ବିଶାଳ ପ୍ରାଚୀର ପରି ଜଗିରହିଛନ୍ତି ବଲୁଚ ବିଦ୍ରୋହୀ, ସଫଳ ହେବ କି ‘ମୁନିର-ଟ୍ରମ୍ପ୍‌’ ପ୍ଲାନ୍‌ ?

ବିଶାଳ-ପ୍ରାଚୀର-ପରି-ଜଗିରହିଛନ୍ତି-ବଲୁଚ-ବିଦ୍ରୋହୀ,-ସଫଳ-ହେବ-କି-‘ମୁନିର-ଟ୍ରମ୍ପ୍‌’-ପ୍ଲାନ୍‌-?

ନୂଆଦିଲ୍ଲୀ: ଅଧିକାର… ସ୍ୱତନ୍ତ୍ରତା…ହକ୍‌ ପାଇଁ ଲଢ଼େଇ। ସଶସ୍ତ୍ର ସଂଗ୍ରାମ। ଆତଙ୍କ…ଅପହରଣ..ଆତ୍ମଘାତୀ…। ଅବିଚାର ଓ ଶୋଷଣ ବିରୋଧରେ ସଂଗ୍ରାମ। ଅଧିକାର ବନାମ ବିଚ୍ଛିନ୍ନତା ଲଢ଼େଇରେ ପାକିସ୍ତାନ ପାଇଁ କଣ୍ଟା ବଲୁଚି ବ୍ରିଗେଡ୍‌।ଏବେ ସେହି କଣ୍ଟାକୁ ଶକ୍ତିହୀନ କରିବାକୁ ପାକିସ୍ତାନକୁ ବୋଧ ଦେଉଛି ଆମେରିକା। ମୁନିରଙ୍କ ସାହାଯ୍ୟ ଭିକ୍ଷାକୁ ପୂରଣ କରିଛନ୍ତି ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପ। ବଲୁଚି ବିଦ୍ରୋହୀଙ୍କ ବିରୋଧରେ ଖୋଲିଛନ୍ତି ମୋର୍ଚ୍ଚା କହିଛନ୍ତି ସ୍ୱତନ୍ତ୍ରତା ମାଗୁଥିବା ବଲୁଚି ବିଚ୍ଛିନ୍ନତାବାଦୀ। ବିଶ୍ୱ ଆତଙ୍କୀ ତାଲିକାରେ ‘ବଲୁଚି ବ୍ରିଗେଡ୍‌ ଆତ୍ମଘାତୀ ଟିମ୍‌’। ଫଳରେ ଇସଲାମବାଦ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା BLA ଏବଂ ମାଜିଦ ବ୍ରିଗେଡକୁଙ୍କୁ ଝଟ୍‌କା। ଏହି ଦୁଇ ବିଦ୍ରୋହୀ ଗୋଷ୍ଠୀଙ୍କୁ FTO ଲିଷ୍ଟରେ ରଖିଛି ଓ୍ୱାଶିଂଟନ। 

ବଲୁଚିସ୍ତାନ ଲିବରେସନ ଆର୍ମି (BLA)କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ନେଇ ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। BLAର ସହଯୋଗୀ ‘ଦି ମାଜିଦ ବ୍ରିଗେଡ’କୁ ମଧ୍ୟ କହିଛନ୍ତି ଆତଙ୍କବାଦୀ। ଏହି ନିଷ୍ପତ୍ତି ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପାଇଁ ବିଜୟ । ଗତ କିଛି ଦଶନ୍ଧି ଧରି ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ବିଚ୍ଛିନ୍ନତାବାଦୀ ନିଜର ହକ୍‌ ପାଇଁ ଆନ୍ଦୋଳନ ଚଳାଇ ଆସୁଛନ୍ତି। ପାକିସ୍ତାନ ସରକାର ଏହି ଅଞ୍ଚଳର ଖଣିଜ ସମ୍ପଦକୁ ଶୋଷଣ କରୁଥିବା ଏବଂ ସ୍ଥାନୀୟ ବଲୁଚ ସମ୍ପ୍ରଦାୟ ପ୍ରତି ଭେଦଭାବ କରୁଥିବା ଅଭିଯୋଗ କରୁଛି ଏହି ସଂଗଠନ। କିନ୍ତୁ ସେପଟେ ବଲୁଚ୍ ବିଦ୍ରୋହୀଙ୍କ ବିରୁଦ୍ଧରେ ବିଶ୍ୱ ସ୍ତରରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଆସୁଥିଲେ ମୁନିର। ଆଉ ଏବେ  ଆମେରିକା ରାଷ୍ଟ୍ରପତିଙ୍କୁ ମୁନିର ପ୍ରେମ ଜାଗିଛି।

