ସେ ବିଦେଶ ଯିବାକୁ ଚାହିଁବାରୁ ଆମର ଛାଡ଼ପତ୍ର ହୋଇଥିଲା, ଦିଲ୍ଲୀ ବ୍ଲାଷ୍ଟରେ ଗିରଫ ଶାହିଦର ପୂର୍ବତନ ସ୍ଵାମୀଙ୍କ ବଡ଼ ଖୁଲାସା

ସେ-ବିଦେଶ-ଯିବାକୁ-ଚାହିଁବାରୁ-ଆମର-ଛାଡ଼ପତ୍ର-ହୋଇଥିଲା,-ଦିଲ୍ଲୀ-ବ୍ଲାଷ୍ଟରେ-ଗିରଫ-ଶାହିଦର-ପୂର୍ବତନ-ସ୍ଵାମୀଙ୍କ-ବଡ଼-ଖୁଲାସା

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ସୋମବାର ଘଟିଥିବା ବିସ୍ଫୋରଣ ମାମଲାରେ ଫରିଦାବାଦରୁ ଗିରଫ ହୋଇଛି ବିସ୍ଫୋରଣର ସନ୍ଦିଗ୍ଧ ଡାକ୍ତରାଣୀ ଶାହୀନ ଶାହିଦ। ଏହି ମହିଳା ଡାକ୍ତରାଣୀଙ୍କ ଏମିତି କାରନାମା ଦେଖି ପୂର୍ବତନ ସ୍ଵାମୀ ଡାକ୍ତର ଜଫର ହୟାତ ମଧ୍ୟ ମର୍ମାହତ। କାନପୁରରେ ଏକ ସରକାରୀ ହସ୍ପିଟାଲରେ ଚକ୍ଷୁ ରୋଗ ବିଶେଷଜ୍ଞ ଭାବେ କାମ କରୁଥିବା ଡାକ୍ତର ଜାଫର କହିଛନ୍ତି ଶାହୀନଙ୍କ ସହ ତାଙ୍କର ବୈବାହିକ ଜୀବନ ୯ ବର୍ଷ ଯାଏଁ ଚାଲିଥିଲା। ୨୦୦୩ରେ ବିବାହ ହୋଇଥିଲା ଏବଂ ୨୦୧୨ ଶେଷ ଆଡ଼କୁ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା।

ଡାକ୍ତର ହୟାତ କହିଛନ୍ତି, ଆମର ବୈବାହିକ ଜୀବନ ଠିକ୍ ଠାକ୍ ଚାଲିଥିଲା। ଆମର ଦୁଇଟି ପିଲା ଅଛନ୍ତି। ପରିବାରରେ କୌଣସି ସମସ୍ୟା ନ ଥିଲା। ଆତଙ୍କୀ ସହ ଶାହୀନର କୌଣସି ସଂପର୍କ ଥିବା ବିଷୟରେ ସେ କିଛି ଜାଣି ନାହାନ୍ତି। ଶାହୀନ ବିଦେଶରେ ରହିବାକୁ ଚାହୁଁଥିବାରୁ ଉଭୟଙ୍କ ମଧ୍ୟରେ ତଲାକ ହୋଇଥିଲା। ଛାଡ଼ପତ୍ର ପରେ ଶାହିଦ ହରିୟାଣା ଚାଲିଗଲେ ଏବଂ ଫରିଦାବାଦରେ ଅଲ ଫଲାହ ୟୁନିଭର୍ସିଟିରେ ଶିକ୍ଷାଦାନ ଆରମ୍ଭ କରିଥିଲେ। ତଦନ୍ତକାରୀ ଏଜେନ୍ସି ସନ୍ଦେହ କରିଛନ୍ତି ଯେ, ବୋଧହୁଏ ଏହି ଅବଧିରେ ଶାହୀନ ଆତଙ୍କୀ ଗୋଷ୍ଠୀର ସଂସ୍ପର୍ଶରେ ଆସି ଥାଇ ପାରନ୍ତି।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଶାହୀନ ଡ. ଶାହୀନ ଶାହିଦ ନାମରେ ଜଣାଶୁଣା ଥିଲେ। ଆନ୍ତଃରାଜ୍ୟ ଟେରର ମଡ୍ୟୁଲରେ ସଂପୃକ୍ତ ଆଠ ଜଣଙ୍କୁ ପୋଲିସ ଗିରଫି କରି ସାରିଛି। ଏ ସମସ୍ତେ ଜୈଶ ଏ ମହମ୍ମଦ ଓ ଅନସର ଗଜଓ୍ବା ଉଲ ହିନ୍ଦ ସହ ସଂପର୍କରେ ଥିଲେ। ଗିରଫଙ୍କ ମଧ୍ୟରେ ଶାହୀନ ଶାହିଦ ସାମିଲ୍।

