ଉଡ଼ାବାଲିରେ ଉଡ଼ିବ ତ୍ରିରଙ୍ଗା, ଡିଜିପି କରିବେ ପତାକା ଉତ୍ତୋଳନ
Published By: Kirti – Prameya-News7 Bureau | January 22, 2026 10:07 AM
NEWS7
ଭଦ୍ରକ ୨୨।୦୧ : ଉଡ଼ାବାଲିରେ ଉଡ଼ିବ ତ୍ରିରଙ୍ଗା । ଉଡ଼ାବାଲି ଯାହାର ପ୍ରକୃତ ନାମ ହେଲା କନିକା ବାଲି ଦ୍ୱୀପ ଯ ବଙ୍ଗୋପସାଗର ଓ ବୈତରଣୀ ନଦୀର ମିଳନ ସ୍ଥଳରେ ରହିଛି ଏହି ଦ୍ୱୀପ । କନିକା ରାଜାଙ୍କ ରାଜୁତି ସମୟରେ ଏକ ସୁନ୍ଦର ଗାଥା ବହନ କରେ ଏହି ଦ୍ୱୀପ । ସମୟକ୍ରମେ ମାଛ ମାରିବା ବେଳେ ବାଲି ଉଡ଼ିବା ଯୋଗୁ ନାମକରଣ ହୋଇଛି ଏହାର ଉଡ଼ା ବାଲି ।
ଏହି ଦ୍ୱୀପ ଏସିଆର ଏକ ବଡ଼ ବନ୍ଦର ଅର୍ଥାତ ଭଦ୍ରକ ଜିଲ୍ଲାର ଧାମରା ବନ୍ଦରରୁ ସାମୁଦ୍ରିକ ପଥରେ ମାତ୍ର ୧୨ କିମି ଦୂରରେ ଅବସ୍ଥିତ । କିନ୍ତୁ ଧାମରା ବନ୍ଦର ନିର୍ମାଣ ପୂର୍ବରୁ ପଶ୍ଚିମବଙ୍ଗ ଏହାକୁ ନିଜର ବୋଲି ଦାବି କରିଥିଲା । କାରଣ ବନ୍ଦର ପାଇଁ ଏହି ବାଲି ଦ୍ୱୀପ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରିଥାଏ । କାରଣ ସମୁଦ୍ରରେ ଢେଉ ମାଡ଼ ହେବା ପରେ ସମୁଦ୍ର ଜଳ ସ୍ଥିର ହେବା ସହ ଧାମରା ବନ୍ଦର ପର୍ଯ୍ୟନ୍ତ ଏକ ପ୍ରାକୃତିକ ପୋତାଶ୍ରୟ ସୃଷ୍ଟି କରିଛି। ଏହି ଦ୍ୱୀପ ପଶ୍ଚିମବଙ୍ଗ ଠାରୁ ମାତ୍ର ୧୭୦ କିମି ଦୂରରେ ହୋଇଥିବାରୁ ଏହି ଉଡ଼ା ବାଲି ଦ୍ୱୀପକୁ ନିଜର ବୋଲି ଦାବି କରିବା ସହ ଓଡ଼ିଶା କିପରି ନହାତେଇ ପାରିବ । ସେନେଇ ଭରପୁର ଚେଷ୍ଟ କରିଥିଲା । ବଡ଼ ବଡ଼ ସିପ୍ ଯୋଗ ଆସୁଥିବା ସାମଗ୍ରୀକୁ ଉଡ଼ା ବାଲିରୁ ଅନ୍ୟ ଛୋଟ ଜାହାଜ ଯୋଗେ ନେବା ପାଇଁ ଯୋଜନା ବି କରିଥିଲା ପଶ୍ଚିମବଙ୍ଗ । କିନ୍ତୁ ସମୟକ୍ରମେ ଏହି ବନ୍ଦର ଓ ଉଡ଼ା ବାଲି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଧିନରେ ରହିଛି । ଉପକୂଳ ସୁରକ୍ଷା ଦୃଷ୍ଟିରୁ ଏହି ଦ୍ୱୀପ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆଜି ଏହି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କରିବେ ପୋଲିସ ମହାନିର୍ଦ୍ଦେଶକ ଓ୍ୱାଇ ବି ଖୁରାନିଆ । ଅଖଣ୍ଡ ଓଡ଼ିଶା ଗଠନ ଓ ଉପକୂଳ ସୁରକ୍ଷା ପାଇଁ ଏହି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ ନିଶ୍ଚିନ୍ତ ଉତ୍ସାହଜନକ ।