ପାକିସ୍ତାନ ସିନା କହେ ବଲୁଚିସ୍ତାନ ଆମର, କିନ୍ତୁ ଅତିକ୍ରମ କରିପାରେନାହିଁ ସୀମା । କାହିଁକିନା ବିଶାଳ ପ୍ରାଚୀର ପରି ଜଗିରହିଛନ୍ତି ବଲୁଚି ଲିବରେନ ଆର୍ମି । ଯଦି ପାକ୍‌ ସେନା ଇଞ୍ଚେ ମାଡେ, ଇସଲାମବାଦରେ ହୁଏ ହଲଚଲ। କରାଚୀ ଏୟାରପୋର୍ଟ ହମଲା ହେଉ ଅବା ଟ୍ରେନ ଅପହରଣ… ପାକିସ୍ତାନର ଦାବି ସବୁ ହିଂସାରେ ରହିଛି ବଲୁଚି ବିଦ୍ରୋହୀଙ୍କ ହାତ। ୨୦୧୯ରେ ବିଶ୍ୱ ଆତଙ୍କବାଦୀ ତାଲିକାରେ ଥିବା BLAକୁ ଏବେ ବିଦେଶ ଆତଙ୍କବାଦୀ ସଂଗଠନ ତାଲିକାରେ ରଖିଛି ଆମେରିକା। ତେବେ କଣ ଏହି ବଲୁଚିସ୍ତାନ ଲିବରେସନ ଆର୍ମି। କାହିଁକି କେବେଠୁ ଏହାର ଇସଲାମବାଦ ବିରୋଧୀ ସଂଗ୍ରାମ 

ବଲୁଚ୍ ମୁକ୍ତି ସେନା ହେଉଛି ପାକିସ୍ତାନର ବଲୁଚିସ୍ତାନରେ ଏକ ସଶସ୍ତ୍ର ବିଚ୍ଛିନ୍ନତାବାଦୀ ଗୋଷ୍ଠୀ। ଯାହା ବଲୁଚି ମାନଙ୍କ ପାଇଁ ନିରନ୍ତର ସ୍ୱାଧୀନତା ଦାବି କରୁଛି। ବିଏଲଏ ଗତ କିଛି ଦଶନ୍ଧି ଧରି ଏକ ସ୍ୱାଧୀନ ରାଷ୍ଟ୍ର ‘ବଲୁଚିସ୍ତାନ’ ଦାବି କରି ଆଗକୁ ବଢ଼ି ଚାଲିଛି। ରିପୋର୍ଟ ଅନୁସାରେ, ପାକିସ୍ତାନ ସରକାରଙ୍କ ଦ୍ୱାରା ରାଜନୈତିକ ଏକଛତ୍ରବାଦ, ପକ୍ଷପାତ ଶାସନ, ଆର୍ଥିକ ଶୋଷଣ ଏବଂ ସାମରିକ ଦମନର ବିରୋଧରେ ସୃଷ୍ଟି ହୋଇଛି ବଲୁଚି ଲିବରେସନ୍ ଆର୍ମି। ପାକିସ୍ତାନ BLAକୁ ଏକ ଆତଙ୍କବାଦୀ ସଂଗଠନ ବୋଲି କହିଥାଏ। ଏବେ ଏହି ସଂଗଠନକୁ ବିଦେଶ ଆତଙ୍କୀ ସଂଗଠନ ଘୋଷଣା କରିଛି ଆମେରିକା। କିନ୍ତୁ ବିଶେଷଜ୍ଞଙ୍କ ମତ- BLAର ମୂଳପୋଛ ଅସମ୍ଭବ। କାରଣ ସଂଗଠନର ଚିନ୍ତାଧାରା ଏଠାକାର ନାଗରିକଙ୍କ ସହ ଜଡ଼ିତ। ଅର୍ଥାତ ବଲୁଚିସ୍ତାନ ବାସିନ୍ଦା କୁହନ୍ତି ‘ଆମେ ସ୍ୱାଧୀନ’।

