ଆସିଲା ‘ୱାର୍ଲଡ ଇକୋନମୀ ଆଉଟଲୁକ୍’ ରିପୋର୍ଟ-୨୦୨୫, ଏମାନେ ହେଉଛନ୍ତି ବିଶ୍ୱର TOP-10 ଋଣୀ ଦେଶ

ଆସିଲା-‘ୱାର୍ଲଡ-ଇକୋନମୀ-ଆଉଟଲୁକ୍’-ରିପୋର୍ଟ-୨୦୨୫,-ଏମାନେ-ହେଉଛନ୍ତି-ବିଶ୍ୱର-top-10-ଋଣୀ-ଦେଶ

ନୂଆଦିଲ୍ଲୀ ୨୧।୧୧: ସାରା ବିଶ୍ୱ ଏବେ ଋଣରେ ବୁଡିବାରେ ଲାଗିଛି। ତେବେ ସବୁଠୁ ମଜାଦାର କଥା ହେଲା ଯେଉଁ ଦେଶଙ୍କୁ ଆମେ ପ୍ରାୟତଃ ଆର୍ଥିକ ସଂକଟ ସହ ଯୋଡି ଦେଖୁଛେ ଏଥର ଟପ-୭ ଋଣୀ ଦେଶଙ୍କ ସୂଚୀରେ ସେମାନେ କେଉଁଠି ବି ନାହାନ୍ତି। ହେଲେ ଏହି ତାଲିକାରେ ଏପରି ବିକଶିତ ଦେଶ ସବୁ ଅଛନ୍ତି ଯେଉଁମାନଙ୍କ ଅର୍ଥ ବ୍ୟବସ୍ଥାକୁ ବିଶ୍ୱରେ ସବୁଠୁ ଦୃଢ ବୋଲି କୁହାଯାଏ। ସବୁଠୁ ବଡ଼ ଋଣୀ କୌଣସି ଦୁର୍ବଳ ଅର୍ଥନୀତିର ଦେଶ ନୁହେଁ ବରଂ ବିଶ୍ୱର ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ଆମେରିକା ଥିବା ଜଣାପଡିଛି।

ୱାର୍ଲଡ ଇକୋନମିକ୍ ଆଉଟଲୁକ୍- ୨୦୨୫ ଅକ୍ଟୋବର ରିପୋର୍ଟ ଅନୁସାରେ ଚଳିତ ବର୍ଷ ବିଶ୍ୱର ମୋଟ ସରକାରୀ ଋଣ ୧୧୦.୯ ଟ୍ରିଲିୟନ ଡଲାର ଅର୍ଥାତ ୧୧୦,୯୫୫.୬ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିବ। ଏଥିରେ ସବୁଠୁ ଅଧିକ ଋଣ ଉଠାଇ ଥିବା ଦେଶଙ୍କ ସୂଚୀର ଶୀର୍ଷରେ ଆମେରିକା, ଚୀନ୍ ଓ ଜାପାନ ଅଛନ୍ତି। ତଥ୍ୟ ଅନୁସାରେ ବୈଶ୍ୱିକ ସରକାରୀ ଋଣରେ ସବୁଠୁ ବଡ଼ ଅଂଶ ୩୪.୫%ଏକାକୀ ଆମେରିକା ଉଠାଇଛି। ଏହା ପଛକୁ ଚୀନ୍ ଥିବା ବେଳେ ତୃତୀୟ ସ୍ଥାନରେ ଜାପାନ ରହିଛି। ତେବେ ଜିଡିପି ତୁଳନାରେ ଜାପାନର ଋଣ ବୋଝ ସବୁଠୁ ଅଧିକ ହୋଇଥିବା ବେଳେ ଏହା ୨୨୯.୬%କୁ ପହଞ୍ଚି ଯାଇଛି।

ଏହି ସୂଚୀରେ ଭାରତ ମଧ୍ୟ ରହିଛି। ବୈଶ୍ୱିକ ଋଣରେ ଭାରତର ଭାଗ ମାତ୍ର ୩% । ତେବେ ଭାରତର ଡେଟ୍-ଟୁ-ଜିଡିପି ରେସିଓ ବିକଶିତ ଦେଶଙ୍କ ତୁଳନାରେ ବହୁତ କମ୍ ଥିବା ଦେଖା ଯାଇଛି। ବୈଶ୍ୱିକ ଋଣର ୩୪.୫% ଆମେରିକା ଉଠାଇଥିବା ବେଳେ ଚୀନ୍ ୧୬.୮%, ଜାପାନ ୮.୯%, ବ୍ରିଟେନ ୩.୭%, ଫ୍ରାନ୍ସ ୩.୫%, ଇଟାଲୀ ୩.୧% ଓ ଭାରତ ୩.୦% ଋଣ କରିଛି। ଏଥିରୁ ବିଶ୍ୱରେ ମୋଟ ସରକାରୀ ଋଣର ଅଧାରୁ ଅଧିକ ଭାଗ ୩ ଦେଶ ଆମେରିକା, ଚୀନ୍ ଓ ଜାପାନ ଉଠାଇଥିବା ଦେଖାଯାଇଛି।

ଜିଡିପି ତୁଳନାରେ କେଉଁ ଦେଶଙ୍କ ଋଣ ବୋଝ କେତେ ତାହା ଆକଳନ କରାଗଲେ ଏଥିରେ ଜାପାନ ଉପରେ ସର୍ବାଧିକ ୨୨୯.୬% ଋଣ ବୋଝ ଥିବା ବେଳେ ଇଟାଲୀ ଉପରେ ୧୩୬.୮%, ଆମେରିକା ଉପରେ ୧୨୫%, ଫ୍ରାନ୍ସର ୧୧୬.୫%, ବ୍ରିଟେନ ଉପରେ ୧୦୩.୪%, ଚୀନ୍ ଉପରେ ୯୩.୬% ଓ ଭାରତ ଉପରେ ୮୧.୪% ଋଣ ବୋଝ ରହିଛି। ଜାପାନର ଋଣ ବୋଝ ଏହାର ଜିଡିପିର ୨ ଗୁଣାର ବି ଅଧିକ ହୋଇଯାଇଥିବା ବେଳେ ଏହା ବିଶ୍ୱରେ ସବୁଠୁ ଅଧିକ ଋଣ ବୋଝ ବୋଲି ବୁଝା ଯାଉଛି। ଏଥିରେ ଭାରତର ସ୍ଥିତି ଅନ୍ୟ ଦେଶଙ୍କ ତୁଳନାରେ ଭଲ ଥିଲେ ବି ଋଣ ବାର ବଢିବଢି ଚାଲିଥିବାରୁ ଚିନ୍ତାଜନକ ହୋଇଛି।

Scroll to Top