର କରିଥିଲେ ।
ଅନ୍ୟଜଣେ ମହିମା ଧର୍ମର ପ୍ରଚାର କରି ଅବହେଳିତ,ବନବାସୀ ଓ ଜନଜାତିଙ୍କ ମଧ୍ୟରେ ସ୍ୱାଭିମାନ ଜାଗ୍ରତ କରିଥିଲେ । ଏହି ଦୁଇ‘ମହାନ ବ୍ୟକ୍ତିତ୍ୱ’ଅନେକ କଷ୍ଟ ସହ୍ୟ କରିଥିଲେ,କିନ୍ତୁ ଲକ୍ଷ୍ୟ ଥିଲା ଗୋଟିଏ – ଲୋକକଲ୍ୟାଣ ଏବଂ ସମାଜରେ ନ୍ୟାୟର ପ୍ରତିଷ୍ଠା । ସେଭଳି ପବିତ୍ର ମାଟିରେ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ତରଫରୁ‘ରେଢାଖୋଲ ଭୀମଭୋଇ ଲୋକ ମହୋତ୍ସବ- ୨୦୨୬‘ର ଶୁଭାରମ୍ଭ ହେବା ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ।
ଶ୍ରୀ ପ୍ରଧାନ ବିଭିନ୍ନ ପ୍ରକଳ୍ପ ଉପରେ ସୂଚନା ଦେଇ କହିଛନ୍ତି ଯେ ନିକଟରେ‘ସୁଶାସନ ଦିବସ’ଅବସରରେ ଅଞ୍ଚଳରେ ୨୪୫ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଯାଇଛି । ଏହି ଅଞ୍ଚଳରେ ସବ୍-ଡିଭିଜନାଲ ହସ୍ପିଟାଲର ନୂତନ ଭବନ ଓ ୨୪ ଘଣ୍ଟିଆ ଜରୁରୀକାଳୀନ ସେବା ପାଇଁ‘ଟ୍ରମା କେୟାର ସେଣ୍ଟର’ପ୍ରତିଷ୍ଠା ହେବାକୁ ଯାଉଛି । ୫୫ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ରେଢାଖୋଲରେ ଏକ ବାଇପାସ ନିର୍ମାଣ ନିମନ୍ତେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଅନୁରୋଧ କରାଯାଇଛି ।
କେବଳ ଏତିକି ନୁହେଁ,ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଏଠାରେ‘ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ’ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ଆଗାମୀ ଶିକ୍ଷାବର୍ଷରୁ ପାଠପଢା ଆରମ୍ଭ ହେବାର ଯୋଜନା ରହିଛି। ନୂଆ କରି ତିଆରି ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆକାଂକ୍ଷା ପୂରଣ କରିବା ଦିଗରେ ପ୍ରସ୍ତୁତ ହୋଇଛି ।‘ଜାତୀୟ ଶିଶୁ କନ୍ୟା ଦିବସ’ଅବସରରେ ଗୌରଚନ୍ଦ୍ର ହାଇସ୍କୁଲ,ରେଢ଼ାଖୋଲରେ ବୋଇଂ ସୁକନ୍ୟା ଷ୍ଟେମ ଲ୍ୟାବ୍ ସ୍ଥାପନା ହୋଇଛି । ଏହି ଲ୍ୟାବରେ ବିଜ୍ଞାନ ସହ ଏରୋସ୍ପେସ୍ ସମ୍ବନ୍ଧୀୟ ଶିକ୍ଷା ଏବଂ ପାଇଲଟ୍ ହେବା ପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯିବ ।
ଏହି ଉଦ୍ୟମ ଆମର ଛାତ୍ରଛାତ୍ରୀ,ବିଶେଷ କରି ଝିଅମାନଙ୍କର ବୈଜ୍ଞାନିକ ଚିନ୍ତାଧାରା ଓ ନବସୃଜନର ନୂତନ ଜ୍ୟୋତି ପ୍ରଜ୍ୱଳିତ କରିବ।‘ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ’ଯୋଜନାରେ ମଧ୍ୟ ରେଢାଖୋଲ ବିଶେଷ ଲାଭାର୍ଥୀ ହୋଇଛି । ସନ୍ଥ କବି ଭୀମ ଭୋଇ କହିଥିଲେ, “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ,ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ।”ତାଙ୍କର ଏହି ମହାନ ବାଣୀ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ‘ସବ୍କା ସାଥ୍,ସବ୍କା ବିକାଶ’ମନ୍ତ୍ରକୁ ପ୍ରେରଣା ଦେଉଛି । ଏହି ସମସ୍ତ ପ୍ରକଳ୍ପ ରେଢାଖୋଲର ଆର୍ଥିକ ଏବଂ ସାମାଜିକ ବିକାଶର ମୂଳଦୁଆକୁ ଆହୁରି ସୁଦୃଢ଼ କରିବ ।
ଛାତ୍ରଛାତ୍ରୀଙ୍କୁ ଆଧୁନିକ ଭାରତର‘ବିଶ୍ୱକର୍ମା’ଭାବେ ସମ୍ବୋଧିତ କରି ମନ୍ତ୍ରୀ ସେମାନଙ୍କୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡା,କୁଦୋପାଲି ଏବଂ ରେଢାଖୋଲର‘ଭୀମ ମଣ୍ଡଳୀ’ପରିଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଐତିହାସିକ ସ୍ଥାନରୁ ପ୍ରେରଣା ନେଇ ଏକ‘ବିକଶିତ ରେଢାଖୋଲ’ଓ‘ବିକଶିତ ଓଡ଼ିଶା’ଗଠନରେ ସାମୂହିକ ସହଯୋଗ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି ।




