ଛୋଟପିଲାଙ୍କୁ ସୁଇସାଇଡ ନୋଟ୍‌ ଲେଖିବା ଓ ମଦ ପିଇ ମାତାଲ ହେବା ଶିଖାଉଛି ଚାଟଜିପିଟି: ଗବେଷଣାରେ ଆସିଲା ଭୟଙ୍କର ତଥ୍ୟ

ଛୋଟପିଲାଙ୍କୁ-ସୁଇସାଇଡ-ନୋଟ୍‌-ଲେଖିବା-ଓ-ମଦ-ପିଇ-ମାତାଲ-ହେବା-ଶିଖାଉଛି-ଚାଟଜିପିଟି:-ଗବେଷଣାରେ-ଆସିଲା-ଭୟଙ୍କର-ତଥ୍ୟ

ନୂଆଦିଲ୍ଲୀ: କିଶୋର କିଶୋରୀମାନଙ୍କୁ ସୁଇସାଇଡ୍ ନୋଟ୍‌ ଲେଖିବା, ମଦ ପିଇ ମାତାଲ ହେବା ଆଦି ମାରାତ୍ମକ କଥା ଶିଖାଉଛି OpenAIର ChatGPT । ଚାଟଜିପିଟିର ଏଭଳି କୁ-ଶିକ୍ଷା କବଳରେ ପଡିଛନ୍ତି ୭୦ ପ୍ରତିଶତ ଛୋଟପିଲା। ଗବେଷଣାରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଏଆଇର ଭୟାବହତା ନେଇ ଚିନ୍ତା ବଢ଼ିଯାଇଛି। ଯାହାକୁ ନେଇ ଏବେ ବିବାଦରେ ଚାଟଜିପିଟି। 

ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ ଚାଟଜିପିଟି ୧୩ ବର୍ଷ ବୟସର ପିଲାମାନଙ୍କୁ ସୁଇସାଇଡ ନୋଟ ଲେଖିବାରେ ସାହାଯ୍ୟ କରୁଛି। କେବଳ ସେତିକି ନୁହେଁ, ମଦ ପିଇ କିଭଳି ମାନସିକ ସ୍ତରରେ ଉତ୍ତେଜିତ ହେବ, ଏହାର ଉପାୟ ବି କହୁଛି। ସେଣ୍ଟର ଫର୍ କାଉଣ୍ଟରିଂ ଡିଜିଟାଲ୍ ହେଟ୍ (CCDH) ର ଗବେଷଣାରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଏଥିରେ, ଗବେଷକମାନେ ୧୩ ବର୍ଷ ବୟସର ନକଲି ପିଲା ଭାବରେ ନିଜକୁ ପରିଚୟ ଦେଇ ଚାଟଜିପିଟକୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥିଲେ। ୩ ଘଣ୍ଟାରୁ ଅଧିକ ସମୟ ଧରି ଚାଟଜିପିଟିରେ ଏଭଳି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରିବା ପରେ ଗବେଷଣା ଟିମ୍ ଏହାର ସମୀକ୍ଷା କରିଥିଲା। ଗବେଷଣାରୁ ଜଣାପଡିଛି ଯେ ଏଆଇ ଟୁଲ୍ସ କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ନକାରାତ୍ମକ ଭାବରେ ପ୍ରଭାବିତ କରିପାରେ।

ରିସର୍ଚ୍ଚରେ ୧୩ ବର୍ଷର ଛୋଟ ପିଲାର ଏକ ନକଲି ପ୍ରୋଫାଇଲ୍‌ରୁ ଚାଟଜିପିଟିକୁ ଯେତେବେଳେ ଆତ୍ମହତ୍ୟା ବିଷୟରେ ପଚରାଗଲା ସେତେବେଳେ ଏଇ ୩ ପ୍ରକାରର ଏକ ଭାବପ୍ରବଣ ଭରା ସୁଇସାଇଡ୍ ନୋଟ୍ ଲେଖିଥିଲା। ଯେଉଁଥିରେ ପ୍ରଥମଟି ବାପାମାଙ୍କ ପାଇଁ, ଦ୍ୱିତୀୟ ଭାଇଭଉଣୀ ଓ ତୃତୀୟଟି ସାଂଗସାଥିଙ୍କ  ଉଦ୍ଦେଶ୍ୟରେ ଲେଖା ହୋଇଥିଲା। ଏହି ସୁଇସାଇଡ୍ ନୋଟ୍ସଗୁଡ଼ିକ ଏତେ ଭାବପ୍ରବଣଭରା ଓ ଦୁଃଖପୂର୍ଣ୍ଣ ଥିଲା ଯେ ଗବେଷକମାନଙ୍କ ଆଖିରୁ ମଧ୍ୟ ଲୁହ ଝରିପଡ଼ିଥିଲା। 

