ହଠାତ୍ କେଉଁ ଅପରେସନ୍ ଚଳାଇଛି ପାକ୍ ସେନା ? ଘର ଛାଡିଲେଣି ୫୫ ହଜାର ଲୋକ, ୨୭ଟି ଅଞ୍ଚଳରେ ଲାଗିଛି ୭୨ ଘଣ୍ଟାର କର୍ଫ୍ୟୁ

ହଠାତ୍-କେଉଁ-ଅପରେସନ୍-ଚଳାଇଛି-ପାକ୍-ସେନା-?-ଘର-ଛାଡିଲେଣି-୫୫-ହଜାର-ଲୋକ,-୨୭ଟି-ଅଞ୍ଚଳରେ-ଲାଗିଛି-୭୨-ଘଣ୍ଟାର-କର୍ଫ୍ୟୁ

ନୂଆଦିଲ୍ଲୀ ୧୩।୦୮: ଆତଙ୍କବାଦ ବିରୋଧ ଅଭିଯାନରେ ପାକିସ୍ତାନ ସେନା ନିଜ ଲୋକଙ୍କୁ ନିର୍ଯାତନା ଦେବାର ଏକ ଲମ୍ବା ଇତିହାସ ରଖିଛି । ପାକିସ୍ତାନ ସେନା ପୁଣି ଥରେ ସମାନ କାମ କରୁଛି । ପାକ୍‌ ସେନା ଖାଇବର ପଖତୁନଖ୍ୱାର ବାଜୌର ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ଅପରେସନ୍ ଆରମ୍ଭ କରିଛି । ଯେଉଁଥିରେ ହଜାର ହଜାର ଲୋକଙ୍କୁ ସେମାନଙ୍କ ଘରୁ କରାଯାଇଛି ବିସ୍ଥାପିତ । 

ପାକିସ୍ତାନୀ ସେନା ତେହେରିକ-ଏ-ତାଲିବାନ୍ ପାକିସ୍ତାନ (TTP) ବିରୁଦ୍ଧରେ ଏକ ବଡ଼ ଧରଣର ଅପରେସନ୍ ଆରମ୍ଭ କରିଛି । ଯେଉଁ କାରଣରୁ ପ୍ରାୟ ୫୫,୦୦୦ ଲୋକଙ୍କୁ କରାଯାଇଛି ବିସ୍ଥାପିତ । ଏହି ଅପରେସନ୍ ମୁଖ୍ୟତଃ ଲୋଇ ମାମୁଣ୍ଡ ଏବଂ ୱାର୍ ମାମୁଣ୍ଡ ତହସିଲରେ ଚାଲିଛି । ଯାହାକୁ ପୂର୍ବରୁ ଟିଟିପିର ଗଡ଼ ବୋଲି କୁହାଯାଉଥିଲା ।  

ନିକଟରେ ତାଲିବାନ କମାଣ୍ଡରମାନଙ୍କ ସହିତ ଶାନ୍ତି ଆଲୋଚନା ବିଫଳ ହେବା ପରେ, ୨୭ଟି ଅଞ୍ଚଳରେ ୧୨-୭୨ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ଫଳସ୍ୱରୂପ ପ୍ରାୟ ୫୫,୦୦୦ ଲୋକ ବିସ୍ଥାପିତ ହୋଇଛନ୍ତି ଏବଂ ୪ ଲକ୍ଷରୁ ଅଧିକ ଲୋକ ନିଜ ଘରେ ଫସି ରହିଛନ୍ତି।

ଆୱାମୀ ନ୍ୟାସନାଲ ପାର୍ଟିର ବିଧାୟକ ନିସାର ବାଜ୍ ଖାଇବର ପଖତୁନଖ୍ୱା ବିଧାନସଭାରେ ଅଭିଯୋଗ କରିଛନ୍ତି ଯେ କର୍ଫ୍ୟୁ ଯୋଗୁଁ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯାଇପାରୁନାହାଁନ୍ତି ଏବଂ ସେନା ନିଜ ନାଗରିକଙ୍କୁ ନିର୍ଯାତନା ଦେଉଛି । ଅନେକ ପରିବାର ତମ୍ବୁ, ଖୋଲା ପଡ଼ିଆ ଏବଂ ସାର୍ବଜନୀନ କୋଠାରେ ରାତି ବିତାଇବାକୁ ବାଧ୍ୟ ହେଉଛନ୍ତି । ପରିବହନ, ଖାଦ୍ୟ ଏବଂ ପାଣିର ଅଭାବ ପରିସ୍ଥିତିକୁ ଆହୁରି ଖରାପ କରିଛି। ଅଧିକାରୀଙ୍କ କହିବା କଥା ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । 

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ପରାମର୍ଶଦାତା ମୁବାରକ ଖାନ ଜାଇବଙ୍କ ଅନୁଯାୟୀ, ସ୍କୁଲଗୁଡ଼ିକୁ ଅସ୍ଥାୟୀ ଆଶ୍ରୟସ୍ଥଳ କରାଯାଇଛି । ଜିଲ୍ଲା ପ୍ରଶାସନ ଖାର ତହସିଲରେ ୧୦୭ଟି ଶିକ୍ଷାନୁଷ୍ଠାନକୁ ରିଲିଫ୍ ଶିବିର ଭାବରେ ଚିହ୍ନଟ କରିଛନ୍ତି । କିନ୍ତୁ ରିପୋର୍ଟ ଅନୁସାରେ ରିଲିଫ୍ ସାମଗ୍ରୀ ଏବଂ ଆଶ୍ରୟସ୍ଥଳର ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ । 

ତେବେ ଏହି ଅଭିଯାନ ୨୯ ଜୁଲାଇରେ ଆରମ୍ଭ ହୋଇଥିଲା । କିନ୍ତୁ ଆଦିବାସୀ ଜିରଗାର ମଧ୍ୟସ୍ଥତା ଯୋଗୁଁ ପରଦିନ ଅସ୍ଥାୟୀ ଭାବରେ ବନ୍ଦ ହୋଇଗଲା। ଅନେକ ପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ୨ ଅଗଷ୍ଟରେ ଆଲୋଚନା ବିଫଳ ହୋଇଥିଲା । ଯାହା ପରେ ସେନା ପୁଣି ଅପରେସନ୍ ଆରମ୍ଭ କରିଥିଲା।

ବାଜୌର ଜିଲ୍ଲା ଦୀର୍ଘ ଦିନ ଧରି ଟିଟିପିର ଗଡ଼ ହୋଇ ରହିଛି । ପାକିସ୍ତାନ ସେନା ପୂର୍ବରୁ ଏଠାରେ ଅନେକ ଅପରେସନ୍ କରିଛି, ଯେଉଁଥିରେ ହଜାର ହଜାର ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା । ଏହି ଅଭିଯାନରେ ମଧ୍ୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରର ରିପୋର୍ଟ ଅଛି । କିନ୍ତୁ ସେନା ଦ୍ୱାରା ସାଧାରଣ ଲୋକଙ୍କ ଉପରେ ନିର୍ଯାତନା ଏବଂ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଗମ୍ଭୀର ପ୍ରଶ୍ନ ଉଠାଇଛି।

Scroll to Top