ଯୋଗୀ ସରକାରଙ୍କ ବଡ଼ ପଦକ୍ଷେପ, UPରେ ଆରମ୍ଭ ହେଲା ‘ଜିରୋ ପଭର୍ଟି’ ଅଭିଯାନ

ଯୋଗୀ-ସରକାରଙ୍କ-ବଡ଼-ପଦକ୍ଷେପ,-upରେ-ଆରମ୍ଭ-ହେଲା-‘ଜିରୋ-ପଭର୍ଟି’-ଅଭିଯାନ

ଲକ୍ଷ୍ନୌ ୧୨।୧୧: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସରକାର ଉତ୍ତରପ୍ରଦେଶ (ୟୁପି)କୁ ‘ଗରିବ ମୁକ୍ତ’ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ‘ଜିରୋ ପଭର୍ଟି’ ଅଭିଯାନକୁ ମିସନ ମୋଡରେ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେ ନେଇ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟ ପ୍ରାଥମିକତା ଥିବା ୭ ଯୋଜନାରୁ ଆରମ୍ଭ ହେବ।

ଏହା ରାସନ କାର୍ଡ, ଦିବ୍ୟାଙ୍ଗ ପେନସନ, ବିଧବା ପେନସନ, ବୃଦ୍ଧାବସ୍ଥା ପେନସନ, ପିଏମ କିସାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରୁ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ନଭେମ୍ବର ୧୫ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ସବୁ ଯୋଜନା ଯେପରି ଆରମ୍ଭ ହୋଇଯାଏ ସେ ନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଥିବା ଯୋଜନାର ସତ୍ୟାପନ ପ୍ରକ୍ରିୟା ନଭେମ୍ବର ୩୦ ତାରିଖ ସୁଦ୍ଧା ଯେପରି ହେଲେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ମାସ ମଧ୍ୟରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ କରାଯିବ। ଏଥିରେ ଯେଉଁମାନେ କୌଣସି କାରଣଯୋଗୁ ପୂର୍ବରୁ ଏହି ଯୋଜନାରୁ ବଞ୍ଚିତ ଥିଲେ ସେମାନଙ୍କୁ ଯୋଜନା ଅନ୍ତର୍ଗତ କରାଯିବ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ପ୍ରତ୍ୟେକ ଯୋଗ୍ୟ ପରିବାରଙ୍କୁ ସରକାରୀ ଯୋଜନାର ଲାଭ ଦିଆଯିବା ‘ଜିରୋ ପଭର୍ଟି’ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ସେହିପରି ଚିହ୍ନଟ ପରିବାରଙ୍କ ଆବେଦନ ପ୍ରଧାନମନ୍ତ୍ରୀ ଅଥବା ମୁଖ୍ୟମନ୍ତ୍ରୀ ଆବାସ ଯୋଜନାରେ ଯେପରି ସୁନିଶ୍ଚିତ ହୁଏ ତାହା ନିଶ୍ଚିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ସବୁ ହିତାଧିକାରୀଙ୍କ ନାମ ଯେପରି ରାସନ କାର୍ଡରେ ରହେ ତାହା ମଧ୍ୟ ସୁନିଶ୍ଚିତ କରିବାକୁ କହିଛନ୍ତି। ଏହି ବିଶେଷ ଅଭିଯାନ ମାଧ୍ୟମରେ କେବଳ ଗରୀବ ପରିବାରଙ୍କୁ ସାମାଜିକ ସୁରକ୍ଷା ନୁହେଁ ବରଂ ସେମାନଙ୍କ ମୌଳିକ ଆବଶ୍ୟକତା ଯେପରି ପୂରଣ ହୁଏ ତାହା ସୁନିଶ୍ଚିତ କରିବା। ସେହିପରି ଅଭିଯାନର ପ୍ରଗତି ନିୟମିତ ସମୀକ୍ଷା କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରତି ଜିଲ୍ଲାରେ ଅଭିଯାନର ପ୍ରଭାବୀ ମନିଟରିଂ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

Scroll to Top