କଟକ ୩୦/୦୧: ବର୍ଷକୁ ଯେତିକି ପରିମାଣର ଖଣିଜ ସାମଗ୍ରୀ ଉତ୍ତୋଳନ ପାଇଁ ଲିଜ୍ ନେଇଥିଲେ ସେତିକି ପରିମାଣର ଉତ୍ତୋଳନ କଲେ ନାହିଁ । ଫଳରେ ରାଜ୍ୟ ସରକାର ଏହି ଲିଜ୍ଧାରୀଙ୍କ ଉପରେ ଜରିମାନା କଲେ । କିନ୍ତୁ ସେମାନେ ନା ଜରିମାନା ଦେଲେ ନା ଲିଜ୍ ସର୍ତ୍ତ ପୂରଣ କଲେ । ସରକାରଙ୍କୁ ଏଥିପାଇଁ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଲା । କିନ୍ତୁ ଏଣିକି ଆଉ ଏହି ଖିଲାପୀ ଖଣି ଲିଜ୍ଧାରୀ ଖସିପାରିବେ ନାହିଁ । ଏହି ଲିଜ୍ଧାରୀଙ୍କ ଉପରେ ହାଇକୋର୍ଟ ଛାଟ ବସିଛି । ଚୁକ୍ତି ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମିନେରାଲ୍ କନ୍ସେସନ୍ ରୁଲ୍-୨୦୧୬(୧୨)(ଆଇ)(ଇଇ) ଆଧାରରେ ସଂପୃକ୍ତ ଲିଜ୍ଧାରୀଙ୍କ ଲିଜ୍ ବାତିଲ ସହିତ ସେହି ଖଣି ନିଜ ଅକ୍ତିଆରକୁ ସରକାର ଆଣିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚୁକ୍ତି ଅନୁସାରେ ଲିଜ୍ଧାରୀ ବାର୍ଷିକ କେତେ ପରିମାଣର ଖଣି ଉତ୍ତୋଳନ କରିବେ ଏବଂ କେତେ ପରିମାଣର ଖଣି ବଜାରକୁ ଛାଡ଼ିବେ ତାହା ଧାର୍ଯ୍ୟ କରାଯାଇଥାଏ । ଯଦି ଏହି ଚୁକ୍ତିର କେହି ଉଲ୍ଲଂଘନ କରନ୍ତି ସେମାନଙ୍କୁ ଜରିମାନାର ଡିମାଣ୍ଡ୍ ନୋଟିସ୍ କରାଯାଇଥାଏ ।
ଯଦି ସେମାନେ ନୋଟିସ୍ର କୌଣସି ଜବାବ ନ ରଖନ୍ତି ତାହେଲେ ଉକ୍ତ ଖଣିର ଲିଜ୍କୁ ବାତିଲ୍ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଏପରିକି ରାଜ୍ୟ ସରକାର ଚାହିଁଲେ ନିଜେ ମଧ୍ୟ ଏହିସବୁ ଖଣିକୁ ନିଜ ଅକ୍ତିଆରକୁ ଆଣିପାରିବେ । ନଚେତ୍ କେନ୍ଦ୍ର ସରକାରଙ୍କ ଅଧୀନ ନ୍ୟାସନାଲ୍ ମିନେରାଲ୍ ଡେଭଲପ୍ମେଣ୍ଟ୍ କର୍ପୋରେସନ୍ ଜରିଆରେ ଏହିସବୁ ଖଣି ଚଲାଇ ପାରିବେ ବୋଲି ଉଲ୍ଲେଖ କରିଛନ୍ତି ।
ସିଟିଜେନ୍ ଆକ୍ସନ୍ ଫୋରମ୍ ପକ୍ଷରୁ ଆଗତ ମାମଲାରେ ରାୟ ପ୍ରକାଶ କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି । ମାମଲାର ଶୁଣାଣି ଅବସରରେ ରାଜ୍ୟ ସରକାର ଯେଉଁ ରିପୋର୍ଟ ଦେଇଥିଲେ ତାହା ଅଦାଲତଙ୍କୁ ତାଜୁବ୍ କରିଦେଇଥିଲା । ରିପୋର୍ଟରେ ବିଭିନ୍ନ ଖିଲାପକାରୀ ଖଣିଲିଜ୍ଧାରୀଙ୍କ ଉପରେ ପ୍ରାୟ ୪୧ହଜାର କୋଟି ଟଙ୍କାର ଜରିମାନା ଗଡ଼ି ଆସୁଥିବା ଦର୍ଶାଯାଇଥିଲା ।
ଏନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି । ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଏଭଳି ଲିଜ୍ଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ ଥିଲେ ମଧ୍ୟ ଏହାକୁ ଦୃଢ଼ ଭାବେ ଲାଗୁ କରାଯାଇ ନାହିଁ । ତେଣୁ ସେମାନଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ ।