ଡାକ୍ତର ହୟାତ କହିଛନ୍ତି ଦୁଇ ପୁଅ ଏବେ ତାଙ୍କ ପାଖରେ ଅଛନ୍ତି। ତଲାକ ପରଠୁ ଶାହୀନ କେବେ ବି ଜାଫର ହୟାତଙ୍କ ସହ ଯୋଗାଯୋଗ କରିନି। ହୟାତ କହିଛନ୍ତି ଶାହୀନକୁ ବୁର୍କା ପିନ୍ଧିବା କେବେ ପସନ୍ଦ ନ ଥିଲା। ସେ ପରିବାର ଲୋକ ଓ ସଂପର୍କୀୟଙ୍କ ସହ ସେତେ ସଂପର୍କରେ ରହୁ ନ ଥିଲା। କିନ୍ତୁ ଶାହୀନ ନିଜ ପରିବାରକୁ ଜଣେ ପତ୍ନୀ ଓ ମାଆ ପରି ଦେଖାଶୁଣା କରୁଥିଲା। କିନ୍ତୁ ସେ ଅଧିକାଂଶ ସମୟ ଲାପଟପ୍ରେ ବିତାଉଥିଲା। ତଲାକ ପରଠୁ ସେ ଥରୁଟିଏ ବି ପିଲାଙ୍କୁ ଦେଖିବାକୁ ଆସିନି କି ଯୋଗାଯୋଗ କରିନି।

ଡାକ୍ତରାଣୀ ଶାହୀନ କେବେ କାନପୁର ମେଡିକାଲ୍ କଲେଜରେ ପଢାଉଥିଲେ। ଏହାକୁ ନେଇ ମଙ୍ଗଳବାର ଏଟିଏସର ଏକ ଟିମ ଜିଏସଭିଏମ ମେଡିକାଲ୍ କଲେଜ ପହଞ୍ଚିଥିଲେ। ତଦନ୍ତକାରୀ ଟିମ୍ ଶାହୀନଙ୍କ ବିଷୟରେ ମେଡିକାଲ୍ କର୍ତ୍ତୃପକ୍ଷଙ୍କଠୁ ତଥ୍ୟ ସଂଗ୍ରହ କରିଛନ୍ତି। ମେଡିକାଲରେ ରହୁଥିବା ସମୟରେ ଶାହୀନଙ୍କ ଗତିବିଧି କେମିତି ଥିଲା ଏବଂ କାହା ସହ ଅଧିକ ମିଳାମିଶା କରୁଥିଲା ତାର ତଥ୍ୟ ସଂଗ୍ରହ କରିଛି ଏଟିଏସ।

ଯାଞ୍ଚ ଏଜେନ୍ସି ଦାବି କରିଛନ୍ତି, ଡ. ଶାହୀନ ଆତଙ୍କୀ ସଂଗଠନ ଜୈଶ ଏ ମହମ୍ମଦର ମହିଳା ୟୁନିଟ୍ ଜମାତ ମୋମିନାତ ସହ ଯୋଗାଯୋଗରେ ଥିଲେ। ଭାରତରେ ଆତଙ୍କୀ ସଂଗଠନର ମହିଳା ଶାଖା ଗଠନ କରିବା ପାଇଁ ତାଙ୍କୁ ଦାୟିତ୍ଵ ଦିଆଯାଇଥିଲା। ସେ କାନପୁରର ଜିଏସଭିଏମ ମେଡିକାଲ କଲେଜର ଫାର୍ମାକୋଲୋଜି ବିଭାଗରେ ସାତ ବର୍ଷ ଧରି ପ୍ରଫେସର ଥିଲେ।

ଶାହୀନ ପାକିସ୍ତାନରେ ବସିଥିବା ହ୍ୟାଣ୍ଡଲରଙ୍କ ଯୋଗାଯୋଗରେ ଥିଲେ। ପିତା ସଇଦ ଅହମ୍ମଦ ଅନସାରୀ କହିଛନ୍ତି, ଯେବେ ସେ ଜାଣିବାକୁ ପାଇଲେ ଝିଅ ଆତଙ୍କୀ କାମରେ ଲିପ୍ତ, ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା. ଗତ ମାସ ତଳେ ପିତା ଶାହୀନ ସହ କଥା ହୋଇଥିଲେ।

Scroll to Top