ଭୁବନେଶ୍ବର ୧୧।୧୧:ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଭୋଟର ମାନେ ନିଜ ନିଜର ମତ ସାବ୍ୟସ୍ତ କରୁଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଭୋଟିଂ ଚାଲିବ । ନୂଆପଡ଼ା ଉପନିର୍ବାଚନରେ ଦିନ ୩ଟା ସୁଦ୍ଧା ୬୫.୫୬% ଭୋଟିଂ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ସୂଚନା ଦେଇଛନ୍ତି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ନୂଆପଡ଼ା ଉପନିର୍ବାଚନ ଭୋଟିଂ ସୁରୁଖୁରୁରେ ଚାଲିଛି । ଦିନ ୩ଟା ସୁଦ୍ଧା ନୂଆପଡ଼ାରେ ୬୫.୫୬% ଭୋଟିଂ ହୋଇଛି ।ସମ୍ବେଦନଶୀଳ ଏବଂ ସଖୀ ବୁଥ୍ ସମେତ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରେ ମତଦାନ ଶାନ୍ତିଶୃଙ୍ଖଳାର ସହିତ ଚାଲୁ ରହିଛି । ଦିନ ୧ଟା ସୁଦ୍ଧା ୫୧.୪୨ ପ୍ରତିଶତ ଭୋଟିଂ ହୋଇଥିଲା । ପୂର୍ବାହ୍ନ ୧୧ଟା ସୁଦ୍ଧା ମତଦାନର ହାର ପ୍ରାୟ ୩୨.୫୧% ରହିଥିଲା ।ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ।
ଗୋଟିଏ VVPAT (ବୁଥ୍ ନମ୍ବର ୨୯୮) ପରିବର୍ତ୍ତନ କରାଯାଇଥିଲା । ନୂଆପଡ଼ାରେ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ଉପ-ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସିସିଟିଭି ମାଧ୍ୟମରେ ମତଦାନ ପ୍ରକ୍ରିୟାର ନିରନ୍ତର ତଦାରଖ କରାଯାଉଛି ।
ସୂଚନାଯୋଗ୍ୟ ଯେ, ନୂଆପଡ଼ା ଉପନିର୍ବାଚନପାଇଁ ଭୋଟିଂ ଜାରି ରହିଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ଚଳିତ ଉପନିର୍ବାଚନରେ ୩୫୮ ବୁଥ୍ ମଧ୍ୟରୁ ୬ଟି ପିଙ୍କ୍ ବା ସଖୀ ବୁଥ୍ କରାଯାଇଛି । ଯେଉଁଥିରେ କେବଳ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି l ଏହି ନିର୍ବାଚନ ମଣ୍ଡଳୀରେ ୧୦୧ଟି ସମ୍ବେଦନଶୀଳ ବୁଥ୍ ରହିଛି l ଏଥିରୁ ୪୭ଟି ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଓ ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳରେ ରହିଛି । ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ବୁଥ୍ ମଧ୍ୟରୁ ୮ଟି ସୁନାବେଡ଼ା ଉପତ୍ୟକାର ଦୁର୍ଗମ ଅଞ୍ଚଳରେ ରହିଛି ।
ନିର୍ବାଚନ ପାଇଁ ସମସ୍ତ ୩୫୮ଟି ବୁଥ୍,୬ଟି ସଖି ବୁଥ୍,୩୯୬ଟି ପୋଲିଂ ଦଳ,୩୮ଟି ରିଜର୍ଭ ପୋଲିଂ ଦଳ ପାଇଁ ୧୫୫୨ ଜଣ ପୁରୁଷ ଅଧିକାରୀ ଓ ୩୨ ଜଣ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି । ଏହି ଉପନିର୍ବାଚନକୁ ଅବାଧ,ମୁକ୍ତ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛିlଏଥିପାଇଁ କେନ୍ଦ୍ରୀୟ ଆର୍ମଡ୍ ପୋଲିସ ଫୋର୍ସର ୧୪ଟି କମ୍ପାନୀ ମୁତୟନ ହୋଇଛନ୍ତି l ଏହାସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୬ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୫୧ ଜଣ ସବ୍ଇନ୍ସପେକ୍ଟର, ସହକାରୀ ସବ୍ଇନ୍ସପେକ୍ଟର, ୧୦୩ ଜଣ ହାବିଲଦାର, ୬୩୬ ଜଣ କନେଷ୍ଟବଳ, ୨୮୭ ଜଣ ହୋମଗାର୍ଡ ନିୟୋଜିତ ହୋଇଛନ୍ତି l




