ବିମାନ ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ମୃତ୍ୟୁ, ତଦନ୍ତ ଦାବି କଲେ ମଲ୍ଲିକାର୍ଜୁନ ଖଡ଼ଗେ

ବିମାନ-ଦୁର୍ଘଟଣାରେ-ଅଜିତ-ପାଓ୍ବାରଙ୍କ-ମୃତ୍ୟୁ,-ତଦନ୍ତ-ଦାବି-କଲେ-ମଲ୍ଲିକାର୍ଜୁନ-ଖଡ଼ଗେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ମୃତ୍ୟୁ ହୋଇଛି । ଧବାର ସକାଳେ ପୁଣେ ଜିଲ୍ଲାର ବାରାମତୀ ନିକଟରେ ଏକ ବିମାନ ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ସମେତ ୫ ଜଣ ପ୍ରାଣ ହରାଇଛନ୍ତି । ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଜିତ ପାଓ୍ବାର ଏବଂ ଅନ୍ୟ ମୃତକଙ୍କ ଲାଗି ଶୋକପ୍ରକାଶ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ଏହା ସହ ସେ, ବିମାନ ଦୁର୍ଘଟଣାର ତଦନ୍ତ ଲାଗି ଦାବି କରିଛନ୍ତି । ତାଙ୍କ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସମାନ ଦାବି କରିଥିଲେ ।

ମମତାଙ୍କ ଦାବି ସଂପର୍କରେ ଖଡ଼ଗେଙ୍କୁ ପଚରାଯିବାରୁ ସେ କହିଛନ୍ତି, ସବୁ ରାଜନେତା ଏବଂ କର୍ପୋରେଟ୍ ଦୁନିଆର ଲୋକ ବିମାନରେ ଯାତ୍ରା କରନ୍ତି । ଏଭଳି ସମୟରେ ଏହି ବିମାନ ଦୁର୍ଘଟଣାର ତଦନ୍ତ ହେବା ଦରକାର । ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ହୋଇଥିଲା । ବାରାମତୀରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଛୋଟ ଥିଲା। ଏମିତି କାହିଁକି ହେଲା ? ସେଥିପାଇଁ ତଦନ୍ତ ହେବା ଦରକାର ।

ସେପଟେ ଅଜିତ ପାଓ୍ବାରଙ୍କ ମୃତ୍ୟୁ ଖବର ଶୁଣି ଶୋକ ପ୍ରକାଶ କରିବା ସହ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କରିଥିଲେ ମମତା ବାନାର୍ଜୀ । ବୁଧବାର ଦିନ ବାରାମତୀ ବିମାନବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାର ତଦନ୍ତ ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) କରିବ । VSR Ventures ଦ୍ୱାରା ପରିଚାଳିତ Learjet 46 ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବସିଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ଅଜିତ ପାଓ୍ବାରଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ଏଚ୍ ସି ବିଦୀପ ଯାଦବ, ପାଇଲଟ୍ କ୍ୟାପ୍ଟେନ୍ ସୁମିତ କପୁର, କ୍ୟାପ୍ଟେନ୍ ସମ୍ଭାବୀ ପାଠକ ଏବଂ ବିମାନ ପରିଚାରିକା ପିଙ୍କି ମାଲି ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ବିମାନର ମୁଖ୍ୟ ପାଇଲଟ୍ ସୁମିତ କପୁର ଦୁର୍ଘଟଣା ପୂର୍ବରୁ ମେଡେ କଲ୍ କରିନଥିଲେ । କିନ୍ତୁ ତାଙ୍କ ସହିତ ଥିବା କ୍ୟାପ୍ଟେନ୍ ସମ୍ଭାବୀ ପାଠକ କହିଥିଲେ, ‘ଓଃ ସିଟ୍… ଓଃ ସିଟ୍’ । ଏହି ସୂଚନା ବାରାମତୀର ଏକ ଫ୍ଲାଇଂ ସ୍କୁଲର ଜଣେ ବ୍ୟକ୍ତି ଜାତୀୟ ଗଣମାଧ୍ୟମକୁ ଦେଇଛନ୍ତି ।

ପ୍ରଥମ ଅବତରଣ ପ୍ରୟାସ ବିଫଳ ହୋଇଥିଲା । ସକାଳର କୁହୁଡ଼ି ଯୋଗୁଁ ଭିଜିବିଲିଟି ହ୍ରାସ ପାଇଥିଲା। ପାଇଲଟ୍ ବାରମତି ବିମାନବନ୍ଦରର ରନୱେ ୧୧ରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ସେମାନେ ରନୱେ ଦେଖିପାରି ନଥିଲେ । ଦୁଇ ପାଇଲଟ୍ ବିମାନକୁ ପୁଣି ଉପରକୁ ନେଇ ଯାଇଥିଲେ । ପାଇଲଟ୍ ପୁଣି ଥରେ ଅବତରଣ ଲାଗି କ୍ଲିୟରାନ୍ସ ନିଶ୍ଚିତ କରିନଥିଲେ ।

ବିମାନଟି ଦ୍ୱିତୀୟ ଥର ପାଇଁ ରନୱେ ପାଖକୁ ଆସିବା ଆରମ୍ଭ କରିଥିଲା। ପାଇଲଟ୍ ରିପୋର୍ଟ କରିଥିଲେ ଯେ, ରନୱେ ଏବେ ଦୃଶ୍ୟମାନ ହେଉଛି। ତା’ପରେ ବିମାନକୁ ଅବତରଣ ଅନୁମତି ଦିଆଯାଇଥିଲା । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଇଲଟ୍ ରିଏକ୍ସନ ଦେଇନଥିଲେ । ଅର୍ଥାତ୍ ସେ ଅବତରଣ ଲାଗି କ୍ଲିୟରାନ୍ସ ନିଶ୍ଚିତ କରିନଥିଲେ।

ଦ୍ୱିତୀୟ ଥର ପାଇଁ ରନୱେ ଛୁଇଁବା ପୂର୍ବରୁ ବିମାନଟି ଓଲଟି ପଡ଼ିଥିଲା । ପ୍ରାୟ ସକାଳ ୮.୪୩ରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ବିମାନଟି ଏହାର ସ୍ଥାନ ଏବଂ ଗତି ସୂଚାଉଥିବା ସଙ୍କେତ ପଠାଇବା ବନ୍ଦ କରିଦେଇଥିଲା। ଭୂମି ଛୁଇଁବା ପୂର୍ବରୁ ଏହା ଓଲଟି ପଡ଼ିଥିଲା ଏବଂ ରନୱେରୁ ୧୦୦ ମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Scroll to Top