ଅସୀମ ମୁନିରଙ୍କ ପରମାଣୁ ଧମକର କଡ଼ା ଜବାବ ଦେଲା ଭାରତ, USକୁ ବି ଭର୍ତ୍ସନା କଲା

ଅସୀମ-ମୁନିରଙ୍କ-ପରମାଣୁ-ଧମକର-କଡ଼ା-ଜବାବ-ଦେଲା-ଭାରତ,-usକୁ-ବି-ଭର୍ତ୍ସନା-କଲା

ନୂଆଦିଲ୍ଲୀ ୧୧।୮:   ଭାରତର ନିକଟତମ ରଣନୈତିକ ଭାଗିଦାର ଦେଶ ଆମେରିକା ମାଟିରୁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଯେଉଁଭଳି ପରମାଣୁ ଅସ୍ତ୍ରକୁ ନେଇ ଧମକ ଦେଇଛନ୍ତି, ଭାରତ ତା ଉପରେ କଡ଼ା ପ୍ରତିକ୍ରିୟା ଦେଇଛି। ଭାରତ ସ୍ପଷ୍ଟ ରୂପେ କହିଛି ଯେ କୌଣସି ପରମାଣୁ ବ୍ଲାକମେଲ ଆଗରେ ନଇଁବ ନାହିଁ ଓ ନିଜର ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପ୍ରତ୍ୟେକ ପଦକ୍ଷେପ ଗ୍ରହଣ କରିବ। ଏଥିରେ ଆମେରିକାକୁ ମଧ୍ୟ ଭାରତ ଭର୍ତ୍ସନା କରିଛି। 

ଅସୀମ ମୁନିର ଆମେରିକା ଗସ୍ତରେ ଥିବା ବେଳେ ଫ୍ଲୋରିଡାରେ ପ୍ରବାସୀ ପାକିସ୍ତାନୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଯଦି ଭବିଷ୍ୟତରେ ଭାରତ ସହିତ ଯୁଦ୍ଧରେ ପାକିସ୍ତାନର ଅସ୍ତିତ୍ୱ ଲାଗି ବିପଦ ଉପୁଜେ ତେବେ ସେ ପରମାଣୁ ଉପଯୋଗ କରିବ। ଯଦି ଭାରତ ପାକିସ୍ତାନକୁ ପ୍ରବାହୀତ ହେଉଥିବା ଜଳ ପ୍ରବାହକୁ ଅଟକାଇଲା ତେବେ ଇସ୍ଲାମାବାଦ ଭାରତୀୟ ବନ୍ଧକୁ ନଷ୍ଟ କରିଦେବ। ସେ କହିଥିଲେ ଯେ ଆମେ ଏକ ପରମାଣୁ ରାଷ୍ଟ୍ର। ଯଦି ଆମକୁ ଲାଗିବ ଆମେ ବୁଡିବୁ ତେବେ ଅଧା ଦୁନିଆକୁ ନେଇ ବୁଡିବୁ। 

ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ପାକିସ୍ତାନରେ ସେନା ଓ ଆତଙ୍କବାଦୀ ସଙ୍ଗଠନଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଛି। ଏଣୁ ପାକିସ୍ତାନର ପରମାଣୁ କମାଣ୍ଡ ଓ ନିୟନ୍ତ୍ରଣର ବିଶ୍ୱସନୀୟତା ଉପରେ ବୈଶ୍ୱିକ ସମୂଦାୟରେ ସନ୍ଦେହ ରହିଛି। ପରମାଣୁ ଅସ୍ତ୍ରକୁ ନେଇ ପାକିସ୍ତାନର ବ୍ଲାକମେଲିଂକୁ ତାର ପୁରୁଣା ଅଭ୍ୟାସ କହିବା ସହିତ ଜୟସ୍ୱାଲ ଏହାକୁ ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିଛନ୍ତି। ସେହିପରି ଜେନେରାଲ ମୁନିର ଏହି ବୟାନ ଏକ ମିତ୍ର ଦେଶ (ଆମେରିକା) ମାଟିରୁ ଦେଇଛନ୍ତି। ଏହା ଅତ୍ୟନ୍ତ ଉଦବେଗର ବିଷୟ ବୋଲି କହିଛନ୍ତି। 

ସେହିପରି ମୁନିର ଙ୍କ ଏପରି ବୟାନବାଜିକୁ ଏପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ ଅଧିକାରୀକ ଭାବେ ନିନ୍ଦା ମଧ୍ୟ କରାଯାଇ ନାହିଁ କି ଖଣ୍ଡା ମଧ୍ୟ କରାଯାଉନି। ତେବେ ଭାରତର କିଛି ବିଶେଷଜ୍ଞ ଭାବୁଛନ୍ତି ଯେପରି ଡୋନାଲ୍ଡ ଟ୍ରମ୍ପ ଦୈନିକ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧକୁ ରୋକି ଦେଲେ ବୋଲି ଦାବି କରୁଛନ୍ତି ଏଥିରୁ ପାକ୍ ସେନାମୁଖ୍ୟ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବା ପାଇଁ ଉତ୍ସାହିତ ହୋଇଥାଇପାରନ୍ତି ବୋଲି କହିଛନ୍ତି।  

Scroll to Top