୧୯୮୪ ଶିଖ ବିରୋଧୀ ହିଂସା ମାମଲା: ପୂର୍ବତନ କଂଗ୍ରେସ ନେତା ନିର୍ଦ୍ଦୋଷରେ ଖଲାସ୍

୧୯୮୪-ଶିଖ-ବିରୋଧୀ-ହିଂସା-ମାମଲା:-ପୂର୍ବତନ-କଂଗ୍ରେସ-ନେତା-ନିର୍ଦ୍ଦୋଷରେ-ଖଲାସ୍

ନୂଆଦିଲ୍ଲୀ ୨୨/୦୧: ୧୯୮୪ ଶିଖ ବିରୋଧୀ ହିଂସା ମାମଲା । ପୂର୍ବତନ କଂଗ୍ରେସ ନେତା ନିର୍ଦ୍ଦୋଷରେ ଖଲାସ୍ । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଜନକପୁରୀ ଓ ବିକାଶପୁରୀ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ସହ ଜଡିତ ଏକ ମାମଲାରେ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଶୁଣାଣି ସମୟରେ, ସଜ୍ଜନ କୁମାର ନିଜର ପକ୍ଷ ରଖି କହିଥିଲେ ଯେ,ସେ ନିର୍ଦ୍ଦୋଷ ଓ କେବେ ହିଂସାରେ ଅଂଶଗ୍ରହଣ କରିନଥିଲେ ।

ସ୍ୱପ୍ନରେ ମଧ୍ୟ ସେ ଏଭଳି କରି ନଥିବା କହିଥିଲେ। ମୋ ବିରୋଧରେ କୌଣସି ଠୋସ୍ ପ୍ରମାଣ ନାହିଁ। ଦୀର୍ଘ ଦିନ ପରେ, କୋର୍ଟ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତାଙ୍କ ଦୋଷମୁକ୍ତ ହେବା ବିଷୟରେ ସୂଚନା ପାଇ ସଜ୍ଜନ କୁମାର ହାତ ଯୋଡି କୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯଦିଓ ସଜ୍ଜନ କୁମାରଙ୍କୁ ଏହି ମାମଲାରେ ଦୋଷମୁକ୍ତ କରାଯାଇଛି। ତେବେ ତାଙ୍କୁ ଜେଲ୍‌ରେ ରହିବାକୁ ପଡିବ। କାରଣ ତାଙ୍କୁ ପୂର୍ବରୁ ୧୯୮୪ ଦଙ୍ଗା ସହିତ ଜଡିତ ଅନ୍ୟ ଦୁଇଟି ମାମଲାରେ ଆଜୀବନ କାରାଦଣ୍ଡ ଦିଆଯାଇଛି। 

ଫେବ୍ରୁଆରି ୨୦୧୫ରେ, ଜନକପୁରୀ ଏବଂ ବିକାଶପୁରୀ ଅଞ୍ଚଳରେ ୧୯୮୪ ମସିହାରେ ହୋଇଥିବା ହିଂସା ସହିତ ଜଡିତ ଅଭିଯୋଗ ଆଧାରରେ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍‌ଆଇଟି) ସଜ୍ଜନ କୁମାରଙ୍କ ବିରୋଧରେ ଦୁଇଟି ଏଫ୍‌ଆଇଆର୍‌ ଦାୟର କରିଥିଲା। ପ୍ରଥମ ଏଫ୍‌ଆଇଆର୍‌ ଜନକପୁରୀରେ ହୋଇଥିବା ହିଂସା ସହିତ ଜଡିତ ଥିଲା। ମାମଲାରେ ସୋହନ ସିଂହ ଓ ତାଙ୍କ ଜ୍ୱାଇଁ ଅବତାର ସିଂହଙ୍କୁ ୧ ନଭେମ୍ବର ୧୯୮୪ ରେ ହତ୍ୟା କରାଯାଇଥିଲା। ଦ୍ୱିତୀୟ ଏଫ୍‌ଆଇଆର୍‌ ବିକାଶପୁରୀ ଘଟଣା ସହିତ ଜଡିତ ଥିଲା। ଯେଉଁଥିରେ ୨ ନଭେମ୍ବର ୧୯୮୪ ରେ ଗୁରଚରଣ ସିଂହଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା। 

୩୧ ଅକ୍ଟୋବର ୧୯୮୪ରେ, ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଶିଖ୍ ଅଙ୍ଗରକ୍ଷୀମାନେ ହତ୍ୟା କରିଥିଲେ। ଏହା ଦିଲ୍ଲୀ ଓ ଅନ୍ୟାନ୍ୟ ଅନେକ ସହରରେ ଶିଖ୍‌ମାନଙ୍କ ବିରୋଧରେ ବ୍ୟାପକ ହିଂସା ସୃଷ୍ଟି କରିଥିଲା। ଏହି ହିଂସା ପ୍ରାୟ ତିନିରୁ ଚାରି ଦିନ ଧରି ଚାଲିଥିଲା। ଶିଖ୍‌ମାନଙ୍କ ଘର ପୋଡ଼ି ଦିଆଯାଇଥିଲା। ଦୋକାନ ଲୁଟ୍ କରାଯାଇଥିଲା। ଏଥିରେ ଅନେକ ଶିଖ୍ ନିହତ ହୋଇଥିଲେ। ସରକାରୀ ସଂଖ୍ୟା ଅନୁଯାୟୀ, ଦିଲ୍ଲୀରେ ପ୍ରାୟ ୨,୮୦୦ ଶିଖ୍ ଓ ସାରା ଦେଶରେ ୩,୦୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିଲା।

କିଛି ରିପୋର୍ଟରେ ଏହି ସଂଖ୍ୟା ୮,୦୦୦ରୁ ୧୭,୦୦୦ ମଧ୍ୟରେ ବୋଲି କୁହାଯାଇଛି। ଅନେକ ରିପୋର୍ଟ ସୂଚାଇ ଦେଇଛି, କିଛି ରାଜନେତା ଓ ପୁଲିସ ମଧ୍ୟ ହିଂସାରେ ସହାୟତା କରିଥିଲେ। ଏହି ଘଟଣା ଶିଖ୍ ସମ୍ପ୍ରଦାୟ ପାଇଁ ଅତ୍ୟନ୍ତ ମର୍ମନ୍ତୁଦ ଥିଲା । ଏହାକୁ ଭାରତୀୟ ଇତିହାସର ଏକ କଳା ଅଧ୍ୟାୟ ଭାବରେ ବିବେଚନା କରାଯାଇଥାଏ।

Scroll to Top