ଜଣେ ଆଦିବାସୀ ନେତାଙ୍କ ମୃତ୍ୟୁ ଏତେ ବଡ଼ ବିଦ୍ରୋହର କାରଣ ସାଜିବ, ବୋଧହୁଏ ଏହା ଜାଣିପାନଥିଲା ଇସଲାମବାଦ। ବଲୁଚରେ ବିରଳ ଖଣିଜ ପଦାର୍ଥ ଥିବାରୁ ପାକିସ୍ତାନର ଲୋଲୁପ ଆଖି ଏଇଠି ହିଁ ପଡ଼ିଥିଲା କିନ୍ତୁ ବିଦ୍ରୋହୀ ଗୋଷ୍ଠୀ ଏତେ ଶକ୍ତିଶାଳୀ ଯେ ଦୀର୍ଘ ୨ ଦଶନ୍ଧି ଧରି ପାକ ସେନା ପାଦେବି ମାଡ଼ିପାରିନି। ଦୃଢ କୂଟନୈତିକ, ଅନ୍ୟ ଦେଶର ସମର୍ଥନ ଏବଂ ସଶସ୍ତ୍ର ବଳ ସହ ଛିଡା ହୋଇଛି ବଲୁଚ ଲିବରେସନ ଆର୍ମି।

୨୦୦୬ ମସିହାର କଥା। ପାକିସ୍ତାନର ତତ୍କାଳୀନ ଏକଛତ୍ରବାଦୀ ଜେନେରାଲ ପରଭେଜ ମୁଶାରଫଙ୍କ ନିର୍ଦ୍ଦେଶରେ ବଲୁଚିସ୍ତାନର ପ୍ରମୁଖ ଆଦିବାସୀ ନେତା ନବାବ ଆକବର ବୁଗତିଙ୍କ କରାଗଲା ହତ୍ୟା। ଆକବର ବୁଗତି କେବଳ ପ୍ରଭାବଶାଳୀ ବୁଗତି ସମ୍ପ୍ରଦାୟର ମୁଖ୍ୟ ନଥିଲେ ବରଂ ବଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ଏହି ହତ୍ୟା କେବଳ ପାକିସ୍ତାନରେ ବିଦ୍ରୋହ ଆଣିନଥିଲା ବରଂ ଏଇଠୁ ପଡିଥିଲା ସୃଷ୍ଟି ବିଏଲଏପ ମୂଳଦୁଆ। BLA ଆଦିବାସୀ ନେତୃତ୍ୱରେ ଆରମ୍ଭ ହୋଇଥିଲା, କିନ୍ତୁ ଆସଲାମ୍ ବଲୁଚ୍ ଏବଂ ବଶିର୍ ଜେବ୍ ଭଳି କମାଣ୍ଡରଙ୍କ ସାମିଲ ଏହାକୁ ଏକ ନୂଆ ରୂପ ଦେଇଥିଲେ। ଆସଲାମ୍ ଏବଂ ଜେବ୍ ବଲୁଚ୍ ଛାତ୍ର ସଂଗଠନ ଆଜାଦର କ୍ୟାଡରରୁ ବାହାରି ପରେ BLAରେ ଯୋଗ ଦେଇଥିଲେ। ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦର ଲହରୀ ସୃଷ୍ଟି କରିଥିଲା। ଏହି ଗୋଷ୍ଠୀ ପାକିସ୍ତାନୀ ସୁରକ୍ଷା ବାହିନୀ, ସରକାରୀ ଭିତ୍ତିଭୂମି ଏବଂ ବେଲୁଚିସ୍ତାନରେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ସହିତ ଜଡିତ ପ୍ରକଳ୍ପଗୁଡ଼ିକୁ ଟାର୍ଗେଟ କରିଛନ୍ତି। କୂଟନୈତିକ ସ୍ତରରେ ବଲୁଚର ସ୍ୱାଧୀନତାକୁ ଭାରତ ବିଶ୍ୱାସ କରେ। ରିପୋର୍ଟ ଅନୁସାରେ ଏହି ଗୋଷ୍ଠୀର ଇରାନ ଏବଂ ଆଫଗାନିସ୍ତାନରେ ନିରାପଦ ଆଶ୍ରୟସ୍ଥଳ ଅଛି। ଆଫଗାନିସ୍ତାନରେ ଆମେରିକା ଛାଡିଥିବା ଅସ୍ତ୍ରଶସ୍ତ୍ର ହାସଲ କରିଛି BLA। ଆଉ ଏହାର କ୍ଷମତା ବୃଦ୍ଧି କରିଛି। 

