ଦୁଇ ଦିନରେ ୧୫୦୦ କିଲୋମିଟର ଯାତ୍ରା, ମଣିପୁରରୁ ଓଡ଼ିଶା ପହଞ୍ଚିଲା ଫାଲକନ ପକ୍ଷୀ

ଦୁଇ-ଦିନରେ-୧୫୦୦-କିଲୋମିଟର-ଯାତ୍ରା,-ମଣିପୁରରୁ-ଓଡ଼ିଶା-ପହଞ୍ଚିଲା-ଫାଲକନ-ପକ୍ଷୀ

କେନ୍ଦ୍ରାପଡ଼ା: ଦୁଇ ଦିନରେ ୧୫୦୦ କିଲୋମିଟର ପାର୍ କରି ଓଡ଼ିଶା ପହଞ୍ଚିଲା ଆମୁର ପ୍ରଜାତିର ଏକ ଅଣ୍ଡିରା ଫାଲକନ୍ । ନଭେମ୍ବର ୧୧ ତାରିଖ ମଙ୍ଗଳବାର ମଣିପୁରର ତାମେଙ୍ଗଲଙ୍ଗ ଜଙ୍ଗଲରୁ ଆପ୍ପାଙ୍ଗ ନାମକ ଏହି ଫାଲକନ ଉଡ଼ାଣ ଭରିଥିଲା। ତେବେ ଏହି ଫାଲକନକୁ ବୈଜ୍ଞାନିକମାନେ ପରୀକ୍ଷଣ ପାଇଁ ପଠାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଡେରାଡୁନର ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII)ର ବୈଜ୍ଞାନିକମାନେ ଆମୁର ଫାଲକନ୍ ଦେହରେ ଏକ ସାଟେଲାଇଟ୍ ଟ୍ରାନ୍ସମିଟର ଲଗାଇଥିଲେ। ଯାହାଦ୍ବାରା ପକ୍ଷୀ ବିଷୟରେ ଗବେଷଣା କରିହେବ। WIIର ବରିଷ୍ଠ ବୈଜ୍ଞାନିକ ସୁରେଶ କୁମାର କହିଛନ୍ତି, ପକ୍ଷୀଟି ଗୁରୁବାର ଓଡ଼ିଶାରେ ପ୍ରବେଶ କରିଥିଲା। ଏହା ବାଲେଶ୍ଵର, ସାତକୋଶିଆ ଏବଂ ଫୁଲବାଣୀ ଅତିକ୍ରମ କରି ଉଡ଼ିଥିଲା ଏବଂ ଗୁରୁବାର ସକାଳ ସାଢ଼େ ୧୧ଟାରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ଏହାକୁ ଠାବ କରାଯାଇଥିଲା।

ସେ ଆହୁରି କହିଛନ୍ତି, ତିନୋଟି ଆମୁର ଫାଲକନ୍‌ଙ୍କ ଦେହରେ ଟ୍ୟାଗ୍ ଲଗାଯାଇଥିଲା। ଯେଉଁଥିରେ ଗୋଟିଏ ଅଣ୍ଡିରା ଫାଲକନ ଆପ୍ପାଙ୍ଗ, ଦୁଇଟି ମାଈ ଫାଲକନ ଆହୁ ଏବଂ ଆଲାଙ୍ଗଙ୍କୁ ସାଢ଼େ ୩ ଗ୍ରାମ ଓଜନର ହାଲୁକା ସାଟେଲାଇଟ୍ ଟ୍ରାନ୍ସମିଟର ଲଗାଯାଇଥିଲା। ସମସ୍ତଙ୍କୁ ମଙ୍ଗଳବାର ତାମେଙ୍ଗଲଙ୍ଗର ଚିଉଲୁଆନ୍ ବାସସ୍ଥାନରୁ ମୁକ୍ତ କରାଯାଇଥିଲା। ଟେଫଲନ୍ ରିବନ ଦ୍ବାରା ସଂଲଗ୍ନ ଟ୍ରାନ୍ସମିଟର ବୈଜ୍ଞାନିକମାନଙ୍କୁ ଏହି ପକ୍ଷୀଙ୍କ ଆନ୍ତଃମହାଦେଶୀୟ ଗତିପଥ ଏବଂ ସେମାନଙ୍କର ରହଣି ଅଧ୍ୟୟନ କରିବାରେ ସାହାଯ୍ୟ କରିବ।

ତେବେ ଆପ୍ପାଙ୍ଗମୁକ୍ତ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଓଡ଼ିଶା ପହଞ୍ଚିବାର ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ସୁରେଶ କୁମାର। ଏହି ସାଟେଲାଇଟ୍ ଟ୍ୟାଗିଂର ଲକ୍ଷ୍ୟ ହେଉଛି ପକ୍ଷୀଙ୍କ ପ୍ରବାସୀ ଆଚରଣକୁ ଭଲ ଭାବରେ ବୁଝିବା ଏବଂ ବିଶ୍ୱ ସ୍ତରରେ ଏହି ପ୍ରବାସୀ ପ୍ରଜାତି ପାଇଁ ସଂରକ୍ଷଣ ପ୍ରୟାସକୁ ମଜଭୁତ କରିବା ବୋଲି କହିଛନ୍ତି ବୈଜ୍ଞାନିକ ସୁରେଶ କୁମାର।

Scroll to Top