ବାଂଲାଦେଶ ଏ ଠାରୁ ହାରି ଏସିଆ କପ୍ ରାଇଜିଂ ଷ୍ଟାର୍ସ ସେମିଫାଇନାଲରୁ ବିଦା ହେଲା ଭାରତ ଏ: ଭୁଲ୍ ନିଷ୍ପତ୍ତି ଯୋଗୁ ଭାଙ୍ଗିଲା ହୃଦୟ
Published By: Avinash – Prameya-News7 Bureau | November 21, 2025 08:56 PM
NEWS7

ଦୋହା: ବାଂଲାଦେଶ ଏ ଠାରୁ ହାରିଏସିଆ କପ୍ ରାଇଜିଂ ଷ୍ଟାର୍ସ ସେମିଫାଇନାଲ ବିଦା ହେଲା ଭାରତ ଏ। ବାଂଲାଦେଶ ଏ ପ୍ରଥମେ ବ୍ୟାଟିଂ କରି୧୯୫ରନ ଟାର୍ଗେଟ୍ ଦେଇଥିଲା। ଭାରତ ଏ ୨୦ ଓଭର ଟାର୍ଗେଟ୍ ପୂରା କରି ନପାରିଲେ ମଧ୍ୟ ମ୍ୟାଚ୍ ଟାଏ କରିଥିଲା। ଶେଷରେ ଉଭୟ ଦଳ ମଧ୍ୟରେ ସୁପର ଓଭର ଖେଳ ହୋଇଥିଲା। ଯେଉଁଥରେ ଭାରତ ଖାତା ବି ଖୋଲିପାରି ନଥିଲା। ଏଥିରେ ବାଂଲାଦେଶ ମାତ୍ର ୧ ରନ୍ କରି ମ୍ୟାଚ୍ ଜିତି ନେଇଛି।
କ୍ୟାପ୍ଟେନ୍ ଜିତେଶ ଶର୍ମାଙ୍କର ଭୁଲ ନିଷ୍ପତ୍ତି ଯୋଗୁ ଭାରତ ସୁପର ଓଭରରେ ପରାସ୍ତ ହୋଇଛି ବୋଲି କୁହାଯାଉଛି। ଦୋହାରେ ଖେଳାଯାଇଥିବା ଆଜିର ମ୍ୟାଚ୍ରେ ଟସ୍ ଜିତି ଭାରତ ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ଦେଇଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା। ଦଳ ଭାରତ ଆଗରେ ୧୯୫ ରନ୍ର ଟାର୍ଗେଟ୍ ରଖିଥିଲା।
ବାଂଲାଦେଶ ପାଇଁ ଓପନର ବ୍ୟାଟର ହବିବୁର ରହମାନ ରକ୍ଷଣଶୀଳ ଭାବେ ବ୍ୟାଟିଂ କରି ଦଳର ଗୋଟିଏ ପାର୍ଶ୍ୱ ସମ୍ଭାଳି ଦେଇଥିଲେ। ଦଳ ପାଇଁ ସେ ସର୍ବାଧିକ ୬୫ ରନ୍ କରିଥିଲେ। ସେ ମାତ୍ର ୩୨ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ଫଳରେଦଳର ମିଡିଲ ଅର୍ଡରକୁ ବଳ ଦେଇଥିଲା।
ଲୋୟର ଅର୍ଡରରେଏସ୍ଏମ୍ ମେହରୁବ ହୋସେନ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ମାତ୍ର ୧୮ ବଲ୍ରେ ଅପରାଜିତ ୪୮ ରନ୍ କରିଥିଲେ।ଯାହା ବାଂଲାଦେଶ ଏ‘ର ବିଶାଳ ସ୍କୋର ଛିଡ଼ା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ମେହରୁବ ଶେଷ ଓଭରଗୁଡ଼ିକରେ ଛକା ପରେ ଛକା ମାରି ଦଳ ପାଇଁ ଏକ ଧମାକାଦାର ଶେଷ କରିଥିଲେ। ଫଳରେ ବାଂଲାଦେଶ ୨୦ ଓଭରରେ ୬ ୱିକେଟ ହରାଇ ୧୯୪ ରନ କରିଥିଲା।
୧୯୫ର ଟାର୍ଗେଟ୍ ପିଛା କରି ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତ ପୂର୍ବଭଳି ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ ଆରମ୍ଭ କରିଥିଲା। ବୈଭବ ସୂର୍ଯ୍ୟବଂଶୀ ଏବଂ ପ୍ରିୟାଂଶ ଆର୍ଯ୍ୟ ଟିମ୍ ଇଣ୍ଡିଆକୁ ଏକ ଭଲ ଆରମ୍ଭ ଦେଇଥିଲେ। ସୂର୍ଯ୍ୟବଂଶୀ ମାତ୍ର ୧୫ ବଲରେ ୩୮ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ପ୍ରିୟାଂଶ ୨୩ ବଲରେ ୪୪ ରନ କରିଥିଲେ। ଜିତେଶ ଶର୍ମା ମଧ୍ୟ ୩୩ ରନ କରି ଦଳର ଇନିଂସକୁ ଆଗକୁ ନେଇଥିଲେ। ତେବେନେହାଲ ୱାଧେରା ୨୯ ବଲରେ ୩୨ ରନର ଏକ ମନ୍ଥର ଇନିଂସ ଖେଳିଥିଲେ,ଫଳରେ ଟିମ୍ ଇଣ୍ଡିଆ ମ୍ୟାଚ୍ରେ ପଛରେ ପଡ଼ିଯାଇଥିଲା। ଶେଷରେ ଆଶୁତୋଷ ଶର୍ମା ୬ ବଲରେ ୧୩ ରନ କରିଥିଲେ ଏବଂ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା।
ସୁପର ଓଭରରେ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଏଇଠି କ୍ୟାପ୍ଟେନ୍ ଜିତେଶ ଶର୍ମାଙ୍କ ଭୁଲ ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପୂରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ଓପନିଂ ଛାଡ଼ି ନଥିଲେ କ୍ୟାପ୍ଟେନ୍। ବଂର ନିଜେ ଜିତେଶ ଶର୍ମା ରମନଦୀପ ସିଂହ ପଡ଼ିଆକୁ ଓହ୍ଲାଇଥିଲେ।
ସେପଟେ ବାଂଲାଦେଶ ପକ୍ଷରୁ ରିପନ ମଣ୍ଡଳ ଓପନିଂ ବୋଲିଂ କରିଥିଲେ। ରିପନ ଓଭରର ପ୍ରଥମ ବଲ୍ରେ ୟର୍କର ମାରି ଜିତେଶ ଶର୍ମାଙ୍କୁ ବୋଲ୍ଡ କରିଥିଲେ। ଜିତେଶ ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ। ସେ ଆଉଟ ହେବା ପରେ ବି ସୂର୍ଯ୍ୟବଂଶୀଙ୍କ ବଦଳରେ ଆଶୁତୋଷଙ୍କୁ ବ୍ୟାଟିଂ ପଠାଇଥିଲେ ଜିତେଶ। ହେଲେ ପରବର୍ତ୍ତୀ ବଲ୍ରେ ଆଶୁତୋଷ ଶର୍ମା ମଧ୍ୟ ଆଉଟ୍ ହୋଇଥିଲେ। ଏପରି ଭାବରେ ଭାରତ ସୁପର ଓଭରରେ ଗୋଟିଏ ବି ରନ୍ କରିପାରି ନଥିଲା। ଫଳରେ ବାଂଲାଦେଶକୁ ମ୍ୟାଚ୍ ଜିତିବାକୁ ହେଲେ ମାତ୍ର ୧ ରନର ଆବଶ୍ୟକତା ଥିଲା।
ମାତ୍ର ଗୋଟିଏ ରନ ପିଛା କରିବାକୁ ଆସିଥିବା ବାଂଲାଦେଶ ମଧ୍ୟ ଭାରତର ପ୍ରଥମ ବଲ୍ରେ ୱିକେଟ ହରାଇଥିଲା। ଭାରତ ପକ୍ଷରୁ ସୁୟାଶ ଶର୍ମା ପ୍ରଥମେ ବୋଲିଂ କରିବାକୁ ଆସିଥିଲେ। ତାଙ୍କର ପ୍ରଥମ ବଲରେ ୟାସିର ଅଲି ବଡ଼ ଶଟ୍ ଖେଳିବାକୁ ଯାଇ ବାଉଣ୍ଡରି ପାଖରେ ରମଣଦୀପଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ସୁୟାଶ ପରବର୍ତ୍ତୀ ବଲ୍ରେ ୱାଇଡ୍ ଦେଇ ବାଂଲାଦେଶକୁ ବିଜୟୀ କରାଇଥିଲେ।
ସୁପର ଓଭରରେ ସୂର୍ଯ୍ୟବଂଶୀଙ୍କୁ ଓପନିଂ ନ ଛାଡିବାକୁ ନେଇ କ୍ରିକେଟ ଫ୍ୟାନ୍ ଆଶ୍ଚର୍ଯ୍ୟ ହୋଇଛନ୍ତି। କେଉଁ କାରଣରୁ ସୂର୍ଯ୍ୟବଂଶୀଙ୍କୁ ଓପନିଂ ଛଡାଗଲା ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି। ବିଶେଷକରି କ୍ୟାପ୍ଟେନ୍ ଜିତେଶ ଶର୍ମା ଫ୍ୟାନ୍ଙ୍କ ଟାର୍ଗେଟ୍ରେ ଆସିଛନ୍ତି।




