ମାନୁନାହାନ୍ତି କଟକଣା, ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ

ମାନୁନାହାନ୍ତି-କଟକଣା,-ପୁଣି-ଅନଲାଇନରେ-ମହାପ୍ରସାଦ-ବିକ୍ରି-ଅଭିଯୋଗ

ପୁରୀ ୧୦।୮: ଅନଲାଇନରେ ଶ୍ରୀମନ୍ଦିରର ମହାପ୍ରସାଦ ବିକ୍ରି ନେଇ କଟକଣା ଥିବାବେଳେ ଏହାକୁ କିଛି ବ୍ୟକ୍ତି ମାନୁନାହାନ୍ତି । ବିଭିନ୍ନ ଫୁଡ୍ ଆପ୍ ଡେଲିଭରି ସର୍ଭିସ୍ ଭଳି ଶ୍ରୀମନ୍ଦିରର ମହାପ୍ରସାଦକୁ ମଧ୍ୟ ଅନଲାଇନରେ ଭକ୍ତଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଇଜି ଏସେନସିଆଲ୍ ନାମକ ଏକ ଫୁଡ୍ ଆପ୍ ସର୍ଭିସ୍ ପକ୍ଷରୁ ବ୍ରହ୍ମପୁର ସହରରେ ଏଭଳି ଅନଲାଇନରେ ମହାପ୍ରସାଦ ବୁକିଂ କରାଯାଇ ଲୋକଙ୍କୁ ଯୋଗାଇ ଦିଆଯାଉଛି । ଏହି ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥ ପ୍ରେମୀ ଏହାକୁ ଦୃଢ଼ ବିରୋଧ କରିଛନ୍ତି । ଶ୍ରୀମନ୍ଦିର ମହାପ୍ରସାଦ ଏକ ସାଧାରଣ ଖାଦ୍ୟ ପଦାର୍ଥ ନୁହେଁ । ମହାପ୍ରସାଦର ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି । ଏହାକୁ ଅନଲାଇନ ମାଧ୍ୟମରେ ବିକ୍ରି ହେଲେ ମହାପ୍ରସାଦର ଘୋର୍ ଅବମାନନା ହେବ । 

ବିଶେଷ କରି ଫୁଡ୍ ଆପ୍ ର ଡେଲିଭରି କରୁଥିବା କର୍ମଚାରୀମାନେ ପବିତ୍ରତା ରକ୍ଷା କରି ଲୋକଙ୍କ ନିକଟରେ ମହାପ୍ରସାଦ ପହଞ୍ଚାଇ ପାରିବେ ନାହିଁ । ସେହିପରି ଅନଲାଇନ ମାଧ୍ୟମରେ ଭକ୍ତଙ୍କୁ ଠକେଇ କରାଯିବାର ଆଶଙ୍କା ମଧ୍ୟ ରହିଛି । ଶ୍ରୀମନ୍ଦିର ମହାପ୍ରସାଦ ନାଁରେ ଅନ୍ୟ କୌଣସି ସ୍ଥାନରେ ବିଭିନ୍ନ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରସାଦ ନାଁରେ ଲୋକମାନେ ଠକାମିର ଶିକାର ହେବା ମଧ୍ୟ ଆଶଙ୍କା ରହିଛି । 

ମହାପ୍ରସାଦର ପ୍ରକୃତ ମୂଲ୍ୟ ଠାରୁ ଚଢ଼ାଦରରେ ଅନଲାଇନରେ ବିକ୍ରି କରାଯାଇ ଭକ୍ତଙ୍କୁ ଶୋଷଣ କରାଯିବାର ସମ୍ଭାବନା ରହିଥିବାରୁ ଅନଲାଇନରେ ମହାପ୍ରସାଦ ବିକ୍ରି ଆଦୌ ଗ୍ରହଣୀୟ ନୁହେଁ ବୋଲି ସେବାୟତ ମତ ରଖିଛନ୍ତି । ଶ୍ରୀମନ୍ଦିର ମହାପ୍ରସାଦକୁ ଅନଲାଇନରେ ତୁରନ୍ତ ବିକ୍ରି ବନ୍ଦ କରାଯିବା ପାଇଁ ଦାବି କରିଛନ୍ତି ସେବାୟତ ।‌ ଏପରିକି ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରାଯାଇ ମହାପ୍ରସାଦକୁ ଅନଲାଇନରେ ବିକ୍ରି କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ରହିବା ଉଚିତ ବୋଲି ମତପ୍ରକାଶ ପାଇଛି । 

ପୂର୍ବରୁ ଆମାଜନ୍ ଏବଂ ପ୍ରିଣ୍ଟ୍ରେଷ୍ଟ ଆପ୍‌ରେ ମହାପ୍ରସାଦ ନିର୍ମାଲ୍ୟ ଅନଲାଇନରେ ବିକ୍ରି ନେଇ ବିଜ୍ଞାପନ କରାଯାଇଥିଲା । ତେବେ ଏହାକୁ ଜଗନ୍ନାଥ ପ୍ରେମୀ ଏବଂ ସେବାୟତ ମହଲରେ ଦୃଢ଼ ବିରୋଧ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ସହିତ ଅନ୍ୟାନ୍ୟ ଶୁଖୁଲି ମହାପ୍ରସାଦ ବିକ୍ରି ଉପରେ ମଧ୍ୟ କଟକଣା ଲଗାଯାଇଥିଲା । 

ସେପଟେ ଶ୍ରୀମନ୍ଦିରର ପ୍ରଚଳିତ ଆଇନକୁ ଆହୁରି କଡ଼ାକଡ଼ି କରାଯିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ସମ୍ପର୍କିତ ସମସ୍ତ ସାମଗ୍ରୀକୁ ବେଆଇନ ଭାବରେ ବ୍ୟବହାର ଏବଂ ବ୍ୟବସାୟୀକରଣ କରୁଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କଡ଼ା ଆଇନ ଆଣିବାକୁ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ତେଣୁ ତୁରନ୍ତ ଶ୍ରୀମନ୍ଦିରର ପ୍ରଚଳିତ ଆଇନକୁ ସଂଶୋଧନ କରାଯାଇ ମହାପ୍ରଭୁଙ୍କ ପ୍ରତି ଅବମାନନା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି । 

You Can Read:

କାଠିଆପଡ଼ା ଛାତ୍ରୀ ମୃତ୍ୟୁ ଘଟଣା : ଏତଲା ଦେଲେ ଗିରଫ ପୁରୁଷ ବନ୍ଧୁଙ୍କ ବାପା

Scroll to Top