ଭୁବନେଶ୍ବର ୨୭।୧: ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ଅଧୀନରେ ଅଙ୍ଗନୱାଡ଼ି ଶିଶୁମାନଙ୍କ ପାଇଁ ପୋଷାକ ଏବଂ ଶୀତକାଳୀନ ସାମଗ୍ରୀର ମୂଲ୍ୟରେ ସଂଶୋଧନ ହୋଇଛି । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ଅଧୀନରେ ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଥିବା ୩ରୁ ୬ବର୍ଷ ବୟସର ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ପୋଷାକ (ୟୁନିଫର୍ମ), ଜୋତା ଓ ମୋଜା ଏବଂ ସ୍ବେଟର ମୂଲ୍ୟରେ ଓଡ଼ିଶା ସରକାର ଏକ ସଂଶୋଧନ ପାଇଁ ଅନୁମୋଦନ କରିଛନ୍ତି । କପଡ଼ାର କ୍ରମାଗତ ବର୍ଦ୍ଧିତ ମୂଲ୍ୟ, ସିଲେଇ ଖର୍ଚ୍ଚ, ପରିବହନ ବ୍ୟୟକୁ ଦୃଷ୍ଟିରେ ରଖି ଏବଂ ଛୋଟ ପିଲାମାନଙ୍କୁ ପ୍ରଦାନ କରାଯାଉଥିବା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀର ଗୁଣବତ୍ତା ବଜାୟ ରଖିବା ପାଇଁ ଏହି ସଂଶୋଧନ କରାଯାଇଛି ।
ଅନୁମୋଦିତ ନିଷ୍ପତ୍ତି ଅନୁଯାୟୀ, ସଂଶୋଧିତ ୟୁନିଟ୍ ମୂଲ୍ୟ :
* ୟୁନିଫର୍ମ (ବାଳକ) – ୧୦୦ ଟଙ୍କାରୁ ୧୭୫ ଟଙ୍କାକୁ ବୃଦ୍ଧି
* ୟୁନିଫର୍ମ (ବାଳିକା) – ୧୫୦ ଟଙ୍କାରୁ ୨୨୫ ଟଙ୍କାକୁ ବୃଦ୍ଧି
* ଜୋତା ଓ ମୋଜା – ୧୦୦ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି
* ସ୍ବେଟର – ୧୫୦ ଟଙ୍କାରୁ ୨୦୦ ଟଙ୍କାକୁ ବୃଦ୍ଧି
ଏହି ସଂଶୋଧିତ ମୂଲ୍ୟ ୨୦୨୬-୨୭ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ । ଏହା ଦ୍ବାରା ରାଜ୍ୟର ୭୪,୨୨୪ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ପ୍ରାୟ ୧୪.୭୬ ଲକ୍ଷରୁ ଅଧିକ ପ୍ରାକ୍-ବିଦ୍ୟାଳୟ ଶିଶୁ ଉପକୃତ ହେବେ । ଏହି ଅତିରିକ୍ତ ବ୍ୟୟବରାଦକୁ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।




