ଆମେ ଯଦି ବୁଡ଼ିବୁ , ଅଧା ଦୁନିଆକୁ ବି ସାଥିରେ ନେଇ ଯିବୁ : ଭାରତକୁ ପୁଣି ପରମାଣୁ ଧମକ ଦେଲେ ମୁନିର

ଆମେ-ଯଦି-ବୁଡ଼ିବୁ-,-ଅଧା-ଦୁନିଆକୁ-ବି-ସାଥିରେ-ନେଇ-ଯିବୁ-:-ଭାରତକୁ-ପୁଣି-ପରମାଣୁ-ଧମକ-ଦେଲେ-ମୁନିର

ନୂଆଦିଲ୍ଲୀ : ‘ ଅପରେସନ ସିନ୍ଦୂର’ ରେ ଭାରତ ଦ୍ୱାରା ଶକ୍ତ ପ୍ରହାର ଖାଇ ଥିବା ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଆସିମ୍‌ ମୁନିର ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ଆମେରିକା ମାଟିରୁ ମୁନିର କହିଛନ୍ତି ଯେ, ଯଦି ଭାରତ ସହ ଭବିଷ୍ୟତରେ ଯୁଦ୍ଧ ହୁଏ ଏବଂ ଏଥିରେ ପାକିସ୍ତାନର ଅସ୍ତିତ୍ୱ ଉପରେ ବିପଦ ଘେରି ରହେ, ତ ପୂରା କ୍ଷେତ୍ରକୁ ପରମାଣୁ ଯୁଦ୍ଧରେ ପକାଇ ଦେବୁ। ଆମେରିକାର ଟାମ୍ପା ସହରରେ ବିଜନେସମ୍ୟାନ ଅଦନାନ ଅସଦଙ୍କ ଦ୍ୱାରା ଆୟୋଜିତ ଡିନରରେ ଯୋଗ ଦେଇ ମୁନିର କହିଛନ୍ତି, ଆମେ ଏକ ପରମାଣୁ ରାଷ୍ଟ୍ର, ଯଦି ଆମକୁ ଲାଗୁଛି ଯେ, ଆମେ ବି ବୁଡ଼ିବାକୁ ଯାଉଛୁ, ତ ଅଧା ଦୁନିଆକୁ ସାଥିରେ ନେଇ ଯିବୁ।

‘ଦ ପ୍ରିଣ୍ଟ’ ସୂତ୍ରାନୁସାରେ କହିଛି ଯେ, ମୁନିର ଡିନର ବେଳେ ଭାରତ ଦ୍ୱାରା ବାତିଲ କରାଯାଇ ଥିବା ସିନ୍ଧୁ ଜଳ ଚୁକ୍ତି ଉପରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ଭାରତର ଏହି ନିଷ୍ପତ୍ତି ୨୫କୋଟି ଲୋକଙ୍କୁ ଅନାହାରରେ ପକାଇ ପାରେ। ଆମେ ଅପେକ୍ଷା କରୁଛି କି, ଭାରତ କେବେ ବନ୍ଧ ନିର୍ମାଣ କରୁଛି ଏବଂ ଯେତେବେଳେ ସେ କରିବ, ତ ଆମେ ଏହାକୁ ୧୦ଟି ମିସାଇଲ ଆକ୍ରମଣରେ ଧ୍ୱଂସ କରି ଦେବୁ। ସେ କହିଛନ୍ତି, ସିନ୍ଧୁ ନଦୀ ଭାରତର ଲୋକଙ୍କ ପାରିବାରିକ ସଂପତ୍ତି ନୁହେଁ। ଆମର ମିସାଇଲର ଅଭାବ ନାହିଁ।

ଭାରତ ସହ ଚାରି ଦିନ ଯାଏ ଚାଲିଥିବା ସଂଘର୍ଷ ପରେ ମୁନିରଙ୍କର ଏହା ଦ୍ୱିତୀୟ ଅମେରିକୀୟ ଗସ୍ତ। ପ୍ରଥମ ଥର ସେ ଆମେରକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିଥିଲେ। ଚଳିତ ଥର ପାକିସ୍ତାନର ସେନା ମୁଖ୍ୟ ଆମେରିକାର ଶୀର୍ଷ ରାଜନୈତିକ ଓ ସାମରିକ ନେତାଙ୍କୁ ସାକ୍ଷାତ୍‌ କରିଛନ୍ତି। ପାକିସ୍ତାନର ସେନା ପ୍ରମୁଖ ବରିଷ୍ଠ ରାଜନୈତିକ ଓ ସେନା ନେତୃତ୍ୱ ସହ ପାକିସ୍ତାନୀ ପ୍ରବାସୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏହା ବ୍ୟତୀତ, ଟାମ୍ପାରେ, ମୁନିର ବିଦାୟୀ ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍‌) କମାଣ୍ଡର ଜେନେରାଲ ମାଇକେଲ ଇ.କୁରିଲ୍ଲାଙ୍କ ଅବସରକାଳୀନ ଉତ୍ସବ ଓ ଆଡମିରାଲ ବ୍ରେଡ୍‌ କୁପରଙ୍କ ଦ୍ୱାରା କମାଣ୍ଡ ସମ୍ଭାଳିବାର ଅବସରରେ ଆୟୋଜିତ କମାଣ୍ଡ ପରିବର୍ତ୍ତନ ଉତ୍ସବରେ ଯୋଗ ଦେଇ ଥିଲେ।

ଜୁନ୍‌ରେ, ମୁନିର ଆମେରିକାକୁ ପାଞ୍ଚ ଦିବସୀୟ ଯାତ୍ରାରେ ଯାଇ ଥିଲେ। ଏହି ଯାତ୍ରା ବେଳେ ସେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପ୍ରହରର ଭୋଜନରେ ସାମିଲ ହୋଇଥିଲେ। ସାଧାରଣତଃ ଏହିପରି ସମ୍ମାନ କୌଣସି ରାଷ୍ଟ୍ରାଧ୍ୟକ୍ଷ ବା ଶାସନମୁଖ୍ୟଙ୍କୁ ଦିଆଯାଏ। ଏହି ସାକ୍ଷାତର ଶେଷରେ ଟ୍ରମ୍ପ ତୈଳ ଚୁକ୍ତି ସହ ବିଭିନ୍ନ କ୍ଷେତ୍ରରେ ଆମେରିକା-ପାକିସ୍ତାନ ସହଯୋଗ ବଢାଇବାର ଘୋଷଣା କରିଥିଲେ। ଅନ୍ୟପଟେ , ଅପ୍ରେଲରେ ହୋଇଥିବା ପହଲଗାମ ଆକ୍ରମଣ ପରେ ମେ’ରେ ଭାରତ ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂର ଲଞ୍ଚ କରି ଥିଲା। ଏହି ଅଭିଯାନ ଅନୁସାରେ , ଭାରତ ବିମାନ ଆକ୍ରମଣ କରି ପାକିସ୍ତାନ ଓ ପିଓକେରେ ନଅଟି ଆତଙ୍କୀ କେନ୍ଦ୍ରକୁ ଧ୍ୱଂସ କରି ଦେଇ ଥିଲା। ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ। ଏହାସହ , ଭାରତ ପାକିସ୍ତାନର ଅନେକ ଏୟାରବେସ୍‌କୁ ମଧ୍ୟ କ୍ଷତି କରିଥିଲା। 

Scroll to Top