ଉତ୍ତର ପ୍ରଦେଶରେ ଇସ୍ତଫା ବନାମ ଇସ୍ତଫା: ଯୋଗୀଙ୍କ ସମର୍ଥନରେ ଅଯୋଧ୍ୟାର GST ଡେପୁଟୀ କମିଶନର ଦେଲେ ଇସ୍ତଫା

ଉତ୍ତର-ପ୍ରଦେଶରେ-ଇସ୍ତଫା-ବନାମ-ଇସ୍ତଫା:-ଯୋଗୀଙ୍କ-ସମର୍ଥନରେ-ଅଯୋଧ୍ୟାର-gst-ଡେପୁଟୀ-କମିଶନର-ଦେଲେ-ଇସ୍ତଫା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଶଙ୍କରାଚାର୍ଯ୍ୟଙ୍କ ସହ ଜଡ଼ିତ ବିବାଦ ମଧ୍ୟରେ ଇସ୍ତଫା ଧାରା ଜାରି ରହିଛି । ବରେଲି ସିଟି ମାଜିଷ୍ଟ୍ରେଟଙ୍କ ଇସ୍ତଫା ପରେ ଏବେ ଅଯୋଧ୍ୟାରୁ ଜିଏସଟିର ଡେପୁଟୀ କମିଶନର ପ୍ରଶାନ୍ତ କୁମାର ସିଂହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନରେ ଇସ୍ତଫା ଦେଇଛନ୍ତି ।

ପ୍ରଶାନ୍ତ କୁମାର ସିଂହ ରାଜ୍ୟପାଳଙ୍କୁ ଦୁଇ ପୃଷ୍ଠାର ଏକ ଇସ୍ତଫା ପତ୍ର ପଠାଇଛନ୍ତି । ନିଜ ବୟାନରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ଇସ୍ତଫା ଦେଉଛି । ସେ କହିଛନ୍ତି, ‘ଯେଉଁ ପ୍ରଦେଶର ଲୁଣ ଖାଉଛି ଓ ଯେଉଁଠୁ ମୋତେ ଦରମା ମୁଳିଛି, ମୁଁ ତାହ ସପକ୍ଷରେ ଅଟେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ ତାଙ୍କର ଅପମାନ ମୁଁ ଗ୍ରହଣ କରିପାରିବି ନାହିଁ ।’

ପ୍ରଶାନ୍ତ କୁମାର ସିଂହ କହିଛନ୍ତି, ‘ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ କଥିତ ଅଭଦ୍ର ଟିପ୍ପଣୀରେ ଗଭୀର ଭାବରେ ମର୍ମହତ ହୋଇଛନ୍ତି । ଗତ ତିନି ଦିନରୁ ସେ ମାନସିକ ଚାପରେ ଅଛି ।’ ସେ ଏହା ମଧ୍ୟ କହିଛନ୍ତି ଯେ ୟୁଜିସି ନାଁରେ ଯେଉଁପରି ଭାବେ ରାଜନୀତି କରାଯାଉଛି, ସେଥିରେ ଦୁଃଖି ହୋଇ ଏହି ନିଷ୍ପତ୍ତି ନେଉଛି । ସେ କହିଛନ୍ତି, ‘ଯେବେ ତାଙ୍କ ଇସ୍ତଫା ସ୍ୱୀକାର କରାଯିବ, ତା’ ପରଠୁ ନିଜ ସମ୍ୱଳ ସହ ସାମାଜିକ କାର୍ଯ୍ୟରେ ନିଜକୁ ସମର୍ପିତ କରିବେ ।’

ଏହା ପୂର୍ବରୁ ଜାନୁଆରୀ ୨୬ରେ ବରେଲି ସିଟି ମାଜିଷ୍ଟ୍ରେଟ୍ ପଦରୁ ଇସ୍ତଫା ଦେଇଥିବା ଅଳଙ୍କାର ଅଗ୍ନିହୋତ୍ରୀ ଉତ୍ତର ପ୍ରଦେଶରେ ବ୍ରାହ୍ମଣ ବିରୋଧୀ ଅଭିଯାନ ଚାଲିଥିବା ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ରାଜ୍ୟରେ ବ୍ରାହ୍ମଣ ସମାଜକୁ ଟାର୍ଗେଟ୍ କରି ପ୍ରତାଡ଼ିତ କରାଯାଉଛି । ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ପ୍ରୟାଗରାଜରେ ମାଘ ମେଳା ସମୟରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଓ ତାଙ୍କ ଶିଷ୍ୟଙ୍କ ସହ ଦୁର୍ବ୍ୟବହାର କରାଯାଇଥିଲା । ଏହି ଅଭିଯୋଗ ଉପରେ ଏବେ ସୁଦ୍ଧା ରାଜ୍ୟ ସରକାର କିମ୍ୱା ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିତ ପ୍ରତିକ୍ରିୟା ସାମନାକୁ ଆସି ନାହିଁ ।

Scroll to Top