ପାକିସ୍ତାନ ପାଇଁ ସବୁଠୁ ବଡ଼ ଟେନସନ ମାଜିଦ ବ୍ରିଗେଡ। ଶେହବାଜ ସରକାରଙ୍କ ନାଲିଆଖିକୁ ଏମାନେ ଡରନ୍ତିନି। ସ୍କାନରରେ ରୁହନ୍ତି ପାକ୍‌ ସେନା, ISI ଏଜେଣ୍ଟ ଏବଂ ଏହାର ପ୍ରତିଷ୍ଠାନ। ଆକ୍ରମଣର ସୂଚନା ପାଇବା ମାତ୍ରକେ କରନ୍ତି ଜୋରଦାର ହମଲା। ମଲ୍‌, ରେସ୍ତୋରାଁ, ଜନବହୁଳପୂର୍ଣ୍ଣ ଅଞ୍ଚଳରେ ଘଟାନ୍ତି ଆତ୍ମଘାତୀ ବିସ୍ଫୋରଣ। ଏମାନଙ୍କ ଟ୍ରେନିଂ ଏତେ ସହଜ ନୁହେଁ। ଅନେକ ଭୂରାଜନୈତିକ ବିଶେଷଜ୍ଞଙ୍କ ମତ- ସେନା ଠାରୁ ଅଧିକ କଷ୍ଟକର ମାଜିଦ ବ୍ରିଗେଡ ସଦସ୍ୟଙ୍କ ତାଲିମ୍‌।

