ଭୁବନେଶ୍ବର: ବହୁଚର୍ଚ୍ଚିତ ଏସଆଇ ପରୀକ୍ଷା କେଳେଙ୍କାରୀର ଖୋଳତାଡ଼ କରିବ ସିବିଆଇ। ମଙ୍ଗଳବାର ମାମଲାର ତଦନ୍ତ ନେଇ କେନ୍ଦ୍ର ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ ସିବିଆଇ ନିର୍ଦ୍ଦେଶକ, ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ସିବିଆଇ ତଦନ୍ତ କରିବାକୁ ଯାଉଥିବା ଚିଠି ଲେଖି ଜଣାଇଛନ୍ତି। ଏହି ବିଜ୍ଞପ୍ତି ପରେ ବର୍ତ୍ତମାନ ମାମଲାକୁ କ୍ରାଇମବ୍ରାଞ୍ଚ ହାତରୁ ନେବ ସିବିଆଇ। ପୂର୍ବରୁ ମାମଲାର ତଦନ୍ତ ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ।
ସୂଚନାଥାଉକି, ୨୦୨୪ ମସିହାରେ ଏସ୍ଆଇ ପରୀକ୍ଷା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷା ଆୟୋଜନ ଦାୟିତ୍ୱ ଓଡ଼ିଶା ପୁଲିସ ରିକ୍ରୁଟ୍ମେଣ୍ଟ୍ ବୋର୍ଡ (ଓପିଆର୍ବି) ନେଇଥିଲା । ଓପିଆରବି ପରୀକ୍ଷା ପରିଚାଳନା ଆଇଟିଆଇ ନାମକ ସଂସ୍ଥାକୁ ଦେଇଥିଲା । ଆଇଟିଆଇ ପରେ ଏହାକୁ ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍କୁ ହସ୍ତାନ୍ତର କରିଥିଲା । ପରେ ଏହାର ଦାୟିତ୍ୱ ପାନ୍ସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ନେଇଥିଲା । ୨୦୨୫ ମାର୍ଚ୍ଚରେ ପରୀକ୍ଷା ହେବାର ଥିଲା । ୩ ଥର ପରୀକ୍ଷା ବାତିଲ ହୋଇଥିଲା ।
ଏହାରି ମଧ୍ୟରେ ସେପ୍ଟେମ୍ବର ମାସରେ ଦୁଇଟି ପର୍ଯ୍ୟାୟରେ ୨୧୧ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶକୁ ନେଇଥିଲେ ଦଲାଲ୍ । ସେଠାରେ ଲିଖିତ ପରୀକ୍ଷା ପାଇଁ ତାଲିମ ଦିଆଯାଇଥିଲା । ତୃତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୩୦ ତାରିଖରେ ୩ଟି ବସ୍ରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲ୍ ଅନ୍ଧ୍ରପ୍ରଦେଶ ଯିବାକୁ ବରମୁଣ୍ଡାରୁ ବାହାରିଲେ । ସେମାନେ ଆନ୍ଧ୍ରପ୍ରଦେଶରେ ପହଞ୍ଚି ଯାଇଥିଲେ । ଏହି ଖବର ପ୍ରଚାର ହେବା ପରେ ବ୍ରହ୍ମପୁର ପୁଲିସ୍ ଆନ୍ଧ୍ରପ୍ରଦେଶ ପୁଲିସ୍ ସହ ଯୋଗାଯୋଗ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣାକୁ ନେଇ ରାଜ୍ୟରେ ଚହଳ ପଡ଼ିଥିଲା ।
ଏହାପରେ ଉକ୍ତ ମାମଲା କ୍ରାଇମ୍ବ୍ରାଞ୍ଚକୁ ଯାଇଥିଲା । ଜାଲିଆତିର ମାଷ୍ଟରମାଇଣ୍ଡ୍ ହିଞ୍ଜିଳି ବ୍ରାହ୍ମଣଛାଇ ଅଞ୍ଚଳର ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ବୋଲି କ୍ରାଇମ୍ବ୍ରାଞ୍ଚ କହିଥିଲା । ପ୍ରତି ପରୀକ୍ଷାର୍ଥୀ ପିଛା ଏମାନେ ୨୫ ଲକ୍ଷ ଟଙ୍କା ଡିଲ୍ କରିଥିଲା । ୫ରୁ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । ଖାଲି ସେତିକି ନୁହେଁ ସେମାନଙ୍କୁ ଗିରଫ କରି ଜେଲକୁ ମଧ୍ୟ ପଠାଇଛି କ୍ରାଇମବ୍ରାଞ୍ଚ।
ଏସବୁକୁ ଦୃଷ୍ଟିରେ ରଖି ଏହି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ କରିବା ପାଇଁ ଓ ଏଥିରେ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ମୁଖ୍ୟମନ୍ତ୍ରୀ ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇକୁ ଦେବା ପାଇଁ ଘୋଷଣା କରିଛନ୍ତି । ଏଥି ସହ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପୁଲିସ୍ ଓ ଅନ୍ୟାନ୍ୟ ପୋଷାକଧାରୀ ସେବାରେ କର୍ମଚାରୀ ଚୟନ ପାଇଁ ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି । ଉକ୍ତ ଆୟୋଗ ଗଠନ ହେଲା ପରେ ପୋଷାକଧାରୀ ସେବା ପାଇଁ ସବୁ ପରୀକ୍ଷା କରିବ ।




