ହିନ୍ଦୋଳ ବ୍ଲକ୍ ଅଞ୍ଚଳରେ ସିରିଜ୍ ଚୋରି, ପଞ୍ଚାୟତ କାର୍ଯ୍ୟାଳୟ ସହ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଲୁଟ୍
Published By: Ruby – Prameya-News7 Bureau | November 10, 2025 10:49 AM
NEWS7
ହିନ୍ଦୋଳ ୧୦।୧୧: ହିନ୍ଦୋଳ ବ୍ଲକ୍ ଅଞ୍ଚଳରେ ସିରିଜ୍ ଲୁଟ୍ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ମାଧପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରୁ ସିରିଜ୍ ଚୋରି ହୋଇଛି । ଲକ୍ଷାଧିକ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ମାଧପୁର ପଞ୍ଚାୟତ କାର୍ଯ୍ୟାଳୟ ସମେତ ଆମବ୍ୟାଙ୍କ, ଆସ୍ପେୟାର ସେଣ୍ଟର ଏବଂ ବିଦ୍ୟାଳୟରୁ ବିଳମ୍ବିତ ରାତ୍ରୀରେ ବିଭିନ୍ନ ସାମଗ୍ରୀ ସମେତ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି । ସୋମବାର ସକାଳେ ଆସ୍ପେୟାର ଟିଚର ସୁପ୍ରିୟା ସାହୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବା ପରେ ଦେଖିବାକୁ ପାଇଲେ କାର୍ଯ୍ୟାଳୟର ସମସ୍ତ ତାଲା ଗୁଡିକ ଭଙ୍ଗାଯାଇ ଏଣେତେଣେ ପଡିଛି । ସେ ଏ ନେଇ ସଙ୍ଗେ ସଙ୍ଗେ ସରପଞ୍ଚଙ୍କୁ ଜଣାଇଥିଲେ । ସରପଞ୍ଚଙ୍କ ସ୍ବାମୀ ଦିଲ୍ଲୀପ ଲେଙ୍କା ପହଞ୍ଚିବା ପରେ ଦେଖିଲେ ତାଲା ଭାଙ୍ଗି ସମସ୍ତ ଆସବାବପତ୍ର ଏଣେତେଣେ ପଡିଛି । ସେ ଏ ନେଇ ସଙ୍ଗେ ସଙ୍ଗେ ହିନ୍ଦୋଳ ପୋଲିସକୁ ଜଣାଇଥିଲେ । ପଞ୍ଚାୟତର ଟିଭି, ଇନଭର୍ଟର ଚୋରି ହେବା ସହ ଆମ ବ୍ୟାଙ୍କରୁ ୧ ଲକ୍ଷ ୧୬ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡିଛି I




