ସୋମବାର ମହାପ୍ରଭୁଙ୍କ ପଇତା ଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
Published By: Kirti – Prameya-News7 Bureau | November 17, 2025 08:03 AM
NEWS7
ପୁରୀ ୧୭।୧୧ : ଆଜି ମାର୍ଗଶୀର କୃଷ୍ଣ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପାଞ୍ଚ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୫ ଟା ଠାରୁ ରାତି ୧୦ ଟା ଯାଏଁ ପାଞ୍ଚ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦଇତାପତି ସେବାୟତମାନଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଏହି ଗୁପ୍ତ ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପାଟରା ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ପଇତା ଲାଗି କରାଯିବ। ପଇତାଲାଗି ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ବର୍ଷକୁ ଦୁଇଥର ମହାପ୍ରଭୁଙ୍କର ଏହି ପଇତା ଲାଗି ନୀତି ଅନୁଷ୍ଠିତ ହେଉଥିବା ବେଳେ ଗୋଟିଏ ଓଢ଼ଣୀ ଷଷ୍ଠୀ ପୂର୍ବରୁ ଏବଂ ଅନ୍ୟଟି ଚନ୍ଦନ ଯାତ୍ରା ପୂର୍ବରୁ ହେବାର ପରମ୍ପରା ରହିଛି।




