ମହାପ୍ରଭୁଙ୍କ ବନକଲାଗି ନୀତି, ସଂଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ

ମହାପ୍ରଭୁଙ୍କ-ବନକଲାଗି-ନୀତି,-ସଂଧ୍ୟା-୬ଟାରୁ-ରାତି-୧୦ଟା-ଯାଏଁ-ସାଧାରଣ-ଦର୍ଶନ-ବନ୍ଦ

ଭୁବନେଶ୍ୱର ୧୩।୧୧ : ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ। ଏହି ବିଶେଷ ନୀତି ପାଇଁ ଭକ୍ତମାନେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଠାକୁରଙ୍କ ବନକଲାଗ ନୀତି ପାଇଁ ଶ୍ରୀମନ୍ଦିରରେ ପୂର୍ବ ଦିନରୁ ପ୍ରସ୍ତୁତି ହୋଇଥାଏ । ଗୁରୁବାର ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ। ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯିବ । ଏହା ଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ମୁଦୁଲି ଆଦି ସେବକଙ୍କର ମଧ୍ୟ ଏହି ନୀତି ସମ୍ପାଦନରେ ଭୂମିକା ରହିଛି । ତେବେ ଉକ୍ତ ଦିନର ଠାକୁରଙ୍କ ନୀତିକୁ ନେଇ ବନକଲାଗି ସମୟ ଧାର୍ଯ୍ୟ ହେବ ।

Scroll to Top