ଅଭିଷେକ-ରିଙ୍କୁଙ୍କ ଜଲଓ୍ଵା, ନାଗପୁର ଟି-୨୦ରେ ନ୍ୟୁଜିଲାଣ୍ଡକୁ ୪୮ ରନରେ ହରାଇଲା ଭାରତ

ଅଭିଷେକ-ରିଙ୍କୁଙ୍କ-ଜଲଓ୍ଵା,-ନାଗପୁର-ଟି-୨୦ରେ-ନ୍ୟୁଜିଲାଣ୍ଡକୁ-୪୮-ରନରେ-ହରାଇଲା-ଭାରତ

ନାଗପୁର: ନାଗପୁରରେ ଖେଳା ଯାଇଥିବା ପ୍ରଥମ ଟି-୨୦ରେ ଭାରତର ବାଜିମାତ୍। ହାଇସ୍କୋରିଂ ମୁକାବିଲାରେ ଭାରତ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ 48 ରନରେ ହରାଇଛି। ଏହା ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ସୂର୍ଯ୍ୟବାହିନୀ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ୮୪ ରନ, ରିଙ୍କୁ ସିଂଙ୍କ ଅପରାଜିତ ୪୪ ରନ ସହ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଇନିଂସ ବଳରେ ୭ ଓ୍ଵିକେଟ୍ ହରାଇ ୨୩୮ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୭ ଓ୍ଵିକେଟ୍ ହରାଇ ୧୯୦ ରନ କରି ପାରିଛି। ଗ୍ଲେନ ଫିଲିପ୍ସ ୭୮ ରନ ଓ ମାର୍କ ଚମ୍ପନ ୩୯ ରନ କରିଥିଲେ। ଭାରତ ପକ୍ଷରୁ ସଫଳ ବୋଲର ଭାବେ ବରୁଣ ଚକ୍ରବର୍ତ୍ତୀ ଓ ଶିବମ ଦୁବେ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

୨୩୯ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡକୁ ଆରମ୍ଭରୁ ବଡ଼ ଝଟକା ଲାଗିଥିଲା। ଦୁଇ ଷ୍ଟାର ବ୍ୟାଟର ଡେଭନ କନଓ୍ଵେ ଖାତା ଖୋଲି ପାରି ନ ଥିବା ବେଳେ ରଚିନ ରବୀନ୍ଦ୍ର(୧ ରନ) କରି ଆଉଟ୍ ହୋଇଛନ୍ତି। ଏହା ପରେ ଟିମ୍ ରବିନସନ ୨୧ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। ଏହା ପରେ ଗ୍ଲେନ ଫିଲିପ୍ସ  ଓ ମାର୍କ ଚମ୍ପନ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥଲେ। ଫିଲିପ୍ସ ବିସ୍ଫୋରକ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇବାକୁ ଚେଷ୍ଟା କରିଥିଲେ। ସେ ଏବଂ ଚମ୍ପନ  ୭୯ ରନ ଯୋଡ଼ିଥିଲେ।

ଗ୍ଲେନ ଫିଲିପ୍ସଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଭାରତୀୟ ଶିବିରକୁ ଆଶ୍ଵସ୍ତ କରିଥିଲେ। ସେ ୪୦ ବଲରୁ ୪ ଚୌକା ଓ ୬ ଛକା ସହ ୭୮ ରନ କରିଥିଲେ। ତାଙ୍କ ପରେ ମାର୍କ ଚମ୍ପନ ୩୯ ରନ କରି ଆଉଟ୍ ହେବା ସହ ନ୍ୟୁଜିଲାଣ୍ଡର ବିଜୟ ଆଶା ମଉଳିଥିଲା। ଶେଷ ଆଡ଼କୁ ଡାରିଲ ମିଚେଲ୍ ୨୮ ରନ କରିଥିବା ବେଳେ ମିଚେଲ୍ ସାଣ୍ଟନର ୨୦ ରନ କରି ଅପରାଜିତ ଥିଲେ। ନ୍ୟୁଜିଲାଣ୍ଡ ୭ ଓ୍ଵିକେଟ୍ ହରାଇ ୧୯୦ ରନ କରିଛି।

ବୋଲିଂରେ ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୩୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଶିବମ ଦୁବେ ୨୮ ରନ ଦେଇ ୨ଟି ଓ୍ଵିକେଟ୍ ସଫଳତା ପାଇଛନ୍ତି। ଅର୍ଶଦୀପ ସିଂ, ଅକ୍ଷର ପଟେଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି। ​​​​​​​

Scroll to Top