ଗବେଷକମାନେ ଯେତେବେଳେ ଛୋଟପିଲା ପ୍ରୋଫାଇଲ୍‌ରେ ନିଶା ସମ୍ପର୍କିତ କିଛି ପରାମର୍ଶ ମାଗିଥିଲେ ସେତେବେଳେ ଚାଟ ଜିପିଟି ୫୦ କିଲୋଗ୍ରାମ ଓଜନର ୧୩ ବର୍ଷୀୟ ନାବାଳକ ପାଇଁ ମଦ ଓ ନିଶାଯୁକ୍ତ ଔଷଧ(ଏକ୍ସଟାସି ଏବଂ କୋକେନ୍ ଭଳି)ର ପରାମର୍ଶ ଦେବା ସହିତ ଘଣ୍ଟା ଘଣ୍ଟା ଧରି ପାର୍ଟି ପ୍ଲାନ କରିଥିଲା। ଜଣେ ୧୩ ବର୍ଷୀୟା ଝିଅ ଯିଏ ନିଜ ଶରୀରର ଗଢ଼ଣରେ ଅସନ୍ତୁଷ୍ଟ ଥିଲା, ତାକୁ ଚାଟବଟ୍ ଅତି କମ କ୍ୟାଲୋରୀଯୁକ୍ତ ଡାଏଟ୍ ପ୍ଲାନ ନେବାକୁ ପରାମର୍ଶ ଦେବା ସହିତ ଭୋକ କମାଇବା ଔଷଧର ଏକ ତାଲିକା ଦେଇଥିଲା। ଯଦିଓ କିଛି କିଛି ଜାଗାରେ ଚାଟବଟ୍ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଭଳି ଉପଯୋଗୀ ସୂଚନା ପ୍ରଦାନ କରିଥିଲା, ତେବେ ଏଭଳି ବିପଦପୂର୍ଣ୍ଣ ପରାମର୍ଶ ଦେବାରୁ ବିରତ ରହିପାରି ନଥିଲା।

ସୂଚନା ଅନୁସାରେ ଆମେରିକାର ୭୦ ପ୍ରତିଶତ କିଶୋରକିଶୋରୀ ଚାଟଜିପିଟି ବ୍ୟବାହର କରୁଛନ୍ତି। ଅଧାରୁ ଅଧିକ ଏହାକୁ ନିୟମିତ ବ୍ୟବହାର କରୁଛନ୍ତି। କିଶୋରମାନେ ଆଡଭାଇସ, ଇମୋସନାଲ ସପୋର୍ଟ ଏବଂ ଡିସିସନ ମେକିଂ ପାଇଁ ଚାଟଜିପିଟି ବ୍ୟବହାର କରୁଛନ୍ତି। ୩୩% କିଶୋର ଗମ୍ଭୀର ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା କରିଛନ୍ତି। ତେବେ ଜେପି ମୋରଗାନ ତେଜ୍‌ର ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୮୦୦ ମିଲିଅନ ଲୋକ, ଅର୍ଥାତ୍ ବିଶ୍ୱର ପ୍ରାୟ ୧୦% ଜନସଂଖ୍ୟା, ଚାଟଜିପିଟି ବ୍ୟବହାର କରୁଛନ୍ତି।

ସବୁଠାରୁ ବଡ଼ କଥା ହେଲା ଚାଟ୍‌ ଜିପିଟିରେ ଦିଆଯାଇଥିବା ସୁରକ୍ଷା ଫିଚର୍ସ ଫେଲ ମାରିଛି ବୋଲି ଗବେଷଣାରେ ଧରାପଡ଼ିଛି।

ଯେତେବେଳେ କେହି ନିଜକୁ କ୍ଷତି ପହଞ୍ଚାଇବା ବିଷୟରେ ଚାଟ ଜିପିଟିକୁ ପ୍ରଶ୍ନ କରନ୍ତି ସେତେବେଳେ ଚାଟଜିପିଟି ସେମାନଙ୍କୁ ଜରୁରୀକାଳୀନ ହେଲପଲାଇନ୍ କିମ୍ବା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରିବାକୁ ପ୍ରୋତ୍ସାହିତ କରିଥାଏ। କିନ୍ତୁ ଏଆଇ ଏଥିରେ ଫେଲ୍ ମାରିଥିଲା ବୋଲି ଗବେଷକମାନେ ରିସର୍ଚ୍ଚରେ ଜାଣିବାକୁ ପାଇଥିଲେ।

ସେପଟେ ଚାଟଜିପିଟି କହୁଛି ୧୩ ବର୍ଷରୁ କମ ବୟସର ପିଲା ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ, ଅନ୍ୟପଟେ ବୟସ ସୀମା ଧରିବାକୁ ଏଥିରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। କେବଳ ଜନ୍ମ ତାରିଖ ଦେଇ ଆପଣ ଆକାଉଣ୍ଟ ଖୋଲି ପାରିବେ। ପିଲାର ବୟସ ୧୦ ହୋଇଥିଲେ ବି ସେ ବୟସ ୧୮ କରି ଏଥିରେ ଆକାଉଣ୍ଟ ଖୋଲି ପରାମର୍ଶ ନେଇପାରିବେ। ଏହା ବିପଦପୂର୍ଣ୍ଣ ବୋଲି ଗବେଷଣାରୁ ଜଣାପଡ଼ିଛି।

Scroll to Top