ନୂଆଦିଲ୍ଲୀ: ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ମାଲିକଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି। ବର୍ତ୍ତମାନ ଏହି ପୁରୁଣା ଗାଡ଼ି ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବି.ଆର. ଗଭାଇ, ବିଚାରପତି ବିନୋଦ କେ. ଚନ୍ଦ୍ରନ୍ ଏବଂ ବିଚାରପତି ଏନ.ଭି. ଅଞ୍ଜାରିଆଙ୍କ ଖଣ୍ଡପୀଠ ରାଜଧାନୀ ଦିଲ୍ଲୀରେ ପୁରୁଣା ଗାଡ଼ି ଉପରେ ଫାଇନ୍ ଆଦାୟ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି।
ଖଣ୍ଡପୀଠ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ଚାରି ସପ୍ତାହ ପାଇଁ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ମାଲିକଙ୍କ ବିରୁଦ୍ଧରେ କୌଣସି ଦଣ୍ଡ କିମ୍ବା କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। କୋର୍ଟ ଏହି ମାମଲାରେ ଏକ ନୋଟିସ ଜାରି କରିଛନ୍ତି ଏବଂ ଚାରି ସପ୍ତାହ ମଧ୍ୟରେ ସମ୍ପୃକ୍ତ ପକ୍ଷଙ୍କଠାରୁ ଉତ୍ତର ମାଗିଛନ୍ତି। ଏହା ପରେ, ଏହି ମାମଲାର ପୁଣି ଶୁଣାଣି କରାଯିବ।
ଶୁଣାଣି ସମୟରେ, ମୁଖ୍ୟ ବିଚାରପତି ବି.ଆର. ଗଭାଇ କହିଥିଲେ ଯେ, ପୂର୍ବରୁ କାରଗୁଡ଼ିକ ୪୦ରୁ ୫୦ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଆଜି ମଧ୍ୟ ଅନେକ ପୁରୁଣା କାର ଅଛି। ସେ ପ୍ରଶ୍ନ ଉଠାଇଥିଲେ ଯେ, କେବଳ ବୟସ ଆଧାରରେ ଗାଡ଼ିଗୁଡ଼ିକୁ ପୁରୁଣା ଭାବରେ ବିବେଚନା କରିବା ଠିକ୍ ନୁହେଁ ? କୋର୍ଟ ଏହି ପ୍ରସଙ୍ଗକୁ ଅଧିକ ଗଭୀର ଭାବରେ ବିଚାର କରାଯିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି। କୋର୍ଟ କହିଛନ୍ତି ଯଦି ଗାଡ଼ିର ଅବସ୍ଥା ଏବଂ ତାହାର ପ୍ରଦୂଷଣ ସ୍ତର ଭିନ୍ନ ଥିବ ତେବେ ଏହି ପ୍ରସଙ୍ଗରେ ଗୁରତ୍ବର ସହ ବିଚାର କରାଯିବା ଆବଶ୍ୟକ ରହିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଜଣାପଡ଼ିଛି ବାୟୁ ମାନ ମ୍ୟାନେଜମେଣ୍ଟ (CAQM) ଏପର୍ଯ୍ୟନ୍ତ ୧୦ ବର୍ଷରୁ ପୁରୁଣା ଡିଜେଲ ଯାନ ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଯାନ ଦ୍ୱାରା ହେଉଥିବା ପ୍ରଦୂଷଣ ଉପରେ କୌଣସି ଅଧ୍ୟୟନ କରିନାହିଁ। ପରିବେଶବିତ୍ ଅମିତ ଗୁପ୍ତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ RTIର ଉତ୍ତରରେ, ଆୟୋଗ ସ୍ୱୀକାର କରିଛି ଯେ ଏହା ଏହି ବିଷୟରେ କୌଣସି ଗବେଷଣା କରିନାହିଁ। ଏହି ବିଷୟକୁ ମଧ୍ୟ କୋର୍ଟଙ୍କ ଦୃଷ୍ଟିକୁ ଅଣାଯାଇଥିଲା।
ଦିଲ୍ଲୀ ସରକାରଙ୍କ ପୂର୍ବ ନୀତି ଉପରେ ରୋକ
ଦିଲ୍ଲୀ ସରକାର ପୂର୍ବରୁ ପୁରୁଣା ଯାନବାହନ ବିରୋଧରେ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ ଏବଂ କହିଥିଲେ ଏହି ନୀତି କାର୍ଯ୍ୟକାରୀ କରିବା ପାଇଁ କୋର୍ଟରେ ଆବେଦନ କରିବେ। କିନ୍ତୁ ସୁପ୍ରିମକୋର୍ଟଙ୍କ ସଦ୍ୟତମ ନିର୍ଦ୍ଦେଶ ପରେ, ଏହି ନୀତି ବର୍ତ୍ତମାନ ପାଇଁ କାର୍ଯ୍ୟକାରୀ ହେବ ନାହିଁ। ପୁରୁଣା ଗାଡ଼ି ମାଲିକଙ୍କୁ ଚାରି ସପ୍ତାହର ଆଶ୍ୱସ୍ତି ମିଳିଛି। ମାମଲାର ପରବର୍ତ୍ତୀ ଶୁଣାଣି ପରେ କୋର୍ଟ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବେ।