୨୦୧୧ରେ ପ୍ରତିଷ୍ଠା ହୋଇଥିଲା ମାଜିଦ ବ୍ରିଗେଡ। ବଲୁଚିସ୍ତାନର ରାଜଧାନୀ କ୍ୱେଟାରେ ଏକ ଅପରେସନ ସମୟରେ ପାକିସ୍ତାନୀ ସେନା ମାଜିଦ୍ ସିନିୟର ଏବଂ ତାଙ୍କ ଭାଇ ମାଜିଦ୍ ଜୁନିଅରଙ୍କୁ ହତ୍ୟା କରିଥିଲା। ଉଭୟ ବଲୁଚି ଲିବରେସନ୍ ଆର୍ମି ସହିତ ଜଡିତ ଥିଲେ। ଉଭୟଙ୍କ ସ୍ମୃତିରେ ବଲୁଚି ଯୋଦ୍ଧାମାନେ ପ୍ରତିଷ୍ଠା କରିଥିଲେ ମାଜିଦ୍ ବ୍ରିଗେଡ୍। ଏହି ବ୍ରିଗେଡ୍‌ରେ ଯୋଗ ଦେଉଥିବା ସଦସ୍ୟମାନେ BLA ଠାରୁ ପୃଥକ ଭାବରେ କାମ କରନ୍ତି। ଏହି ବ୍ରିଗେଡ୍‌ର ସଦସ୍ୟମାନେ ସେମାନଙ୍କ ପରିବାରକୁ ଭେଟିନଥାନ୍ତି। ସେମାନେ ନିଜର ଲକ୍ଷ୍ୟ ନିଜେ ବାଛନ୍ତି। ବ୍ରିଗେଡ୍‌ର ଅଧିକାଂଶ ସଦସ୍ୟ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ। ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଡାଟାବେସ୍ ଅନୁଯାୟୀ, ସଂଗଠନର ୧୫୦ ଟପ୍‌ ଲିଡର୍‌ ଅଛନ୍ତି, ଯେଉଁମାନେ ଭଲ ଭାବରେ ତାଲିମପ୍ରାପ୍ତ। ଜାତିସଂଘର ମନିଟରିଂ ଟିମ୍‌ ଅନୁଯାୟୀ, ବଲୁଚି ଅଞ୍ଚଳରେ ୨ଟି ତାଲିମ ଶିବିର ଅଛି। ଏହି ଯୋଦ୍ଧାମାନଙ୍କୁ TTP ଦ୍ୱାରା ତାଲିମ ଦିଆଯାଇଛି। ମାଜିଦ୍‌ର ଯୋଦ୍ଧାମାନେ ଆକ୍ରମଣ ପାଇଁ ୩ଟି ପର୍ଯ୍ୟାୟ ପ୍ରସ୍ତୁତ କରନ୍ତି। ପାକିସ୍ତାନୀ ସେନା ଓ ଚୀନର ନାଗରିକଙ୍କୁ ଟାର୍ଗେଟ କରନ୍ତି ମାଜିଦ ବ୍ରିଗେଡର ଯୋଦ୍ଧା। ଏହି ସଂଗଠନକୁ ପାକିସ୍ତାନ ସହିତ ଚୀନର ଏକ ଘୃଣ୍ୟ ଶତ୍ରୁ ଭାବରେ ବିବେଚନା କରାଯାଏ।  ଗତ ୧୪ ବର୍ଷ ମଧ୍ୟରେ ୨୦୦ରୁ ଅଧିକ ପାକିସ୍ତାନୀ ସାମରିକ କର୍ମଚାରୀଙ୍କୁ ହତ୍ୟା କରିଛି। ୨୦୧୮ ମସିହାରୁ ମାଜିଦ ବ୍ରିଗେଡ୍ ଚୀନ୍ ନାଗରିକ ଏବଂ ସେମାନଙ୍କ ସହିତ ଜଡିତ ୫ଟି ଘାଟି ଉପରେ ଆକ୍ରମଣ କରିଛି। ମାଜିଦ ବ୍ରିଗେଡର ସଦସ୍ୟଙ୍କ ପାଖରେ IED, ଆଣ୍ଟି-ପର୍ସୋନେଲ୍ ଏବଂ ଆଣ୍ଟି-ଟ୍ୟାଙ୍କ୍ ମାଇନ୍, ଗ୍ରେନେଡ୍, ରକେଟ୍-ପ୍ରେପେଲ୍ଡ୍ ଗ୍ରେନେଡ୍ ଏବଂ M4 ରାଇଫଲ୍ ଭଳି ବିଭିନ୍ନ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ରକେଟ୍ ଅଛି, ଯାହା ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ ହୁଏ। ଏହି ସଂଗଠନକୁ ବିଦେଶୀ ଆତଙ୍କୀ ସଂଗଠନ ଘୋଷଣା ପରେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଏହି କାର୍ଯ୍ୟାନୁଷ୍ଠାନ ଆତଙ୍କବାଦ ବିରୋଧରେ ଟ୍ରମ୍ପ ପ୍ରଶାସନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ତେବେ ଏତେ ଦିନ ପରେ ପାକିସ୍ତାନ ଦାବିକୁ କାହିଁକି ମାନିନେଲା ଆମେରିକା ? କାହିଁକି ଏତେ ଦୟା ଦେଖାଉଛନ୍ତି ଡୋନାଲ୍ଡ ଟ୍ରମ୍ପ? ଆତଙ୍କୀ ଘୋଷଣା ତ ଏକ ମୋହରା। ଏହା ପଛରେ ଲୁଚି ରହିଛି ଗୁଡ଼ ରହସ୍ୟ। ଯାହାର ଫାଇଦା ପାକିସ୍ତାନକୁ ନୁହେଁ, ବରଂ ଆମେରିକାକୁ ମିଳିବ ବହୁମୂଲ୍ୟର ଖଣିଜ ଭଣ୍ଡାର। ଚୀନକୁ କାଉଣ୍ଟର କରିବା ଭଳି ପ୍ରଭାବ। କାରଣ ଆମେରିକାର ବିସ୍ତାରବାଦ କାହାକୁ ବା ଅଜଣା।

