ପଶ୍ଚିମ ସିଂହଭୂମ ଦୀଘାରେ ନକ୍ସଲଙ୍କ IED ବିସ୍ଫୋରଣ, ୨ CRPF ଜବାନ ଆହତ

ପଶ୍ଚିମ-ସିଂହଭୂମ-ଦୀଘାରେ-ନକ୍ସଲଙ୍କ-ied-ବିସ୍ଫୋରଣ,-୨-crpf-ଜବାନ-ଆହତ

ରାଞ୍ଚୀ ୮।୮: ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ (ଚାଇଁବସା) ଜିଲ୍ଲା ଦୀଘା ଅଞ୍ଚଳରେ ଶୁକ୍ରବାର ନକ୍ସଲ ବିଛାଇଥିବା ଆଇଡି ବିସ୍ପୋରଣ ହୋଇଛି। ଫଳରେ ୨ ଜଣ ସିଆରପିଏଫ ଜବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ଏୟାରଲିଫ୍ଟ କରି ରାଞ୍ଚୀ ଅଣାଯାଇଛି। ବିସ୍ଫୋରଣର ଏହି ଘଟଣା ମଧ୍ୟାହ୍ନରେ ସେତେବେଳେ ହୋଇଥିଲା ଯେତେବେଳେ ସୁରକ୍ଷାବଳଙ୍କ ପକ୍ଷରୁ ବନାଞ୍ଚଳରେ ନକ୍ସଲଙ୍କ ବିରୋଧରେ ସର୍ଚ୍ଚ ଅପରେସନ ଚଳା ଯାଉଥିଲା। 

ଚାଇଁବସା ଏସପି ରାକେଶ ରଞ୍ଜନ ଘଟଣା ପୁଷ୍ଟି କରିଛନ୍ତି। ଚାଇଁବସାର ଦୁର୍ଗମ ଜଙ୍ଗଲ ଓ ପାହାଡରେ ଆତ୍ମଗୋପନ କରି ହିଂସକ ଆକ୍ରମଣକୁ ରୂପାୟନ କରୁଥିବା ମାଓବାଦୀ ଓ ନକ୍ସଲପନ୍ଥୀଙ୍କ ବିରୋଧରେ ପୋଲିସ ଓ ସୁରକ୍ଷାବଳଙ୍କ ପକ୍ଷରୁ ଲଗାତାର ଅଭିଯାନ ଚଳାଯାଉଛି। ସୁରକ୍ଷାବଳଙ୍କୁ ଅଟକାଇବାକୁ ନକ୍ସଲ ସ୍ଥାନେସ୍ଥାନେ ଆଇଇଡି ବିଛାଇଛନ୍ତି। ଏହ ଉପରେ ଜବାନଙ୍କ ଗୋଡ ପଡିବାମାତ୍ରେ ଅଥବା ହାଲୁକା ପ୍ରେସର ହେବା ଯୋଗୁ ଏ ଗୁଡିକ ବିସ୍ପୋରଣ ହେଉଛି। 

ଦୁଇ ଦିନ ପୂର୍ବରୁ ନକ୍ସଲମାନେ ଏହି ଜିଲ୍ଲାର କରମପଦା-ରେଙ୍ଗଡା ରେଳ ଟ୍ରାକ୍ ରେ ଆଇଇଡି ଲଗାଇ ଦେଇଥିଲେ। ଫଳରେ ଜଣେ ରେଲୱେ ଟ୍ରାକ ମ୍ୟାନଙ୍କ ମୃତ୍ୟୁ ହୋଇଥିଲା। ଗତ ଜୁନ ମାସରେ ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣରେ ସିଆରିପିଏଫ ଜବାନ ସତ୍ୟବାନ କୁମାର ସିଂହ ଶହିଦ ହୋଇଯାଇଥିଲେ। ଏହା ପୂର୍ବରୁ ମାର୍ଚ୍ଚ ମାସରେ ଆଇଇଡି ବିସ୍ଫୋରଣର ୩ଟି ମାମଲା ହୋଇଥିଲା। ଫଳରେ ଏଥିରେ ଜଣେ ସବଇନିସପେକ୍ଟର ଶହିଦ ହୋଇଥିବା ବେଳେ ଅନ୍ୟ ୫ ଜଣ ଜବାନ ଓ ଅଫିସର ଆହତ ହୋଇଥିଲେ। 

କୁହାଯାଉଛି ନକ୍ସଲ ସଙ୍ଗଠନର ଟାଣୁଆ ନେତା ମିସିର ବେସରା, ଅନମୋଲ, ମୋଛୁ, ଅନଲ, ଅସୀମ ମଣ୍ଡଲ, ଅଜୟ ମହତୋ, ସାଗେନ ଅଙ୍ଗରିୟା ଓ ଅଶ୍ୱିନ ତାଙ୍କ ଦଳର ସଦସ୍ୟଙ୍କ ସହିତ ସରଣ୍ଡା ଓ କୋଲହନ କ୍ଷେତ୍ରରେ ସକ୍ରିୟ ଅଛନ୍ତି। ସେମାନଙ୍କ ବିରୋଧରେ ସୁରକ୍ଷା ବଳ ପକ୍ଷରୁ ଲଗାତାର ଅଭିଯାନ ଚଳା ଯାଉଛି। ଚାଇଁବସାରେ ପୋଲିସ ଓ ସୁରକ୍ଷା ବଳଙ୍କ ମଧ୍ୟରେ ଗତ ୩ ମାସରେ ନକ୍ସଲଙ୍କ ଏକ ଡଜନରୁ ଅଧିକ ଡମ୍ପକୁ ଧ୍ୱଂସ୍ତ କରି ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛନ୍ତି। 

Scroll to Top