ଟ୍ରମ୍ପଙ୍କ ବିଧ୍ୱଂସକକୁ ଘଉଡେଇ ଦେଲା ବେଜିଂ, ସମୁଦ୍ରରେ ମୁହାଁମୁହିଁ ହେଲେ ଚୀନ୍ ଓ ଆମେରିକା ସେନା

ଟ୍ରମ୍ପଙ୍କ-ବିଧ୍ୱଂସକକୁ-ଘଉଡେଇ-ଦେଲା-ବେଜିଂ,-ସମୁଦ୍ରରେ-ମୁହାଁମୁହିଁ-ହେଲେ-ଚୀନ୍-ଓ-ଆମେରିକା-ସେନା

ବେଜିଂ ୧୩।୮: ଦକ୍ଷିଣ ଚୀନ୍ ସାଗରର ସ୍କାରବୋରୋ ସୋଲ ନିକଟରେ ବୁଧବାର ଚୀନ୍‌ ଓ ଆମେରିକା ସେନା ମୁହାଁ ମୁହିଁ ହୋଇଥିବାର ଖବର ଆସୁଛି। ଚୀନ୍‌ କହିଛି ଯେ ଏହି ବ୍ୟସ୍ତତମ ସାମୁଦ୍ରିକ ମାର୍ଗ ଦେଇ ଆମେରିକାର ବିଧ୍ୱଂସକ ଜାହାଜ ଯାଉଥିଲା, ଏଣୁ ଆମେ ଏହାକୁ ଘଉଡାଇ ଦେଇଛୁ। ଆମେରିକା ଉପରେ ଚୀନ୍ ସ୍କାରବୋରୋ ସୋଲରେ ଅନୁପ୍ରବେଶ ଅଭିଯୋଗ ଆଣିଛି। 

ଚୀନ୍ ଓ ଆମେରିକା ମୁହାଁମୁହିଁ ହେବା ଘଟଣା ଏପରି ସମୟରେ ହୋଇଛି ଯେତେବେଳେ ଫିଲପାଇନ୍ସ ନୌକା ଚକ୍କରରେ ସ୍କାରବୋରୋ ସୋଲରେ ଚୀନ୍‌ ର ଦୁଇ ଜାହାଜ ମଧ୍ୟରେ ଧକ୍କା ହୋଇଥିଲା। ଚୀନ୍ ସେନା କହିଛି ଯେ ଆମେରିକା ଯେଉଁଭଳି ଉପାୟରେ ସ୍କାରବୋର ସୋଲରେ ଅନୁପ୍ରବେଶ ଉଦ୍ୟମ କରିଛି ଏହା ଅନ୍ତର୍ଜାତୀୟ ଆଇନର ବିରୁଦ୍ଧାଚରଣ କରୁଛି। ଆମେରିକା ସ୍କାରବୋର ମାଧ୍ୟମରେ ସିଧା ଶଳଖ ଚୀନ୍ ର ସାର୍ବଭୌମତାକୁ ଚ୍ୟାଲେଞ୍ଜ କରିଛି। ଚୀନ୍‌ ଦକ୍ଷିଣ ସୈନ୍ୟ କମାଣ୍ଡ  କହିଛି ଯେ  ୟୁଏସଏସ ହିଗିଂସ୍ ବୁଧବାର ଅନୁମତି ବିନା ସ୍କାରବୋର ସୋଲରେ ପଶି ଯାଇଥିଲା। 

ଏହା ପରେ ଏହାକୁ ଚେତାବନୀ ଜାରି କରାଯାଇଥିଲା, ହେଲେ ଆମେରିକାର ଏହି ବିଧ୍ୱଂସକ ଫେରସ୍ତ ଆସିନଥିଲା। ଏହା ପରେ ଏହାକୁ ଘଉଡାଇବାକୁ ଉଦ୍ୟମ କରାଯାଇଥିଲା। ଚୀନ୍ କହିଛି ଆମେରିକା ତାର ସାର୍ବଭୌମତ୍ୱ ଓ ସୁରକ୍ଷାକୁ ଉଲ୍ଲଂଘନ କରିଛି। ଏଥିରେ ଆମେରିକାର କହିବା କଥା ହେଉଛି ସ୍କାରବୋରୋରେ ପ୍ରବେଶ ପୂର୍ବରୁ ଅନ୍ତର୍ଜାତୀୟ ଆଇନର ପାଳନ କରିଛି। ଆମେରିକା ସପ୍ତମ ନୌଭେଳାର କହିବା କଥା ହେଉଛି ଏହି ଅଭିଯାନ ନୌବହନର ସ୍ୱାଧୀନତା ଓ ସମୁଦ୍ରର ବୈଧ ଉପଯୋଗ କାୟମ ରଖିବା ଲାଗି  ଆମେରିକାର ପ୍ରତିବଦ୍ଧତାକୁ ଦର୍ଶାଉଛି। 

ଦକ୍ଷିଣ ଚୀନ ସାଗରରେ ଫିଲପାଇନ୍ସର ଲୁଜୋନ ଦ୍ୱୀପର ପଶ୍ଚିମ ଭାଗରେ ପାଖାପାଖି ୨୨୦ କିଲୋମିଟର ଦୂରରେ ଥିବା ସ୍କାରବୋରୋକୁ ଏକ ଅଗଭୀର ଦ୍ୱୀପ କୁହାଯାଏ। ଦକ୍ଷିଣ ଚୀନ୍ ସାଗରରେ ଏହି ଦ୍ୱୀପଟି ସବୁଠୁ ବ୍ୟସ୍ତତମ ଦ୍ୱୀପ। ଏହି ଦ୍ୱୀପ ଉପରେ ଫିଲପାଇନ୍ସ, ଚୀନ୍ ଓ ତାଇୱାନ ନିଜର ଅଧିକାର ଥିବା ଦାବି କରୁଛନ୍ତି। ୨୦୧୨ରେ ଚୀନ ଏଠାରେ ନିଜ ସୈନିକଙ୍କୁ ଓହ୍ଲାଇ ଫିଲପାଇନ୍ସର ପହଞ୍ଚକୁ ସୀମିତ କରିଦେଇଛି। ଏଥିରେ ଦକ୍ଷିଣ ଚୀନ ସାଗରରେ ନିଜର ସାଥୀଙ୍କ ସୁରକ୍ଷା ପାଇଁ ଆମେରିକା ଲଗାତାର ସକ୍ରିୟ ରହିଛି। ଚୀନ୍ ର ନିୟନ୍ତ୍ରଣକୁ ଚ୍ୟାଲେଞ୍ଜ କରିବା ପାଇଁ ଆମେରିକା ମଝିରେ ମଝିରେ ଜାହାଜ ପଠାଇଥାଏ। ଏହି କ୍ରମରେ ବୁଧବାର ଚୀନ୍ ଓ ଆମେରିକା ନୌସେନା ସ୍କାରବୋର ସୋଲ ଦ୍ୱୀପ ନିକଟରେ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ।  

Scroll to Top