କଟକ: ୨୬ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରୀ କଲେ ହାଇକୋର୍ଟ। ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ ବିନା କେତେକ ନିର୍ଦ୍ଧିଷ୍ଟ ସଂସ୍ଥାଙ୍କୁ କାମ ଦେବାର ଯେଉଁ ମସୁଧା ହୋଇଥିଲା, ତା ଉପରେ ଅଦାଲତି ଛାଟ ବାଜିଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଓପେକା ବା ଓଡିଶା ପ୍ରାଇମେରୀ ଏଜୁକେସନ ପ୍ରୋଗ୍ରାମ ଅଥରିଟିର ନିର୍ଦେଶକ ଦେଇଥିବା କାର୍ଯ୍ୟାଦେଶ କାର୍ଯ୍ୟକାରୀ ହୋଇପାରିବନି ବୋଲି କୋର୍ଟ କହିଛନ୍ତି।
ସୁଶ୍ରୀ ସଂଗୀତା ଷଡ଼ଙ୍ଗୀ ଦାୟର କରିଥିବା ମାମଲାରେ ଉଲ୍ଲେଖ କରିଛନ୍ତି ଯେ, ବିଭିନ୍ନ ସ୍କୁଲର ଭିତ୍ତିଭୂମି ସଜାଡ଼ିବା ଲାଗି ଓପେପା ନିର୍ଦେଶକ ପ୍ରାୟ ୨୬ ହଜାର କୋଟି ଟଙ୍କାର କାର୍ଯ୍ୟାଦେଶ ବାଣ୍ଟିଛନ୍ତି। ଯାହା ପୂର୍ବରୁ ବିଭାଗୀୟ ସଚିବ ଏବଂ ପରିଚାଳନା କମିଟିର ଅଧକ୍ଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆବଶ୍ୟକ। କିନ୍ତୁ ସେଭଳି ଅଉପଚାରିକତା ପୂରଣ ନକରି ନିର୍ଦେଶକ ଓପେପା ଏକପାଖିଆ ଭାବେ କେତେକ ନିର୍ଦ୍ଧିଷ୍ଟ ସଂସ୍ଥାଙ୍କୁ ଅନୁଗ୍ରହ ଦେଖାଇଛନ୍ତି, ଯାହା ଆଇନସିଦ୍ଧ ନୁହେଁ। ଏପରି ହେଲେ ଓପେପାରେ କାର୍ଯ୍ୟରତ ଆଉଟସୋର୍ସ କର୍ମଚାରୀ ମାନେ ବୃତ୍ତି ହରାଇବାର ଆଶଙ୍କା ମଧ୍ୟ ରହିଛି।
ତେଣୁ ଏଭଳି ବେଆଇନ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଯାହାର ପ୍ରାରମ୍ଭିକ ଶୁଣାଣି କରି କୋର୍ଟ ସ୍ଥଗିତାଦେଶ ଜାରୀ କରିବା ସହ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଫେବୃଆରୀ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଦିନ ଧାର୍ଯ୍ୟ ହୋଇଛି।




