ଆପଣ ବି ଖାଉଛନ୍ତି କି ପିଜ୍ଜା -ବର୍ଗର? ସାବଧାନ! ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ

ଆପଣ-ବି-ଖାଉଛନ୍ତି-କି-ପିଜ୍ଜା-ବର୍ଗର?-ସାବଧାନ!-ଜାଣନ୍ତୁ-ସ୍ୱାସ୍ଥ୍ୟ-ପାଇଁ-କେତେ-ହାନିକାରକ

ନୂଆଦିଲ୍ଲୀ ୧୩।୦୮; ଯେତେବେଳେ ଆପଣଙ୍କୁ କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଛି,ସେତେବେଳ ପ୍ରଥମେ ବର୍ଗର ଏବଂ ପିଜ୍ଜା କଥା ମନକୁ ଆସିଥିବ। ଗରମ ପିଜା କିମ୍ବା କ୍ରିସ୍ପି ବର୍ଗର ନାମ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ବିଶେଷକରି ପିଲାଙ୍କଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ, ସମସ୍ତେ ଏହି ଫାଷ୍ଟଫୁଡ୍ ପାଇଁ ପାଗଳ। “ପିଜା ପାର୍ଟି” ଏବଂ “ବର୍ଗର ଲଭ୍” ଭଳି ପୋଷ୍ଟ ସୋସିଆଲ ମିଡିଆରେ ସାଧାରଣ ହୋଇଗଲାଣି।  

ବିଶେଷ କଥା ହେଉଛି ଆମେ ଏହି ଖାଦ୍ୟଗୁଡ଼ିକୁ ଆନନ୍ଦରେ ଖାଉ, କିନ୍ତୁ ପ୍ରତ୍ୟେକ ବାଇଟ ଆମ ଶରୀର ପାଇଁ କେତେ କ୍ଷତି କରୁଛି ତାହା ଚିନ୍ତା କରୁନାହୁଁ। ଏହି ସ୍ୱାଦିଷ୍ଟ ଦେଖାଯାଉଥିବା ଖାଦ୍ୟ ସାମଗ୍ରୀ ପ୍ରକୃତରେ ଅନେକ ରୋଗକୁ  ନିମନ୍ତ୍ରଣ ଦେଇପାରେ।  ଯାହାକୁ ନେଇ ଡକ୍ଟର ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛନ୍ତି। ଯାହା ସମସ୍ତଙ୍କ ପାଇଁ ଜାଣିବା ଗୁରୁତ୍ୱପୂର୍ଣ୍ଣ।  ଡକ୍ଟର ପାଲ ମାନିକମଙ୍କ ମତରେ, ବର୍ଗର ଏବଂ ପିଜା ଭଳି ଫାଷ୍ଟଫୁଡରେ ପୋଷକ ତତ୍ତ୍ୱର ଅଭାବ ଥିବା ସହ ଟ୍ରାନ୍ସ ଫ୍ୟାଟ୍, ଲୁଣ, ଚିନି ଏବଂ ପ୍ରିଜରଭେଟିଭରେ ପରିପୂର୍ଣ୍ଣ। ଏହି ଜିନିଷଗୁଡ଼ିକ ଶରୀରର ମେଟାବୋଲିଜିମ୍‌କୁ ଖରାପ କରେ ଏବଂ ଧୀରେ ଧୀରେ ଗମ୍ଭୀର ରୋଗ ହେବାର ଆଶଙ୍କା ବଢାଏ। 

ମେଦବହୁଳତା ବିପଦ

ବର୍ଗର ଏବଂ ପିଜାରେ ଥିବା ସାଚୁରେଟେଡ୍ ଫ୍ୟାଟ୍ ଏବଂ କାର୍ବୋହାଇଡ୍ରେଟ୍ ଶରୀରରେ ଫ୍ୟାଟ୍ ଜମା କରିଥାଏ। ଏହାକୁ ବାରମ୍ବାର ଖାଇବା ଦ୍ୱାରା ଓଜନ ଦ୍ରୁତ ଗତିରେ ବୃଦ୍ଧି ପାଏ, ଯାହା ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଥାଇରଏଡ୍ ଭଳି ସମସ୍ୟା ସୃଷ୍ଟି କରିପାରେ।

ହୃଦରୋଗର ଆଶଙ୍କା

ଏହି ଖାଦ୍ୟଗୁଡ଼ିକରେ ଅଧିକ ପରିମାଣର ଟ୍ରାନ୍ସ ଫ୍ୟାଟ୍ ଥାଏ, ଯାହା ଶରୀରରେ ଖରାପ କୋଲେଷ୍ଟ୍ରଲ୍ ବୃଦ୍ଧି କରେ ଏବଂ ଭଲ କୋଲେଷ୍ଟ୍ରଲ୍ ହ୍ରାସ କରେ। ଏହା ହୃଦଘାତର ଆଶଙ୍କା ମଧ୍ୟ ବଢ଼ାଇଥାଏ।

ପାଚନ ସମସ୍ୟା

ଫାଷ୍ଟଫୁଡ୍‌ରେ ଫାଇବରର ଅଭାବ ଥାଏ, ଯାହା କୋଷ୍ଠକାଠିନ୍ୟ, ଏସିଡିଟି, ଗ୍ୟାସ୍ ଏବଂ ବଦହଜମୀ ଭଳି ସମସ୍ୟା ସୃଷ୍ଟି କରିପାରେ। ଏହା ବ୍ୟତୀତ ପ୍ରକ୍ରିୟାକୃତ ପନିର ଏବଂ ମାଂସର ଅତ୍ୟଧିକ ସେବନ ଅନ୍ତନଳୀ ଉପରେ ଖରାପ ପ୍ରଭାବ ପକାଇଥାଏ।

ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ

ଦୀର୍ଘ ସମୟ ଧରି ଫାଷ୍ଟଫୁଡ୍ ଖାଇବା ଦ୍ୱାରା ମାନସିକ ଚାପ, ଚିଡ଼ିଚିଡ଼ା ଏବଂ ଡିପ୍ରେସନ୍ ଭଳି ସମସ୍ୟା ମଧ୍ୟ ବଢ଼ିପାରେ। ଏଥିରେ ଥିବା କୃତ୍ରିମ ସ୍ୱାଦ ଏବଂ ରଙ୍ଗ ସ୍ନାୟୁଗତ କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରେ।

Scroll to Top