ଭୁବନେଶ୍ବର: ପାତ୍ରପଡ଼ା ଠାରେ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରେବତୀଙ୍କ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସୋମବାର ଚିକିତ୍ସାଧୀନ ଅବସ୍ଥାରେ ରେବତୀଙ୍କ ମୃତ୍ୟୁ ଘଟିଥିଲା।
ପୂର୍ବରୁ ଏହି ଦୁର୍ଘଟଣାରେ ରେବତୀଙ୍କ ୮ ବର୍ଷ ଝିଅର ମୃତ୍ୟୁ ହୋଇଥିବାବେଳେ ସୋମବାର ରେବତୀଙ୍କ ମୃତ୍ୟୁ ପରେ ଅସନ୍ତୋଷ ଜାହିର କରିଛନ୍ତି ଫୁଲେଶ୍ବରୀ ବସ୍ତିର ଶତାଧିକ ଲୋକେ। ସେତିକି ନୁହେଁ ପରିବା ବସ୍ତି ବାସିନ୍ଦା ରାଜପଥ ଉପରେ ରେବତୀଙ୍କ ମୃତଦେହ ରଖି ରାସ୍ତାରୋକ କରିଥିଲେ। ଅବଶ୍ୟ ପୋଲିସ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି।
ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ପାତ୍ରପଡ଼ା ଠାରେ ରେବତୀ ନିଜ ୮ ବର୍ଷ ଝିଅ ଓ ୨ ବର୍ଷର ପୁଅ ସହ ରାସ୍ତା ପାର କରୁଥିବାବେଳେ, ଦ୍ରୁତ ଗତିରେ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲେ। ଏଥରେ ରେବତୀଙ୍କ ଝିଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଆଉ ଗୁରୁତର ଅବସ୍ଥାରେ ରେବତୀ ଏବଂ ପୁଅକୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ମାତ୍ର ସୋମବାର ରେବତୀଙ୍କ ମୃତ୍ୟୁ ହୋଇଛି । ସେପଟେ ଘଟଣାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ପୋଲିସ ଏପର୍ଯ୍ୟନ୍ତ କେବଳ ଗାଡ଼ିଟିକୁ ଜଟଣୀ କୁସୁମାଟିରୁ ଠାବ କରିପାରିଛି। କାର ଚାଳକ ଏବେବି ଫେରାର୍ ଅଛନ୍ତି।




