ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଥିଲା ୧୪ତମ ପାଳି। ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମନ୍ତ୍ରିମଣ୍ଡଳର ବରିଷ୍ଠ ମନ୍ତ୍ରୀଗଣ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଅଭିଯୋଗ ଶୁଣାଣି ଯୋଗୁ ବିଭିନ୍ନ କାରଣରୁ ସମସ୍ୟାରେ ଥିବା ଲୋକମାନେ ଆଶା ଓ ଭରସା ନେଇ ଆସୁଛନ୍ତି ଏବଂ ସେମାନଙ୍କ ସମସ୍ୟାର ସମାଧାନ ମଧ୍ୟ କରାଯାଉଛି। ଗତ ୧୩ଟି ପାଳିରେ ଗ୍ରହଣ କରାଯାଇଥିବା ୧୨,୨୫୨ଟି ଅଭିଯୋଗ ମଧ୍ୟରୁ ୧୦,୮୦୭ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୮୮ ପ୍ରତିଶତ ଅଟେ । ବାକି ଅଭିଯୋଗ ଗୁଡ଼ିକ ପ୍ରକ୍ରିୟା ମଧ୍ୟରେ ରହିଛି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିୟମିତ ପ୍ରୟାସ ଯୋଗୁ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି।
ବଡ଼ କଥା ହେଲେ ୧୪ ତମ ପାଳିରେ ଆସିଥିବା ଅଭିଯୋଗକାରୀମାନଙ୍କ ମଧ୍ୟରେ କିଛି ଜଣ ନିଜ ନିଜ ସମସ୍ୟାକୁ ନେଇ ବିଚଳିତ ହେଉଥିବାରୁ, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭରସା ଓ ଆଶ୍ୱାସନା ଦେଇ ବୁଝାଇଥିଲେ ଏବଂ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ଭରା କଥାରେ ଚିନ୍ତିତ ଲୋକମାନଙ୍କ ମୁହଁରେ ଆଶାର କିରଣ ଦେଖାଦେଇଥିଲା ଏବଂ ସେମାନେ ଆଶ୍ୱସ୍ତ ହୋଇ ଫେରିଥିଲେ।