ଆମେରିକା ଏବଂ ପାକିସ୍ତାନ ଏକ ଚୁକ୍ତିରେ ପହଞ୍ଚିଥିବା ନିକଟ ଅତୀତରେ ଟ୍ରମ୍ପ ଘୋଷଣା କରିଛନ୍ତି।। ଏହା ଅଧୀନରେ ସେମାନେ ମିଳିତ ଭାବରେ ପାକିସ୍ତାନରେ ‘ବିଶାଳ ତୈଳ ଭଣ୍ଡାର’ ବିକଶିତ କରିବେ। ଏପରିକି କହିଥିଲେ ଯେ ‘ହୁଏତ ଏମିତି ଏକ ଦିନ ଆସିବ ପାକିସ୍ତାନ ଭାରତକୁ ତେଲ ବିକ୍ରି କରିବ।’ ଟ୍ରମ୍ପଙ୍କ ଘୋଷଣାର ମାତ୍ର କିଛି ଘଣ୍ଟା ପରେ ଚରମ ଚେତାବନୀ ଦେଇଥିଲେ ବଲୁଚ ନେତା ମୀର ୟାର। ଟ୍ରମ୍ପଙ୍କୁ ଖୋଲା ଚିଠି ଦେଇ କହିଥିଲେ ଯେ ତୈଳ ଭଣ୍ଡାର ପାକିସ୍ତାନର ନୁହେଁ ବରଂ ଏହା ବଲୁଚିସ୍ତାନର। ଏହି ଅଞ୍ଚଳରେ ବିପୁଳ ତେଲ ଏବଂ ଖଣିଜ ଭଣ୍ଡାର ଅଛି। କିନ୍ତୁ ପାକିସ୍ତାନୀ ସେନା, ବିଶେଷକରି ଜେନେରାଲ ଅସୀମ ମୁନିର ଏବଂ ତାଙ୍କ ଗୋଷ୍ଠୀ ଟ୍ରମ୍ପଙ୍କୁ ଗମ୍ଭୀର ଭାବରେ ଭ୍ରମିତ କରିଛନ୍ତି। ପାକିସ୍ତାନ ହାତରେ ବଲୁଚିସ୍ତାନର ଟ୍ରିଲିୟନ ଡଲାର ମୂଲ୍ୟର ସମ୍ବଳ ପ୍ରଦାନ କରିବା ଏକ ରଣନୈତିକ ଭୁଲ ହେବ। ଦକ୍ଷିଣ ଏସିଆ ଏବଂ ସମଗ୍ର ବିଶ୍ୱରେ ଅସ୍ଥିରତା ବୃଦ୍ଧି କରିବ। ଏସବୁ ଉଲ୍ଲେଖ କରେ ମୀର ୟାର ଉଭୟ ଆମେରିକା ଓ ପାକିସ୍ତାନକୁ ଦେଇଛନ୍ତି ଚେତାବନୀ। ବଲୁଚିସ୍ତାନରେ ଅଶାନ୍ତିର ନିଆଁ ଏବେ ଆହୁରି କୁହୁଳୁଛି।

ବିଶ୍ୱ ଆତଙ୍କୀ ତାଲିକାରେ BLA ଓ ମାଜିଦ ବ୍ରିଗେଡ୍‌ ସାମିଲ ହେବା ପରେ ପାକିସ୍ତାନ ଖୁସ୍‌…ମୁନିରଙ୍କ ଛାତି କୁଣ୍ଢେମୋଟ। ହେଲେ ଏ ଖୁସି କେତେ ଦିନ ପାଇଁ ରହିବ ତାହା ଏବେ ପ୍ରସଙ୍ଗ। କାରଣ ଏନେଇ ଚେତାବନୀ ଦେଇଛନ୍ତି ବୈଦେଶିକ ବ୍ୟାପାର ବିଶେଷଜ୍ଞ। ଇସଲାମବାଦର ଅନେକ ପ୍ରତିଷ୍ଠାନ ସହ ବଲୁଚିସ୍ତାନ ଯୋଡି ହୋଇ ରହିଛି। ସେମାନେ ନିଜର ହକ୍‌ ପାଇଁ ଲଢ଼ୁଛନ୍ତି। ଏଭଳି ସ୍ଥିତିରେ ବାହ୍ୟ ଦେଶର ହସ୍ତକ୍ଷେପ ପାକିସ୍ତାନରେ ଗୃହଯୁଦ୍ଧର କାରଣ ହୋଇପାରେ।

Scroll to Top