ହାଇକୋର୍ଟରେ ଅବଦୁର ରେହମାନର ଜାମିନ ଖାରଜ, ଅଲକାଏଦା ଲିଙ୍କ୍ ଅଭିଯୋଗରେ ହୋଇଛି ଗିରଫ
Published By: Ruby – Prameya-News7 Bureau | November 11, 2025 03:45 PM
NEWS7
କଟକ ୧୧।୧୧: ଅବଦୁର ରେହମାନର ଜାମିନ ଖାରଜ କଲେ ହାଇକୋର୍ଟ । ଉଗ୍ରବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ନେଇ ଅବଦୁର ରେହମାନ ନାଁରେ ଅଭିଯୋଗ ରହିଛି । କଟକ ସାଲେପୁର ପଶ୍ଚିମକଛରୁ ଗିରଫ ହୋଇଥିଲା ରେହମାନ । ୨୦୧୫ ମସିହା ଡିସେମ୍ବର ମାସରୁ ଗିରଫ ହୋଇ ଜେଲ୍ରେ ଅଛି ଅବଦୁର । ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ଲିଙ୍କ୍ରେ ଅବଦୁରକୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା ।
ସୂଚନାଯୋଗ୍ୟ ଯେ, ୨୦୧୫ ମସିହା ଡିସେମ୍ବର ୧୬ ତାରିଖରେ ଜଗତପୁର ପଶ୍ଚିମକଛ ଗାଁରୁ ଅବଦୁର ରେହମାନ ଗିରଫ ହୋଇଥିଲା । କମିଶନରେଟ୍ ପୋଲିସ ସହାୟତାରେ ଅବଦୁରକୁ ଗିରଫ କରିଥିଲା ଏନଆଇଏ । ତଦନ୍ତ ବେଳେ ଅବଦୁର ରେହମାନର ଅନ୍ତର୍ଜାତୀୟ ଆତଙ୍କବାଦ ଲିଙ୍କ୍ ନେଇ ସୁରାକ ପାଇଥିଲା ଦିଲ୍ଲୀ ପୋଲିସ । ଅବଦୁର ଅନେକ ଥର ପାକିସ୍ତାନ ଯାଇଥିବା ମଧ୍ୟ ଜଣାପଡିଥିଲା । ସେଠାରେ ସେ ୨୬/୧୧ ମୁମ୍ବାଇ ଆକ୍ରମଣର ଜାକି-ଉର-ରେହମାନ ଓ ସାଜିଦକୁ ଭେଟିଥିଲା । ଅଲକାଏଦା ଆତଙ୍କବାଦୀ ସଙ୍ଗଠନରେ ମିଶିବା ସହ ସେଠାରେ ଟ୍ରେନିଂ ନେଇଥିବା ମଧ୍ୟ ଜଣାପଡିଥିଲା । ଅବଦୁର ନାଁରେ ଦେଶଦ୍ରୋହ ନେଇ ଅନେକ ଅଭିଯୋଗ ମଧ୍ୟ ରହିଥିଲା । ଏପରିକି ବେଆଇନ ମଦ୍ରାସା ଚଳାଇବା, ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ଭାଷଣ ଦେବା ନେଇ ପ୍ରମାଣ NIA ହାତରେ ଲାଗିଥିଲା ।




